ହାଇଦ୍ରାବାଦ,୦୧/୦୬: ବିଶ୍ୱ ସୁନ୍ଦରୀ-୨୦୨୫ ଫାଇନାଲ ମୁକାବିଲା ହାଇଦ୍ରାବାଦରେ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମାନସ୍ପଦ ବିଶ୍ୱ ସୁନ୍ଦରୀ ଟାଇଟଲ୍ ଜିତିଛନ୍ତି ଥାଇଲାଣ୍ଡର ଓପଲ ସୁଚାତା ଚୁଆଙ୍ଗଶ୍ରୀ । ଥାଇଲାଣ୍ଡ ସୁନ୍ଦରୀ ବିଶ୍ୱ ସୁନ୍ଦରୀ ମୁକୁଟ ପିନ୍ଧିଛନ୍ତି । ରନର୍-ଅପ୍ ହୋଇଛନ୍ତି ମିସ୍ ଇଥିଓପିଆ । ୩ୟ ସ୍ଥାନ ହାସଲ କରିଛନ୍ତି ମିସ୍ ପୋଲାଣ୍ଡ ଏବଂ ଚତୁର୍ଥରେ ଅଛନ୍ତି ମିସ୍ ମାର୍ଟିନିକ୍ୟୁ । ମିସ୍ ୱାର୍ଲ୍ଡ ୨୦୨୫ରେ ଭାରତର ସ୍ୱପ୍ନ ଭାଙ୍ଗିଛି । ଶୀର୍ଷ ୮ରେ ପହଞ୍ଚିପାରିଲେ ନାହିଁ ନନ୍ଦିନୀ ଗୁପ୍ତା । ସେ ୪୦ତମ ସ୍ଥାନରେ ରହିଛନ୍ତି ।
ଓପଲ ସୁଚାତା ମିସ୍ ୱର୍ଲଡ୍ ଥାଇଲାଣ୍ଡ-୨୦୨୫ ଟାଇଟଲ୍ ଜିତିବା ପରେ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାର ନୂଆ ଯାତ୍ରା ଆରମ୍ଭ କରିଥିଲେ । ୨୦୦୩, ମାର୍ଚ୍ଚ ୨୦ରେ ଥାଇଲାଣ୍ଡର ତଟୀୟ ସହର ଫୁକେଟରେ ଜନ୍ମଗ୍ରହଣ କରିଥିଲେ । ଜଣେ ହୋଟେଲ ମାଲିକଙ୍କ ଝିଅ ହୋଇଥିବାରୁ ଅତିଥି ସେବାକୁ ଦେଖି ଦେଖି ସେ ବଡ଼ ହୋଇଛନ୍ତି । ସେ ଥାଇ, ଇଂରାଜୀ ଓ ଚାଇନିଜ୍ ଭାଷା ଜାଣନ୍ତି । ବ୍ୟାଙ୍କକ୍ର ଟ୍ରିଆମ ଉଡୋମ୍ ସୁକ୍ସା ସ୍କୁଲରୁ ତାଙ୍କର ଶିକ୍ଷା ଆରମ୍ଭ ହୋଇଥିଲା । ସେଠାରେ ଚାଇନିଜ୍ ଅଧ୍ୟୟନ ଜରିଆରେ ଭାଷା ଓ ଅନ୍ତର୍ଜାତୀୟ ସଂସ୍କୃତି ପ୍ରତି ତାଙ୍କର ଉତ୍ସାହ ବଢ଼ିଥିଲା । ଏବେ ସେ ଥମ୍ମାସାଟ୍ ବିଶ୍ୱବିଦ୍ୟାଳୟରେ ରାଜନୀତି ବିଜ୍ଞାନ ଅଧ୍ୟୟନ ଜରିଆରେ ବୈଶ୍ୱିକ ମାମଲାରେ ଜ୍ଞାନ ଆହରଣ କରୁଛନ୍ତି । ଅନ୍ତର୍ଜାତୀୟ ସମ୍ପର୍କ ଉପରେ ତାଙ୍କର ଫୋକସ୍ ରହିଛି । ୧୬ ବର୍ଷ ବୟସରେ ତାଙ୍କ ସ୍ତନରେ ଗଣ୍ଠିର ସର୍ଜରୀ ହୋଇଥିଲା । ପରେ ସେ ‘ଓପଲ୍ ଫର୍ ହର୍’ ଅଭିଯାନ ଆରମ୍ଭ କରିଥିଲେ । ଏଥିରେ ସ୍ତନ ସ୍ୱାସ୍ଥ୍ୟ ସଚେତନତା ଓ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାର ଚିହ୍ନଟ ଉପରେ ଫୋକସ୍ କରିଥିଲେ ।
ଭାଙ୍ଗିଲା ଭାରତର ନନ୍ଦିନୀ ଗୁପ୍ତାଙ୍କ ସ୍ୱପ୍ନ- ଗତ ମେ’ ଆରମ୍ଭରୁ ହାଇଦ୍ରାବାଦରେ ୭୨ତମ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ଏଥିରେ ଶୀର୍ଷ ୮ ଜଣଙ୍କ ମଧ୍ୟରେ ସ୍ଥାନ ହାସଲ କରିବାରେ ବିଫଳ ହୋଇଥିଲେ ଭାରତର ନନ୍ଦୀନି ଗୁପ୍ତା । ଦମ୍ଦାର ପ୍ରଦର୍ଶନ ସତ୍ତ୍ୱେ ସେ ଫାଇନାଲ ରାଉଣ୍ଡ୍କୁ ପହଞ୍ଚି ପାରିଲେ ନାହିଁ । ଟାଇଟଲ୍ ହରାଇ ମଧ୍ୟ ସେ ଦେଶ ପାଇଁ ଗର୍ବ ଓ ଗୌରବର ପ୍ରତୀକ ହୋଇଛନ୍ତି । ମିସ୍ ରାଜସ୍ଥାନ ଟାଇଟଲ୍ ଜିତିବା ପରେ ସେ ମିସ୍ ଇଣ୍ଡିଆ-୨୦୨୩ ଟାଇଟଲ ଜିତିଥିଲେ । ୨୦ ତମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲେ । ହେଲେ ଟପ୍ ୮ରେ ରହିପାରିଲେ ନାହିଁ ନନ୍ଦିନୀ ଗୁପ୍ତା ।