ରାପୟପୁର,୨୨।୩: ରବିବାର ଛତିଶଗଡ଼ର ମହାସମୁଦ୍ର ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ପ୍ରସିଦ୍ଧ ଖଲ୍ଲାରୀ ମାତା ମନ୍ଦିରରେ ଏକ ରୋପୱେ ଟ୍ରଲି ଭାଙ୍ଗିଯିବାରୁ ଅନେକ ଲୋକ ଆହତ ହୋଇଛନ୍ତି। ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ ସାତ ଜଣ ଆହତ ହୋଇଛନ୍ତି। ଅଧିକାରୀଙ୍କ ଅନୁଯାୟୀ, ମନ୍ଦିରରୁ ଟ୍ରଲିଟି ତଳକୁ ଓହ୍ଲାଉଥିଲା ବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହା ନିୟନ୍ତ୍ରଣ ହରାଇ ଦୁର୍ଘଟଣାର ଘଟାଇଥିଲା। ଏହି ଘଟଣା ପରେ ଘଟଣାସ୍ଥଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା।
ଦୁର୍ଘଟଣାର ପରେ କିଛି ଆହତଙ୍କ ସ୍ଥିତି ଖୁବ୍ ଗମ୍ଭୀର ବୋଲି କୁହାଯାଉଛି। ସ୍ଥାନୀୟ ପ୍ରଶାସନ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଁଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ଏହି ଘଟଣା ରବିବାର ସକାଳ ପ୍ରାୟ ୧୦ଟା ବେଳେ ଘଟିଛି। ଯେତେବେଳେ ମନ୍ଦିରରୁ ଶ୍ରଦ୍ଧାଳୁଙ୍କୁ ନେଇ ରୋପଓ୍ବେ ଟ୍ରଲି ତଳକୁ ଆସୁଥିଲା। ହଠାତ ଏହି ସମୟରେ ଟ୍ରଲିର କେବଲ ଛିଡି ଯାଇଥିଲା।
ଏହି ଦୁର୍ଘଟଣାରେ ଆୟୁଷି ସତକର ନାମକ ରାୟପୁରର ଜଣେ ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଆୟୁଷିଙ୍କ ପରିବାର ମଧ୍ୟ ନବରାତ୍ରୀ ଅବସରରେ ମାତାଙ୍କ ଦର୍ଶନ କରିବାକୁ ପହଁଞ୍ଚିଥିଲେ। ଦୁର୍ଘଟଣାରେ ଆହତ ଅନ୍ୟ ୭ ଜଣଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପଛରେ ଯାନ୍ତ୍ରିକ ତୃଟି କାରଣ ହୋଇପାରେ ବୋଲି କୁହାଯାଉଛି। ପ୍ରଶାସନ ମାମଲାର ଯାଞ୍ଚ ନିର୍ଦେଶ ଦେଇଛି ଓ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି। ଉଲ୍ଲେଖନୀୟ ଯେ, ଖଲ୍ଲାରି ମାତାଙ୍କ ମନ୍ଦିର ପ୍ରାୟ ୪୦୦୦ ଫୁଟ୍ ଉଚ୍ଚତାରେ ରହିଛି। ସେଠାରେ ପହଁଞ୍ଚିବା ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ରୋପଓ୍ବେର ସାହାରା ନେଇଥାନ୍ତି।