ପ୍ରମୂଖ ଖବର

ମ.ରାମପୁର ରେଞ୍ଜ : ଦନ୍ତାହାତୀ ମୃତ, କାରଣ ଅସ୍ପଷ୍ଟ

ମ.ରାମପୁର,୭/୫ : କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅଧିନସ୍ଥ ମ.ରାମପୁର ରେଞ୍ଜ ଅଞ୍ଚଳରେ ଆଜି ଏକ ଦନ୍ତା ହାତୀର ମୃତ୍ୟୁ ହେଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ମ.ରାମପୁର ରେଞ୍ଜ ଅଧୀନ ଗୌଡ଼ କେଲା ଗ୍ରାମ ନିକଟରେ ଧାନ ବିଲରେ ଆଜି ଦିନ ବେଳା ଏକ ଦନ୍ତାହାତୀ ମରି ପଡ଼ିଥିବା ଦେଖି ଗାଁ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ତେବେ ସନ୍ଧ୍ୟା ସୁଦ୍ଧା ମ.ରାମପୁର ରେଞ୍ଜ ଅଧିକାରୀ ତଥା ଏସିସିଏଫ୍ ଅସିତ୍ କୁମାର ଦାଶଙ୍କ ନେତୃତ୍ୱରେ ସଦଳେବଳେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । 

ତେବେ ସେ ନିଜ ପ୍ରତିକ୍ରିୟାରେ ଆସନ୍ତାକାଲି ପ୍ରାଣୀ ସମ୍ପଦ ବିଭାଗ ଡାକ୍ତରୀ ଦଳ ଦ୍ବାରା ପୋଷ୍ଟ ମର୍ଟମ୍ କରାଯିବା ପରେ ଘଟଣାର ସମ୍ପୂର୍ଣ୍ଣ ଦତନ୍ତ ପରେ ହାତୀ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି କହିଛନ୍ତି । ହାତୀଟି ଧାନ ଫସଲ ଖାଇବାକୁ ଆସିଥିବାବେଳେ କୌଣସି କାରଣରୁ ମୃତ୍ୟୁ ଘଟିଛି । ଗାଁ ଲୋକଙ୍କ କହିବା ମୁତାବକ ଗତ ବିଳମ୍ବିତ ରାତିରେ ହାତୀର ଚିତ୍କାର ଶୁଣିବାକୁ ମିଳିଥିଲା । ତେବେ ଏହି ଅଞ୍ଚଳରେ ବର୍ଷର ସବୁ ସମୟରେ ହାତୀର ଚଳ ପ୍ରଚଳ ରହିଥାଏ, ତେଣୁ କେହି ଏହାକୁ ଗୁରୁତ୍ବ ଦେଇ ନ ଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ମୃତ୍ୟୁ କାରଣ ଜାଣିବା ପାଇଁ ବିଦ୍ୟୁତ୍ ବିଭାଗ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିବା ସହ ରାଜସ୍ବ ବିଭାଗ ମଧ୍ୟ ଜମି ଚିହ୍ନଟ ପାଇଁ ପହଞ୍ଚିଛି । ରାତି ହେଇ ଯିବା କାରଣରୁ ସମସ୍ତ ତଦନ୍ତ ଆସନ୍ତାକାଲି ସକାଳୁ ହେବ ଏବଂ ବର୍ତ୍ତମାନ ମୃତ ହାତୀଟିକୁ ବନ ବିଭାଗ କର୍ମଚାରୀ ମାନେ ଜଗି ରହିବାର ବ୍ୟବସ୍ଥା କରୁଥିବା ଦେଖାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.