ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

କେନ୍ଦୁଝର, ୧୭/୦୩ : ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର। କେନ୍ଦୁଝର ଝୁମ୍ପୁରା ଥାନା ସାନ ହୁଣ୍ଡୁଳା ହୁଡ଼ିସାହିରେ ଶୁକ୍ରବାର ଜଣେ ମହିଳାଙ୍କ ଝୁଲନ୍ତା ମୃତଦ ଉଦ୍ଧାର ହୋଇଛି। ମହିଳା ଜଣକ ଗାଁ ନିକଟ ଏକ ପଳାସ ଗଛରେ ଶାଢୀରେ ଫାଶୀ ଲଗାଇ ଦେଇଛନ୍ତି। ମୃତ ମହିଳା ଜଣଙ୍କ ହୁଡ଼ିସାହିର ତରଣିସେନ ମୁଣ୍ଡାଙ୍କ ସ୍ତ୍ରୀ ଲକ୍ଷ୍ମୀ ମୁଣ୍ଡା (୨୫ ବର୍ଷ)।
ସୂଚନାନୁଯାୟୀ, ଲକ୍ଷ୍ମୀ ମୁଣ୍ଡା ତରଣିସେନ ମୁଣ୍ଡାଙ୍କୁ ବର୍ଷେ ଦେଢ଼ ବର୍ଷ ତଳେ ବିବାହ କରିଥିଲେ। ତରଣିସେନ ଚେନ୍ନାଇରେ ଶ୍ରମିକ ଭାବେ କାମ କରୁଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ଲକ୍ଷ୍ମୀଙ୍କ ମୃତଦେହ ଗୁରୁବାର ରାତି ସାଢେ ୮ଟାରେ ଉକ୍ତ ଗଛରେ ଝୁଲୁଥିବା ଦେଖିବାକୁ ମିଳିଥିଲା। କୌଣସି କାରଣରୁ ସେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଝୁମ୍ପୁରା ପୁଲିସ।