ପ୍ରମୂଖ ଖବର

ପାପ-ପୁଣ୍ୟର କ୍ଷେତ

          ଆମର ଶରୀର ଗୋଟିଏ କ୍ଷେତ ସମାନ, ଯେଉଁଠି ମନ, ବଚନ, କର୍ମ ତିନିଜଣ କୃଷକ ଥାଆନ୍ତି । ପାପ-ପୁଣ୍ୟ ରୂପରେ ଦୁଇ ପ୍ରକାର ବୀଜ ମନୁଷ୍ୟ ପାଖରେ ଥାଏ । ଏହା ବ୍ୟକ୍ତି ଉପରେ ନିର୍ଭର କରିଥାଏ, ସେ ନିଜ କ୍ଷେତରେ କ'ଣ ବୁଣିବାକୁ ଚାହୁଁଛି? ନିଜ ପାଇଁ କୋଉ ଫସଲର କାମନା କରୁଛି? କାହିଁକିନା ଯେମିତି ଫସଲ ବନେଇବ, ତାକୁ ସେମିତି ମିଠା ବା ଖଟା ଫଳ ଖାଇବାକୁ ମିଳିବ । ଏଥିରେ କୌଣସି ସନ୍ଦେହ ନାହିଁ । ତୁଳସୀ ଦାସ ନିମ୍ନ ଦୋହାରେ କହିଛନ୍ତି- ତୁଳସୀ କାୟା କ୍ଷେତ ହୈ, ମନଓ ଭୟେ କିସାନ । ପାପ ପୁଣ୍ୟ ଦୋ ବୀଜ ହେ, ବୁବୈ ସୋ ଲିବେ ନିଦାନ । ଅର୍ଥାତ୍‌- ଆମର ଶରୀର ଗୋଟିଏ କ୍ଷେତ, ଆମର ମନ ଗୋଟିଏ କୃଷକ । ପାପ-ପୁଣ୍ୟ ଦୁଇଟି ବୀଜ ତା’ ପାଖରେ ଥାଏ । କ୍ଷେତରେ ଯେଉଁଭଳି ବୀଜ ବୁଣି ଚାଷ କରିବ ସେମିତି ଫଳ ପାଇବ । ସେହିପରି ଶରୀର ରୂପୀ କୃଷକ ପାପ ଅଥବା ପୁଣ୍ୟ ଦୁହିଁଙ୍କ ମଧ୍ୟରୁ ଯାହାର ବୀଜ ପକେଇଥାଏ, ତାକୁ ସେହି ପ୍ରକାର ଫସଲ କାଟିବାକୁ ମିଳିଥାଏ । 

ମନୁଷ୍ୟର ମନ ଏହି ପାପ-ପୁଣ୍ୟ ଦୁହିଁଙ୍କ ମଧ୍ୟରୁ କୌଣସି ଗୋଟିଏରେ ଆକର୍ଷିତ ହୋଇଥାଏ । ପୁଣ୍ୟକର୍ମରେ ଭଲ ଫଳ ଆଉ ପାପ କର୍ମରେ ଖରାପ ଫଳ ମିଳିଥାଏ । ମନୁଷ୍ୟକୁ ନିଜର କର୍ମ କରିବା ସମୟରେ ସାବଧାନ ରହିବା ଜରୁରୀ । ତାକୁ ଏମିତି କର୍ମ କରିବା ଦରକାର ନାହିଁ, ଯେଉଁଥିରେ ନିଜ ଜୀବନରେ ଦୁଃଖ ଆଉ ଚିନ୍ତାର ସାମ୍‌ନା କରିବାକୁ ପଡିବ । ତା'ର ଜୀବନ ନରକ ହେଇଯିବ । ଶୁଭକାର୍ଯ୍ୟ ମନୁଷ୍ୟକୁ ସୁଖ-ସମୃଦ୍ଧି ଆଉ ଶାନ୍ତି ଦେଇଥାଏ । ଏହି କର୍ମ କରିବା ସମୟରେ ମନରେ ଗୋଟିଏ ଉତ୍ସାହ ଲାଗି ରହିଥାଏ । ସେଥିପାଇଁ ଏହି କର୍ମ ତାକୁ ଉର୍ଜା ପ୍ରଦାନ କରିଥାଏ । ପାପକର୍ମର ମାର୍ଗ ବହୁତ ଆକର୍ଷକ ହୋଇଥାଏ । ସେଥିପାଇଁ ମନୁଷ୍ୟ ଏହି ଭ୍ରମଜାଲରେ ଫସି ନିଜ ଗୋଡ଼ରେ ନିଜେ କୁରାଢ଼ି ମାରିଥାଏ । ଏହି ରାସ୍ତାରେ ବଢ଼ିଯିବା ସହଜ, କିନ୍ତୁ ଫେରିବାର କୌଣସି ରାସ୍ତା ନଥାଏ । ଶୁଭକର୍ମର ରାସ୍ତା ଲମ୍ବା ଆଉ ଚିନ୍ତାଜନକ ହୋଇଥାଏ । ଏହି ମାର୍ଗରେ ମନୁଷ୍ୟକୁ ବହୁତ କଷ୍ଟ ଉଠେଇବାକୁ ପଡ଼ିଥାଏ । ଯେଉଁଥିରେ ସେ ଡରିଯାଇ ଖରାପ ରାସ୍ତାକୁ ବାଛିନିଏ, ତାର ବିନାଶ ନିଶ୍ଚିତ ହୋଇଥାଏ । କିନ୍ତୁ ଯିଏ ଏହି କଠିନ ରାସ୍ତାକୁ ସହ୍ୟକରି ନିଜ ମାର୍ଗରେ ଦୃଢ଼ରେ ଥାଏ ସେ ଶେଷରେ ଜିତିଯାଏ । ତାକୁ ନିଜ ଜୀବନରେ ସୁଖ-ଶାନ୍ତି ପ୍ରାପ୍ତ ହୋଇଥାଏ । ପାପ-ପୁଣ୍ୟର ଯେଉଁ କର୍ମ ମନୁଷ୍ୟ କରିଥାଏ, କୌଣସି ବନ୍ଧୁବାନ୍ଧବ ଏହି କର୍ମରେ ସାଥୀ ହୋଇନଥାନ୍ତି । ତେବେ ମନୁଷ୍ୟ କାହାପାଇଁ ପାପକର୍ମ କରିଥାଏ? କେବଳ ତାକୁ ବିଚାର କରିବା ଜରୁରି । 

                                                            ମନୋଜ କୁମାର ବେହେରା / ମୋ: ୭୯୭୮୮୩୦୬୧୧

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.