ନେତାଜୀ ସୁବାଷ ବୋଷଙ୍କ ଦେଶଭକ୍ତି, ସାହସିକତା ଅତୁଳନୀୟ

ଭୋଗରାଇ,୨୩/୧,(ଆ.ପ୍ର.) ସ୍ବାଧୀନତା ଆନ୍ଦୋଳନର ଅଗ୍ରଯୋଦ୍ଧା,ସାଲିସହୀନ ନେତୃତ୍ବ,ସ୍ବାଧୀନଚେତା ବ୍ୟକ୍ତିତ୍ଵ,ମହାନ ବିପ୍ଳବୀ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଦେଶଭକ୍ତି,ସାହସିକତା ଓ ପରାକ୍ରମ ଅତୁଳନୀୟ। ଭାରତ ବର୍ଷ ସ୍ବାଧୀନତା ହାସଲ କରିବା ପୂର୍ବରୁ ସେ ଭାରତ ସୀମାରେ ସ୍ବାଧୀନ ଭାରତ ସରକାର ଗଢି ସମସ୍ତ ଭାରତୀୟଙ୍କ ମଧ୍ୟରେ ନୂତନ ଉନ୍ମାଦନା ଓ ସମ୍ଭାବନା ସୃଷ୍ଟି କରିଥିଲେ। ତାଙ୍କର ନୀତି,ଆଦର୍ଶ ଚିର ଦିନ ପାଇଁ ଜନମାନସରେ ଅମଳିନ ଓ ଅମର ହୋଇ ରହିବ ବୋଲି ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ମହାଗବ ରୋଡ କରିହଣ୍ଡା ସ୍ଥିତ ନେତାଜୀ ଇଂଲିଶ ମିଡିୟମ ସ୍କୁଲର ବାର୍ଷିକୋତ୍ସବ ଅବସରରେ ମତପ୍ରକାଶ ପାଇଛି।
ନେତାଜୀଙ୍କ ୧୨୬ ତମ ଜୟନ୍ତୀ ପାଳନ ଓ ନେତାଜୀ ଇଂଲିଶ ମିଡିୟମ ସ୍କୁଲର ବାର୍ଷିକ ଉତ୍ସବ ଅବସରରେ ଅନୁଷ୍ଠିତ ସଭାରେ ସ୍କୁଲ ପରିଚାଳନା କମିଟିର ସଭାପତି ପ୍ରିୟବ୍ରତ ଦାଶ ଅଧ୍ୟକ୍ଷତା କରିଥିଲେ। ଶିକ୍ଷକ ଉଦୟହରି ମାଝୀ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ଭୋଗରାଇ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରବୀର କୁମାର ଗିରି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନେତାଜୀ ଜଣେ ଆପୋଷହୀନ ବିପ୍ଳବୀ ବୋଲି ମତବ୍ୟକ୍ତ କରିଥିଲେ। ଭୋଗରାଇ ଗ୍ରାମ୍ୟ ଉଚ୍ଚଶିକ୍ଷା ପ୍ରତିଷ୍ଠାନର ଇଂରାଜୀ ବିଭାଗ ଅଧ୍ୟାପକ ପୂର୍ଣ୍ଣେନ୍ଦୁ ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ ଦେଶର ସ୍ବାଧୀନତା ସଂଗ୍ରାମରେ ନେତାଜୀ ନିଜର ଅନନ୍ୟ ପରାକ୍ରମ ପ୍ରଦର୍ଶନ କରି ଦେଶବାସୀଙ୍କ ମଧ୍ୟରେ ନୂତନ ଉନ୍ମାଦନା ଓ ସମ୍ଭାବନା ସୃଷ୍ଟି କରିଥିଲେ ବୋଲି ମତବ୍ୟକ୍ତ କରିଥିଲେ। ଅବସରପ୍ରାପ୍ତ ଶିକ୍ଷକ ବିଜୟ କୁମାର ସିଂହ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ନେତାଜୀଙ୍କ ସଂଗ୍ରାମମୟ ଜୀବନ ଏବଂ ସମଗ୍ର ଭାରତୀୟଙ୍କ ପ୍ରତି ତାଙ୍କର ଅନାବିଳ ଆକର୍ଷଣ ସମ୍ପର୍କରେ ଆଲୋଚନା କରିଥିଲେ। ସ୍କୁଲର ଅଧ୍ୟକ୍ଷ ଭକ୍ତିପଦ ମହାନ୍ତି ବିବରଣୀ ପାଠ କରିଥିଲା ବେଳେ ସମ୍ପାଦିକା ମଧୁସ୍ମିତା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ନେତାଜୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା। ଏହାସହିତ ସ୍କୁଲର ବାର୍ଷିକ କ୍ରୀଡ଼ାରେ କୃତି ଛାତ୍ରଛାତ୍ରୀଙ୍କୁ ପ୍ରଶଂସାପତ୍ର ଓ ମେଡାଲ ଦେଇ ପୁରସ୍କୃତ କରାଯାଇଥିଲା। ପରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ସୁକୁମାର ଜେନା,ସୈାମେନ ରାଜ,ସୁବ୍ରତ ପାଳ,ତୁଳସୀ ମହାନ୍ତି,ସଙ୍ଗୀତା ଦାସ, ସନ୍ଧ୍ୟା ଦାସ, ଜ୍ୟୋତ୍ସ୍ନାରାଣୀ ବେହେରା,ସୋନାଲି ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।