ଭିସୁଟ୍ ଛାତ୍ରଛାତ୍ରୀଙ୍କୁ ମୋଦିଙ୍କ ପ୍ରଶଂସା

ନୂଆଦିଲ୍ଲୀ,୨୭ ।୧(ଏଜେନ୍ସି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କୀ ବାତ’ରେ ଦେଶବାସୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଭାବ ବିନିମୟ କରିଛନ୍ତି । ଏହି ଅବସରରେ ସେ ସମ୍ବଲପୁର ଜିଲ୍ଲା ବୁର୍ଲାସ୍ଥିତ ବୀରସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ)ର ମହାକାଶ ଗବେଷଣା ଓ ଉନ୍ନୟନ କାର୍ଯ୍ୟକ୍ରମ ଏବଂ ଏଥିସହ ଜଡିତ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି । କହିଛନ୍ତି ଆମର ମହକାଶ କାର୍ଯ୍ୟକ୍ରମରେ ବହୁ ଯୁବ ବୈଜ୍ଞାନିକଙ୍କ ଅବଦାନ ରହିଛି । ଛାତ୍ରଛାତ୍ରୀଙ୍କ ଦ୍ୱାରା ନିର୍ମିତ ଉପଗ୍ରହ ଓ ସାଉଣ୍ଡିଂ ରକେଟ ମହାକାଶରେ ପହଞ୍ଚିବା ଖୁସିର ବିଷୟ । ଓଡ଼ିଶା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ରକେଟ ଅନେକ କୀର୍ତ୍ତିମାନ ସ୍ଥାପନ କରିଛି । ସୂଚନାଯୋଗ୍ୟ ଯେ ଭିସୁଟ ଛାତ୍ରଛାତ୍ରୀଙ୍କ ଦ୍ୱାରା ନିର୍ମିତ ସାଉଣ୍ଡିଂ ରକେଟ ଲଞ୍ଚ ଭେହିକିଲ-ଭିସୁଟ ସାଟେଲାଇଟ ଲଞ୍ଚ ଭେହିକିଲ୍ (ଭିଏସ୍ଏଲ୍ଭି) ର ଉଡାଣ ୩ଥର ସଫଳ ହୋଇଛି । ଭିଏସ୍ଏଲଭି ହେଉଛି ଏସିଆ ମହାଦେଶରେ ପ୍ରଥମ ଛାତ୍ରଛାତ୍ରୀଙ୍କ ଦ୍ୱାରା ନିର୍ମିତ ରକେଟ । ଭିସୁଟର ଇଲେକ୍ଟ୍ରିକାଲ, ମେକାନିକାଲ ଓ ସିଭିଲ ଇଞ୍ଜିନିୟିରଂ ବିଭାଗର ଛାତ୍ରଛାତ୍ରୀ ଏହାର ନିର୍ମାଣ କରିଛନ୍ତି । ଏଥିପାଇଁ ଭିସୁଟ ଗତବର୍ଷ ଲିମ୍କା ବୁକ୍ ଅଫ ରେକର୍ଡସରେ ସ୍ଥାନ ପାଇଥିଲା । ସେହିଭଳି ରକେଟ ନିର୍ମାଣକାରୀ ଭାରତର ପ୍ରଥମ ଛାତ୍ରଛାତ୍ରୀ ଟିମ୍ ଭାବେ ଭିସୁଟ୍ର ଏହି ରକେଟ ନିର୍ମାଣକାରୀ ଟିମ୍ ମଧ୍ୟ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛି । ୩୦ ଜଣିଆ ଛାତ୍ରଛାତ୍ରୀଙ୍କୁ ନେଇ ଗଠିତ ଏହି ଟିମ୍ ପକ୍ଷରୁ ଏକ କ୍ୟାନ୍ ସାଟେଲାଇଟ୍ (କ୍ୟାନସାଟ୍) ନିର୍ମାଣ କରାଯାଇଥିଲା, ଯାହାକି ହୀରାକୁଦ ଡ୍ୟାମ ପରିଚାଳନା କ୍ଷେତ୍ରରେ ନିୟୋଜିତ ହୋଇଥିଲା । ଏହି ମିନି ସାଟେଲାଇଟ ଦ୍ୱାରା ହୀରାକୁଦ ନଦୀବନ୍ଧର ସ୍ଥିତି, ଜଳପ୍ରବାହ, ବନ୍ୟା ନିୟନ୍ତ୍ରଣ, ଜଳସେଚନ ଓ ଜଳବିଦ୍ୟୁତ ଉôପାଦନ ଆଦି ଅନୁଧ୍ୟାନ କରାଯାଇପାରିବ । ୨୦୧୭ରେ ଇସ୍ରୋ ପକ୍ଷରୁ ଆୟୋଜିତ ଏରୋସ୍ପେସ ଏକ୍ସପୋରେ ଭିଏସ୍ଏଲ୍ଭି ରକେଟ ଓ ସାଟେଲାଇଟ୍ ନିର୍ମାଣକାରୀ ଟିମ୍କୁ ପ୍ରଥମ ପୁରସ୍କାର ମିଳିଥିଲା ।