ଭୁବନେଶ୍ଵର, ୦୭/୦୨ : ମହାନଦୀ ଜଳ ବିବାଦ ମାମଲା। ଆସନ୍ତା ମାର୍ଚ୍ଚ ୧୪ ତାରିଖକୁ ଘୁଞ୍ଚିଲା ଶୁଣାଣି। ଫେବ୍ରୁଆରୀ ଶେଷ ସପ୍ତାହରୁ ମାର୍ଚ୍ଚ ପ୍ରଥମ ସପ୍ତାହ ମଧ୍ୟରେ ସ୍ପଟ୍ ଭିଜିଟ୍ ହେବ। ଟ୍ରିବ୍ୟୁନାଲ୍ ସ୍ପଟ୍ ଭିଜିଟ୍ କରି ସାରିବା ପରେ ମାର୍ଚ୍ଚ ୧୪ ତାରିଖରେ ଶୁଣାଣି ହେବ। ଏପ୍ରିଲ ୧୩ ତାରିଖରେ ଟ୍ରିବ୍ୟୁନାଲ୍ ଅବଧି ଶେଷ ହେବାକୁ ଯାଉଛି। ଓଡ଼ିଶା ଏବଂ ଛତିଶଗଡ଼ ଟ୍ରିବ୍ୟୁନାଲ୍ ଅବଧି ବୃଦ୍ଧି ପାଇଁ ଅନୁରୋଧ କରିସାରିଛନ୍ତି। ୨୦୨୭ ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ଟ୍ରିବ୍ୟୁନାଲ୍ ଅଧ୍ୟକ୍ଷ ପଦ ଖାଲି ଥିବାରୁ ୯ ମାସ କାର୍ଯ୍ୟ ହୋଇନଥିଲା। ଯେଉଁଥିପାଇଁ କାର୍ଯ୍ୟକ୍ରମ ବିଳମ୍ବିତ ହୋଇଛି ବୋଲି AG ପୀତାମ୍ୱର ଆଚାର୍ଯ୍ୟ କହିଛନ୍ତି।

ବିଜେଡିର ଟାର୍ଗେଟ୍

ସରକାରଙ୍କ ଟ୍ରିବ୍ୟୁନାଲ ଅବଧି ବୃଦ୍ଧି ପାଇଁ ଆବେଦନ ବିଳମ୍ବିତ ବୋଲି ବିଜେଡି ଅଭିଯୋଗ ଆଣିଛି। କାରଣ ପୂର୍ବରୁ ଟ୍ରିବ୍ୟୁନାଲ ଉଭୟ ରାଜ୍ୟ ସରକାରଙ୍କୁ କାର୍ଯ୍ୟକାଳ ବୃଦ୍ଧି ଆବେଦନ କରିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଓଡ଼ିଶା ସରକାର ଠିକ୍ ସମୟରେ ଆବେଦନ କଲେ ନାହିଁ। ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଏନେଇ ରାଜସ୍ଵ ମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଯେ, ତତ୍କାଳୀନ ଜଳ ସମ୍ପଦ ମନ୍ତ୍ରୀ ଯଦି ବିଧାନସଭାରେ କହିଥିଲେ ତେବେ ସେ ତଥ୍ୟ ସରକାର ଗୃହରେ ଉପସ୍ଥାପନ କରନ୍ତୁ । କିଏ ଆହ୍ଵାନ କଲେ ହିଁ ବିଧାନସଭାରେ ଆଲୋଚନା ହେବ ସେ ପରମ୍ପରା ନାହିଁ। ବିଧାନସଭାରେ ନିଶ୍ଚିତ ଆଲୋଚନା ହେବ। ସରକାର ବି ଓଡିଶାବାସୀଙ୍କୁ ଉତ୍ତର ଦେବା ପାଇଁ ପ୍ରସ୍ତୁତ ରୁହନ୍ତୁ । ଆଜି ପର୍ଯ୍ୟନ୍ତ ଏ ପ୍ରକାର ଜଳ ବିବାଦ ଟ୍ରିବ୍ୟୁନାଲ ମାଧ୍ୟମରେ ହିଁ ସମାଧାନ ହୋଇଛି । ବିଜେଡିର ଜାଣିବାରେ ଆପୋଷ ଆଲୋଚନାରେ ସମାଧାନର କୌଣସି ଉଦାହରଣ ନାହିଁ । ତେଣୁ ଟ୍ରିବ୍ୟୁନାଲ କାର୍ଯ୍ୟ ତ୍ୱରାନିତ କରିବାକୁ ରାଜ୍ୟ ସରକାର ସହଯୋଗ କରନ୍ତୁ । 

ବିଜେଡିକୁ ବିତର୍କ ପାଇଁ ରାଜସ୍ଵ ମନ୍ତ୍ରୀଙ୍କ ଆହ୍ଵାନ

ସେପଟେ ମହାନଦୀ ପ୍ରସଙ୍ଗ ଉତ୍ଥାପନ କରିବା ସହ ବିଧାନସଭା ଭିତରେ ଓ ବାହାରେ ବିତର୍କ ପାଇଁ ବିଜେଡିକୁ ପୁଣି ଆହ୍ଵାନ କଲେ ରାଜସ୍ୱ ମନ୍ତ୍ରୀ । ସୁରେଶ ପୂଜାରୀ କହିଛନ୍ତି ଯେ, ଯଦି ସତସାହସ ଅଛି, ତେବେ ଓଡ଼ିଶାକୁ ନ୍ୟାୟ ଦେବା ପାଇଁ ସେମାନେ କଣ ପଦକ୍ଷେପ ନେଇଥିଲେ କୁହନ୍ତୁ । ତଥ୍ୟ ଆମ ପାଖରେ ଅଛି । ନିଜେ ହାରିବା ପାଇଁ କେଉଁ କେଉଁ ଘାତକ ଅସ୍ତ୍ର ତିଆରି କଲେ ଓ ଛତିଶଗଡକୁ ଦେଲେ ଆମେ କହିବୁ । ଆମେ କଣ ପଦକ୍ଷେପ ନେଇଛୁ ତାହା ଉପସ୍ଥାପନ କରିବୁ । ଓଡ଼ିଶାବାସୀ ଦେଖିବେ କିଏ ସାତ କହୁଛି କିଏ ମିଛ କହୁଛି । ପୂର୍ବ ସରକାର ଏତେ ଦିନ ପର୍ଯ୍ୟନ୍ତ ଓଡ଼ିଶା ପକ୍ଷ ରଖିବା ପାଇଁ ଯେଉଁ ଓକିଲମାନଙ୍କୁ ନିଯୁକ୍ତ କରିଥିଲେ, ୪୯ଟି ଶୁଣାଣି ହେଲା, କିନ୍ତୁ ପ୍ରକୃତ କାର୍ଯ୍ୟ ଘଣ୍ଟେ ମଧ୍ୟ ହୋଇନାହିଁ। ଟ୍ରିବ୍ୟୁନାଲରେ କେସ୍ ଚାଲିଛି, ଚାଲିବ। ଏ କେସକୁ ବଢ଼ାଇବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏବେ ଓଡ଼ିଶା ସରକାର ଓକିଲ ନିଯୁକ୍ତ କରିଛନ୍ତି । ଯଦି ଆବଶ୍ୟକ ପଡ଼ିବ ଆହୁରି ଓକିଲ ନିଯୁକ୍ତି କରାଯିବ । ନିଷ୍କର୍ଷ ବାହାରିବା ପର୍ଯ୍ୟନ୍ତ ପକ୍ଷ ରଖାଯିବ । କିନ୍ତୁ ଉଭୟ ରାଜ୍ୟ ମଧ୍ୟରେ  ସାଂସଦୀୟ ଗଣତନ୍ତ୍ରରେ ଆଲୋଚନା ବନ୍ଦ କରି ଦେବା କି ? ବିଜେଡି କଥାବାର୍ତ୍ତାରେ ବିଶ୍ୱାସ କରେ ନାହିଁ, ଆମେ ବିଶ୍ବାସ କରୁ । ଯଦି ଦେଶ - ଦେଶ ଭିତରେ କଥାବାର୍ତ୍ତା ହୋଇପାରୁଛି, ହେବେ ସଂସଦୀୟ ଗଣତନ୍ତ୍ରରେ ରାଜ୍ୟ-ରାଜ୍ୟ ଭିତରେ କଥାବାର୍ତ୍ତା ହେବା ଉଚିତ ନୁହେଁ କି ? 

'ବିନା ଅସ୍ତ୍ରରେ ଯୁଦ୍ଧ ହୁଏନା' : ରାଜସ୍ଵ ମନ୍ତ୍ରୀ

ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଟାର୍ଗେଟ୍ କରି ମନ୍ତ୍ରୀ କହିଛନ୍ତି, ପ୍ରସନ୍ନ ବାବୁଙ୍କ ଏହା ନିଜର ଭାଷା ନୁହେଁ। ତାଙ୍କୁ ଏଭଳି ଭାଷା ପ୍ରୟୋଗ କରିବା ପାଇଁ ବୋଧେ ବିଜେଡି କହିଥିବ । ବିଜେଡି ଚାହୁଁଛି କି ଏ ପ୍ରସଙ୍ଗରେ ଓଡ଼ିଶାର କ୍ଷତି ହେଉ । ବିଧାନସଭାରେ ଯଦି ସେମାନେ କଣ ପଦକ୍ଷେପ ନେଇଥିଲେ, ବିଜେପି ସରକାର କଣ ପଦକ୍ଷେପ ନେଇଛନ୍ତି, ଓଡ଼ିଶାବାସୀଙ୍କୁ ଜଣାଇବା ପାଇଁ ଚାହୁଁଛନ୍ତି । ତେବେ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି । କେତେ ଜଳ କମିବ ତାହାର ମଧ୍ୟ ତଥ୍ୟ ପୂର୍ବ ବିଜେଡି ସରକାର ପାଖରେ ନଥିଲା । ବିନା ଅସ୍ତ୍ରରେ ଯୁଦ୍ଧ କରିବାକୁ ଯାଇହୁଏ କି ? ନିଜେ ଅସ୍ତ୍ର ତିଆରି କରି ବିଜେଡି ଛତିଶଗଡକୁ ଦେଇଦେଲା । ନିରସ୍ତ୍ର ହୋଇ ଛତିଶଗଡ଼ ସହ ଲଢେଇ କଲା ଓ ଅପଦସ୍ତ ହେଲା । ଆଉ ଏବେ ଅନ୍ୟକୁ ଦୋଷ ଦେଉଛନ୍ତି । ତେଣୁ ଅନ୍ୟକୁ ଦୋଷ ନଦେଇ ଥରେ ଦର୍ପଣ ସାମ୍ନାରେ ଛିଡ଼ା ହୋଇ ନିଜକୁ ପଚାରନ୍ତୁ, ଓଡ଼ିଶା ପାଇଁ କଣ ନ୍ୟାୟ କରୁଛନ୍ତି ।

ବିଜେଡି ସରକାର ଯାହା କରିନଥିଲେ ତାହା କରିବାକୁ ଯନ୍ତ୍ରୀଙ୍କୁ କହିଛୁ

ଆନ୍ତଃ ମନ୍ତ୍ରୀ ସ୍ତରୀୟ କମିଟି ଆଲୋଚନା କାହିଁକି ବାତିଲ ହେଲା, ତାହା କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ସଂସଦରେ ଉତ୍ତର ଦେଇ ବିବାଦ ସମାଧାନ ପାଇଁ ଉଭୟ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି । ଟ୍ରିବ୍ୟୁନାଲ ମଧ୍ୟ ଉଭୟ ରାଜ୍ୟକୁ କଥାବାର୍ତ୍ତା ଆରମ୍ଭ କରିବାକୁ କହିଛି। ଓଡ଼ିଶା ସରକାର ମନ୍ତ୍ରୀ ସ୍ତରୀୟ କମିଟି ଗଠନ କରିଛନ୍ତି । ଛତିଶଗଡ଼ ସରକାର ମନ୍ତ୍ରୀ କମିଟି ଗଠନ କଲେ ଆଲୋଚନା ହେବ । ଆମେ ଛତିଶଗଡ଼ ଓ କେନ୍ଦ୍ର ସରକାର ଯୋଗାଯୋଗର ଅଛୁ। ବିଜେଡି ସରକାର ଯାହା କରିନଥିଲା । ତାହା କରିବା ପାଇଁ ଜଳ ସମ୍ପଦ ଯନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି ସରକାର । ଗତ ୧୦ ବର୍ଷ ଭିତରେ ଓଡ଼ିଶାକୁ ମହାନଦୀର କେତେ ପାଣି ଜଳସେଚନ ପାଇଁ ଆବଶ୍ୟକ ଥିଲା । ମୌସୁମୀ ସମୟରେ କେତେ, ଅଣ ମୌସୁମୀ ସମୟରେ କେତେ ? ବର୍ତ୍ତମାନ କେତେ ଆସୁଛି । କେତେ କମିଛି ? ଆଉ ଏବେ କେତେ ଆବଶ୍ୟକ ଅଛି । ଏ ସବୁ ତଥ୍ୟକୁ ଗବେଷଣା କରିବା ପାଇଁ ଯନ୍ତ୍ରୀ ମାନଙ୍କୁ କୁହାଯାଇଛି । 

ଏହି ଖବରଟିକୁ ପଢନ୍ତୁ- ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ କରିଡର ଶୁଭାରମ୍ଭ, ଓଡ଼ିଶା ଭିଜନ ୨୦୪୭ର ସାଜିବ ମୁଖ୍ୟ ଗ୍ରୋଥ୍ ଇଞ୍ଜିନ୍