ସରକାର ଗଠନ ପରେ ବି ରହିଛି ଅନେକ ଚ୍ୟାଲେଞ୍ଜ, ରାତି ୩ଟାରେ ଗୋଆର ହୋଟେଲରେ ପହଁଞ୍ଚିଲେ ସିନ୍ଦେ

ମୁମ୍ବାଇ,୨।୭: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଶୁକ୍ରବାର ବିଳମ୍ବିତ ରାତିରେ ଗୋଆର ତାଜ ହୋଟେଲରେ ପହଁଞ୍ଚିଥିଲେ, ଯେଉଁଠି ଶିବସେନାର ବିଦ୍ରୋହୀ ଗୋଷ୍ଠୀର ସବୁ ବିଧାୟକ ରହିଛନ୍ତି। ମୁଖ୍ୟମନ୍ତ୍ରୀ ସିନ୍ଦେ ଆଜି ମଧ୍ୟାହ୍ନରେ ବିଦ୍ରୋହୀ ଗୋଷ୍ଠୀର ବିଧାୟକଙ୍କ ସହିତ ମୁମ୍ବାଇ ଫେରିଆସିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଗୋଆ ହୋଟେଲରେ ଆଜି ଶିବସେନାର ବିଦ୍ରୋହୀ ଗୋଷ୍ଠୀର ବିଧାୟକଙ୍କ ବୈଠକ ହେବାର ଅଛି। ବୈଠକ ପରେ ବିଦ୍ରୋହୀ ଗୋଷ୍ଠୀର ମୁଖପାତ୍ର ଦୀପକ କେସରକର ସାମ୍ବାଦିକ ସମ୍ମିଳନୀ କରିବେ। ଏହାପରେ ସବୁ ବିଧାୟକ ଓ ମୁଖ୍ୟମନ୍ତ୍ରୀ ସିନ୍ଦେ ମୁମ୍ବାଇ ଅଭିମୁଖେ ବାହାରିବେ।
ମହାରାଷ୍ଟ୍ରରେ ୯ ଦିନ ପର୍ଯ୍ୟନ୍ତ ଚାଲିଥିବା ରାଜନୈତିକ ବିବାଦ ପରେ ଗୁରୁବାର ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଓ ବିଜେପିର ଦେବେନ୍ଦ୍ର ଫଡନାଭିସ୍ଉ ଉପ-ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ସିନ୍ଦେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ହୋଇଯାଇଛନ୍ତି, କିନ୍ତୁ ତାଙ୍କ ଆଗରେ ଚ୍ୟାଲେଞ୍ଜ ରହିଛି। ୩ ଜୁଲାଇରେ ମହାରାଷ୍ଟ୍ର ବିଧାନସଭା ଅଧିବେଶନ ଡକାଯିବ। ବିଧାନସଭାର ଏହି ଅଧିବେଶନରେ ବିଦ୍ରୋହୀ ନେତା ମଧ୍ୟ ପହଁଞ୍ଚିବେ। ଏହି ସମୟରେ ଉଦ୍ଧବ ଓ ସିନ୍ଦେ ଗୋଷ୍ଠୀର ଦାବି ମଧ୍ୟ ସ୍ପଷ୍ଟ ହୋଇଯିବ। କେତେ ବିଧାୟକ ସିନ୍ଦେଙ୍କୁ ସମର୍ଥନ କରିଛନ୍ତି। ଉଲ୍ଲେଖନୀୟ ଯେ, ସିନ୍ଦେ ନିଜ ପକ୍ଷରେ ୩୯ ବିଧାୟକ ଥିବାର ଦାବି କରିସାରିଛନ୍ତି। ଏହାପରେ ଉଦ୍ଧବଙ୍କ ଗୋଷ୍ଠୀ ପକ୍ଷରୁ ମଧ୍ୟ ଦାବି କରାଯାଇଥିଲା ଯେ, ବିଦ୍ରୋହୀ ବିଧାୟକଙ୍କ ଭିତରୁ କିଛି ଆମର ସମର୍ଥନ କରୁଛନ୍ତି। ଏହି ସ୍ଥିତିରେ ବିଧାନସଭାରେ ଅଧିବେଶନ ବେଳେ ଦୁଇ ଗୋଷ୍ଠୀର ଦାବି କେତେ ଠିକ୍ ତାହା ସ୍ପଷ୍ଟ ହୋଇଯିବ।