ଦକ୍ଷିଣ ଓଡ଼ିଶା ପାଇଁ ଭଣ୍ଡାର ଖୋଲିଲେ

ଜୟପୁର/ନବରଙ୍ଗପୁର/ଉମରକୋଟ, ୫ା୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଅବିଭକ୍ତ କୋରାପୁଟ ଜିଲ୍ଲା ଗସ୍ତରେ ଆସି ବହୁ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ କରିବା ସହ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାବାସୀଙ୍କ ପାଇଁ ପ୍ରାୟ ୩ ହଜାର କୋଟି ଟଙ୍କାର ଅନୁଦାନ ପସରା ଖୋଲି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ବହୁ ପ୍ରତୀକ୍ଷିତ ତେଲିଙ୍ଗିରି ଜଳସେଚନ ପ୍ରକଳ୍ପକୁ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ସହ ଏହି ସେଚ ପ୍ରକଳ୍ପ ଅଞ୍ଚଳର ୯୯୫୨ ହେକ୍ଟର ଜମିକୁ ଜଳ ଯୋଗାଇବ ବୋଲି ଆଶା ବ୍ୟକ୍ତ କରିଛନ୍ତି । ନବୀନ କହିଛନ୍ତି, କେନ୍ଦ୍ରର ଏନ୍ଡିଏ ସରକାର କେବିକେ ଅଞ୍ଚଳର ଯୋଜନା ବନ୍ଦ କରି ଚାଲିଛନ୍ତି । ମାତ୍ର ରାଜ୍ୟ ସରକାର କେବିକେର ବିକାଶ କାର୍ଯ୍ୟକୁ ବନ୍ଦ କରିବାକୁ ଦେବେ ନାହିଁ । ନିଜ ପାଣ୍ଠିରୁ ବିଜୁ କେବିକେ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଆଗକୁ ବି ବିକାଶ କାମ ଜାରି ରହିବ ବୋଲି ନବୀନ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।
ଜୟପୁର ବ୍ଲକ ବାଙ୍କବିଜାରେ ଆୟୋଜିତ ଯୁବ ସମାବେଶରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ତେଲିଙ୍ଗିରି ମଧ୍ୟମ ଜଳସେଚନ ପ୍ରକଳ୍ପ ଉଦ୍ଘାଟନ ହେଲା । ‘ଆପଣମାନେ ଖୁସି ତ? ଆଜି ଏଭଳି କହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁବକମାନଙ୍କୁ ଉତ୍ସାହିତ କରିଛନ୍ତି । ରାଜ୍ୟ ବିଜୁ ଯୁବ ବାହିନୀର ସିଇଓ ଅରୁପ ମୋହନ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାବେଶରେ ମୁଖ୍ୟମନ୍ତ୍ରୀ କହିଛନ୍ତି, କେବିକେ ଜିଲ୍ଲାରେ ଯୋଗାଯୋଗର ଉନ୍ନତି ପାଇଁ ରାଜ୍ୟ ସରକାର ପ୍ରାଥମିକତା ଦେଇ ଆସୁଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ପ୍ରକଳ୍ପ ଦ୍ୱାରା ଆଦିବାସୀ ଅଧ୍ୟୁଷିତ ଜୟପୁର ଓ ବୋରିଗୁମ୍ମା ବ୍ଲକର ୫୨ଟି ଗ୍ରାମର ଲୋକେ ଉପକୃତ ହେବେ । ଅଞ୍ଚଳର ପ୍ରାୟ ୯୯୫୨ ହେକ୍ଟର ଜମିରେ ଜଳସେଚନର କୌଣସି ଅସୁବିଧା ରହିବନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଜୟପୁର ଓ କୋରାପୁଟରେ ବିକାଶ ପାଇଁ ମୁରାନ୍ ଡ୍ୟାମର ଗିର୍ଲିଗୁମ୍ମା, କୋଲାବ ନଦୀର ନନ୍ଦପୁର-ଲମତାପୁଟର ବନମାଳିପୁଟ ଏବଂ କୋଲାବ ଜଳଭଣ୍ଡାରର କୋଲାବ-ସୁକୁ ରୋଡ୍ରେ ତିନିଟି ହାଇଲେଭଲ୍ ବ୍ରିଜ୍ ନିର୍ମାଣ କରାଯିବ । ଜଳସେଚନର ଉନ୍ନତି ପାଇଁ ତେଲିଙ୍ଗିରି ଓ କୁନ୍ଦୁରାରେ ପ୍ରକଳ୍ପ କାମ ଶେଷ ହୋଇଛି । ଅନ୍ୟାନ୍ୟ ପ୍ରକଳ୍ପ ବାବଦରେ ୨ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ଘୋଷଣା କରିଛନ୍ତି । ଏହି ଅବସରରେ ଯୁବବାହିନୀର କର୍ମକର୍ତ୍ତାମାନେ ବନୀକରଣ ସମ୍ପର୍କରେ ନିଜ ନିଜ ଅନୁଭୂତି ବାଣ୍ଟିଥିଲେ । ପରେ ‘ଜମି’ ଯୋଜନାରେ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରିଥିଲେ ମୁଖ୍ୟମନ୍ତ୍ରୀ । ରିମୋଟ୍ ମାଧ୍ୟମରେ ତେଲିଙ୍ଗିରି ପ୍ରକଳ୍ପ ଓ କୁନ୍ଦୁରା ବ୍ଲକର ଜଳସେଚନ ପ୍ରକଳ୍ପକୁ ଲୋକାର୍ପିତ କରିଥିଲେ । କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ୯୪ଟି ପ୍ରକଳ୍ପର ଉଦ୍ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ୪ଟି ଜିଲ୍ଲାର ୩୦ ହଜାରରୁ ଅଧିକ ବିଜୁ ଯୁବବାହିନୀର ସଭ୍ୟ ଯୋଗ ଦେଇଥିଲେ ।
ଜୟପୁର ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବରଙ୍ଗପୁର ଜିଲ୍ଲା ଉମରକୋଟ ଷ୍ଟାଡିୟମ୍ ପଡ଼ିଆରେ ଆୟୋଜିତ ବିକାଶ ସମାବେଶରେ ଯୋଗଦେଇଥିଲେ । ନିଜ ବକ୍ତବ୍ୟରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରର ଅବହେଳା ବିରୋଧରେ ସ୍ୱର ଉଠାଇଥିଲେ । ନବୀନ କହିଥିଲେ, କେନ୍ଦ୍ର ଅନୁସୂଚିତ ଜନଜାତି ପିଲାଙ୍କ ଷ୍ଟାଇପେଣ୍ଡ ବନ୍ଦ କରିଛି । ଓଡ଼ିଶା ସରକାର ନିଜ ପାଣ୍ଠିରୁ ଷ୍ଟାଇପେଣ୍ଡ ଦେବାର ବ୍ୟବସ୍ଥା କରିଛନ୍ତି । ଉମରକୋଟର ବଙ୍ଗାଳି ସଂପ୍ରଦାୟର ବିକାଶ ପାଇଁ ଅନେକ କାର୍ଯ୍ୟ କରାଯାଇଛି । ଆଗକୁ ମଧ୍ୟ ବିକାଶ କାର୍ଯ୍ୟ ଜାରି ରହିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବରଙ୍ଗପୁର ଜିଲ୍ଲାର ୧୦୯୬ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ୧୬ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ତା’ସହ ୧୯ କୋଟି ଟଙ୍କାର ୧୨ଟି ପ୍ରକଳ୍ପର ଉଦ୍ଘାଟନ କରିଥିଲେ । ଏଥିସହ ୨୫୨୦ ଜଣ ନିର୍ମାଣ ଶ୍ରମିକଙ୍କୁ ସାଇକେଲ, ୩ ହଜାର ଶ୍ରମିକଙ୍କୁ ଯନ୍ତ୍ରପାତି ସୁରକ୍ଷା କିଟ୍, ୯୭୪ ଜଣ ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର, ୧୫୧୧ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା, ୨୪୦୦ ହିତାଧିକାରୀଙ୍କୁ ବାସଉପଯୋଗୀ ପଟ୍ଟା ବଣ୍ଟନ କରିବା ସହ ମଧୁବାବୁ ପେନ୍ସନ ଯୋଜନାରେ ବର୍ଦ୍ଧିତ ଭତ୍ତାର ଶୁଭାରମ୍ଭ କରିଥିଲେ । ଆଇଟିଡିଏ ଦ୍ୱାରା ୧୮୦ ଜଣଙ୍କୁ ପମ୍ପସେଟ୍ ଏବଂ ଉମରକୋଟ ବ୍ଲକର ମିଶନ ଶକ୍ତି ସଂଘକୁ ୨୫ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଥିଲେ ।
ଆଦିବାସୀ କଲ୍ୟାଣ ତଥା ପଞ୍ଚାୟତିରାଜ ମନ୍ତ୍ରୀ ରମେଶ ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ମନୋହର ରନ୍ଧାରୀ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଭଗବତୀ ଭତ୍ରା, ଉପାଧ୍ୟକ୍ଷା ନିବେଦିତା ମହାନ୍ତି, ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ଉମରକୋଟ ବିଧାୟକ ସୁବାସ ଗଣ୍ଡ, କାଜୁ ନିଗମ ଅଧ୍ୟକ୍ଷ ମୁନ୍ନା ଖାଁ, ବ୍ରହ୍ମଗିରି ବିଧାୟକ ସଞ୍ଜୟ ଦାସବର୍ମା, ଜିଲ୍ଲା ବିଜେଡି ସଭାପତି ପ୍ରହଲ୍ଲାଦ ତ୍ରିପାଠୀ, ମନ୍ତ୍ରୀ ପ୍ରତିନିଧି ପ୍ରମୋଦ ପାଢୀ, ଜିଲ୍ଲାପାଳ ଡ. ଅଜିତ କୁମାର ମିଶ୍ର, ଉପଜିଲ୍ଲାପାଳ କରୁଣାକର ରାଇକା ପ୍ରମୁଖ ଯୋଗଦେଇଥିଲେ । କେନ୍ଦ୍ର ସରକାରଙ୍କ ଓଡ଼ିଶା ପ୍ରତି ଅବହେଳାକୁ ନେଇ ୪ ମିନିଟ୍ର ଭିଡିଓ ପ୍ରଦର୍ଶିତ ହୋଇଥିଲା ।