ନୂଆଦିଲ୍ଲୀ,୮।୮: ୟୁପିଆଇ ଜରିଆରେ ଏବେ ଥରକେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ କରିପାରିବେ। ବର୍ତ୍ତମାନ ଏହି ସୀମା ଏକ ଲକ୍ଷ ଟଙ୍କା ରହିଛି। ଆରବିଆଇ ଗର୍ଭନର ଶକ୍ତିକାନ୍ତ ଦାନ ମୁଦ୍ରା ନୀତି କମିଟିରେ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଚେକ୍ କ୍ଲିୟରାନ୍ସ ମାତ୍ର କିଛି ଘଣ୍ଟାରେ କରିବା ପାଇଁ ପଦକ୍ଷେପ ନେବାର ପ୍ରସ୍ତାବ ରହିଛି। ସେ ପୁରୁଣା ହୋମ୍ ଲୋନ୍ ଉପରେ ଅତିରିକ୍ତ ଋଣ(ଟପ୍-ଅପ୍ ହୋମ୍ ଲୋନ୍) ନେବାର ପ୍ରବୃତ୍ତି ଉପରେ ଚିନ୍ତା ପ୍ରକାଶ କରିଛନ୍ତି।
ଆରବିଆଇ ଏମ୍ପିସି ଅଗଷ୍ଠର ନୀତି ବୈଠକରେ ରେପୋ ରେଟ୍ ଓ ମୁଦ୍ରା ନୀତିକୁ ଅପରିବର୍ତ୍ତିତ ରଖିବା ନେଇ ନିଷ୍ପତ୍ତି ନେଇଛନ୍ତି। ଗର୍ଭନର ଶକ୍ତିକାନ୍ତ ଦାସ ଘୋଷଣା କରିଛନ୍ତି ଯେ, ଏମ୍ପିସି ରେପୋ ରେଟ୍କୁ ୪:୨ ବହୁମତରେ ୬.୫ % ରେ ଅପରିବର୍ତ୍ତିତ ରଖିବାର ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ହେଉଛି ଆପଣଙ୍କ ଋଣ କିସ୍ତି(EMI) ବଢିବ ନାହିଁ କି ହ୍ରାସ ପାଇବ ନାହିଁ। କ୍ରମାଗତ ଅଷ୍ଟମ ଥର ପାଇଁ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍କୁ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛି। ସେପଟେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଜିଡିପି ଅଭିବୃଦ୍ଧି ହାର ୭.୨ ପ୍ରତିଶତ ହେବ ବୋଲି ଆକଳନ କରିଛି ଆର୍ବିଆଇ। ଏହାର ଅର୍ଥ ହେଉଛି ଯେ କେନ୍ଦ୍ରୀୟ ବ୍ୟାଙ୍କ ଜିଡିପି ଅଭିବୃଦ୍ଧି ଆକଳନକୁ ପରିବର୍ତ୍ତନ କରିନାହିଁ।