ବାରଙ୍ଗ,୩୦/୦୩: ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନନ୍ଦନକାନ କର୍ତ୍ତୃପକ୍ଷ ଜୀବଜନ୍ତୁ ଓ ପର୍ଯ୍ୟଟକଙ୍କ ସୁରକ୍ଷା ନିମନ୍ତେ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପ୍ରାୟ ୩୧୯ କୁଆଡ଼ରେ ୧୭୯ ପ୍ରଜାତିର ୪୨ଶହରୁ ଅଧିକ ଜୀବଜନ୍ତୁ ଅଛନ୍ତି । ସେଥିମଧ୍ୟରୁ ୧୧୫ ପ୍ରଜାତି ଭାରତୀୟ ଓ ୬୪ ପ୍ରଜାତି ବିଦେଶୀ । ତେଣୁ ସମସ୍ତଙ୍କ ଶାରୀରିକ ଗଠନ, ପରିସଂସ୍ଥାନ ଓ ଆବଶ୍ୟକତା ଅନୁଯାୟୀ ଉପଯୁକ୍ତ ବ୍ୟବସ୍ଥା କରାଯାଇଛି । କେଉଁଠି ଖୁଆଡ଼ ଉପରେ ନଡ଼ା ଓ ବାଉଁଶ ତାଟି ପଡ଼ିଛି ତ କେଉଁଠି ତାର ଜାଲିରେ ଟଙ୍ଗାଯାଇଛି ବେଣାଚେର । ଖରା ବଢ଼ିଲେ ଖୁଆଡ଼ ବାହାରେ ଚାଲୁଛି ସ୍ପ୍ରିଙ୍କଲର । ଖୁଆଡ଼ ଭିତରେ ଲଗାଯାଉଛି ଫ୍ୟାନ ଓ କୁଲର । ଜୀବଜନ୍ତୁଙ୍କ ଦରକାର ଅନୁଯାଇ ଥଣ୍ଡା ପାନୀୟ, ଓଆରଏସ୍ ପାଣି, ଆଖୁରସ, ତରଭୂଜ ଓ ଆଇସକ୍ରିମ ଫଳ ଖାଇବାକୁ ଦିଆଯାଉଛି ।
ହାତୀକୁ ଖରା ପ୍ରକୋପରୁ ରକ୍ଷା କରିବା ପାଇଁ ମୁଣ୍ଡରେ ଜଡ଼ା ତେଲ ଲଗାଯାଉଛି । ଖୁଆଡ଼ ପୁଷ୍କରିଣୀରେ ଗାଧୋଇ ଦେବା ସହିତ ଖୁଆଡ଼ରେ ସ୍ପିଙ୍କଲର ଲଗାଯାଇଛି । ଖରା ବଢ଼ିଲେ ସିଞ୍ଚନ କରାଯିବ । ସେହିପରି ପ୍ରାଣୀ ଉଦ୍ୟାନର ମୁଖ୍ୟ ଆକର୍ଷଣ ସାଜିଥିବା ତିନୋଟି ଜିରାଫ୍ ପାଇଁ ଖୁଆଡ ଭିତରେ ଓ ବାହାରେ ସ୍ପ୍ରିଙ୍କଲର୍ ଲଗାଯାଇଛି । ମଣିଷ ପରି ଗରମ ସହି ପାରୁନଥୁବା ଜନ୍ତୁଙ୍କ ମଧ୍ୟରେ ରହିଛନ୍ତି ସିମ୍ପାଞ୍ଜି, ହୁଲୁକ ଗିବନ, ବିଦେଶୀ ମାଙ୍କଡ଼ । ସେମାନଙ୍କୁ କର୍ତ୍ତୃପକ୍ଷ ବିଶେଷ ଧ୍ୟାନ ଦେଇଛନ୍ତି । ଖୁଆଡ଼ରେ ଫ୍ୟାନ ଓ କୁଲର ଲଗାଯାଇଛି । ଖାଇବାକୁ ତରଭୁଜ, କାକୁଡ଼ି ସହିତ ଓଆରଏସ୍ ପାଣି ପିଇବାକୁ ଦିଆଯାଉଛି । ତୃଣଭୋଜି ପ୍ରାଣୀମାନଙ୍କ ପାଇଁ ଖୁଆଡ଼ ମଧ୍ୟରେ ଛାଇ କରାଯାଇଛି । ବଡ଼ କୁଣ୍ଡ କରାଯାଇ ପ୍ରଚୁର ଥଣ୍ଡା ପାଣିର ବ୍ୟବସ୍ଥା କରାଯାଇଛି ।
ଅଧିକ ପଢ଼ନ୍ତୁ :- ଆହୁରି ୫ ଦିନ ଯାଏ କାଳବୈଶାଖୀ: ୨ ଦିନ ପରେ ୩ ଡିଗ୍ରୀ ବଢ଼ିବ ତାପମାତ୍ରା
ପକ୍ଷୀମାନଙ୍କ ଖୁଆଡ଼ ଉପରେ ନଡ଼ା ପକାଯାଇଛି । ଖୁଆଡ଼ ଥଣ୍ଡା ରଖିବା ପାଇଁ ଫୁଗର ଲଗାଯାଇଛି । ଅଧିକ ଗରମ ହେଲେ ତାରଜାଲିରେ ବେଣା ଚେର ବନ୍ଧାଯାଇ ପାଣି ସିଞ୍ଚନ କରାଯିବ । ଖାଇବା ପାଇଁ ବିଭିନ୍ନ ମିଠାଫଳ ଓ ତରଭୂଜ ଦିଆଯାଉଛି । ବାଘ, ଭାଲୁ, ସିଂହ ଖୁଆଡ଼ରେ ସ୍ପିଙ୍କଲର ଲଗାଯାଇ ସକାଳ ୧୦ଟାରୁ ଅପରାହ୍ଣ ପର୍ଯ୍ୟନ୍ତ ଚଲାଯାଉଛି । ଖୁଆଡ଼ ପାଣି ଟାଙ୍କିରେ ଥଣ୍ଡାପାଣିର ବ୍ୟବସ୍ଥା କରାଯାଇଛି । ଅଧିକ ଖରାହେଲେ ଫିଡିଂ ଚ୍ୟାମ୍ବରରେ ବରଫ ଖଣ୍ଡ ରଖାଯିବା ସହିତ ପାନୀୟଜଳ ପାଇଁ ଉର୍ଦ୍ଦିଷ୍ଟ କୁଣ୍ଡରେ ବରଫ ପକାଯିବ । ଦିନସାରା ବାଘ, ଭାଲୁ, ସିଂହ ଓ ବିଭିନ୍ନ ତୃଣଭୋଜୀ ପ୍ରାଣୀମାନେ ଛାଇରେ ଲୁଚି ରହିଥାନ୍ତି । ଫଳରେ ପର୍ଯ୍ୟଟକ ସେମାନଙ୍କୁ ଦେଖିବାରୁ ବଞ୍ଚିତ ହୁଅନ୍ତି । ତେଣୁ ଖୁଆଡ଼ ମଧ୍ୟ ଭାଗରେ ପାଣିକୁଣ୍ଡ କରାଯାଇ ତା’ଉପରେ ଛାମୁଣ୍ଡିଆ କରାଯାଇଛି । ପାଣିରେ ବରଫ ପକାଗଲେ ସେମାନେ ପାଣିରେ ବୁଡ଼ି ରହିବେ । ଫଳରେ ପର୍ଯ୍ୟଟକମାନେ ଖରା ସମୟରେ ମଧ୍ୟ ଜୀବଜନ୍ତୁଙ୍କୁ ବାହାରେ ଦେଖି ପାରିବେ । ସରୀସୃପ ପ୍ରାଣୀ ବିଶେଷ କରି ଏଗୁଆନା ଓ ଆନାକୋଣ୍ଡା ଖୁଆଡ଼ ଥଣ୍ଡା ରଖିବା ପାଇଁ ଫୁଗର ଲଗାଯାଇଛି । କିଛି ଯନ୍ତୁଙ୍କୁ ଆଇସ୍କ୍ରିମ କରି ଖାଇବାକୁ ଦିଆଯାଉଛି । ଅଂଶୁଘାତରୁ ସୁରକ୍ଷା ପାଇଁ ଜୀବଜନ୍ତୁଙ୍କ ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦିଆଯାଉଛି । ପ୍ରାଣୀ ଚିକିତ୍ସକ ଓ ଜନ୍ତୁ ବିଭାଗର ଅଧିକାରୀଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଛି । ଏହା ଟିମ୍ ଦିନ ସାରା ପ୍ରତ୍ୟେକ ଖୁଆଡ ବୁଲି ତଦାରଖ କରିବେ । ସେହିପର ପର୍ଯ୍ୟଟକଙ୍କ ପାଇଁ ମଧ୍ୟ ସୁବ୍ୟବସ୍ଥା କରାଯାଇଛି । ବିଶେଷ କରି ସେମାନଙ୍କ ପାଇଁ ଥଣ୍ଡା ପାନୀୟଜଳର ବ୍ୟବସ୍ଥା ହୋଇଛି । ସ୍ଥାୟୀ ପାଣି ପଏଣ୍ଟ ସହିତ ଅସ୍ଥାୟୀ ପଏଣ୍ଟ ଖୋଲାଯାଇଛି । ଦୁଇଟି ଗାଡ଼ି ବୁଲି ଦିନସାରା ସବୁ ଅସ୍ଥାୟୀ ସ୍ଥାନରେ ପାଣି ପହଞ୍ଚାଇବେ । ପର୍ଯ୍ୟଟକ ବୁଲିବା ସମୟରେ ଅସୁସ୍ଥତା ଅନୁଭବ କଲେ ପ୍ରାଥମିକ ଚିକିତ୍ସା ସହିତ ଓଆରଏସ୍ ପାଣି ଯୋଗାଇ ଦିଆଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।