ନୂଆଦିଲ୍ଲୀ ୧୩/୦୭: ଲୁଜ୍‌ ଫାଷ୍ଟ୍ୟାଗ୍‌ ରଖୁଥିବା ୟୁଜରଙ୍କୁ ଏବେ କଳା ତାଲିକାଭୁକ୍ତ କରାଯିବ । ଜାଣିଶୁଣି ଫାଷ୍ଟ୍ୟାଗ୍‌କୁ ଗାଡ଼ିର ୱିଣ୍ଡ୍‌ସ୍କ୍ରିନ୍‌ ଉପରେ ନ ଲଗାଉଥିବା ହାଇୱେ ୟୁଜର୍‌ଙ୍କୁ ‘ଲୁଜ୍‌ ଫାଷ୍ଟ୍ୟାଗ୍‌’ ବା ‘ଟ୍ୟାଗ୍‌-ଇନ୍‌ହ୍ୟାଣ୍ଡ୍‌’ ୟୁଜର କୁହାଯାଇଥାଏ । ଭାରତୀୟ ଜାତୀୟ ରାଜପଥ ପ୍ରାଧୀକରଣ(ଏନ୍‌ଏଚ୍‌ଏଆଇ) ଅନୁସାରେ, ଏମାନଙ୍କ ଯୋଗୁ ଇ-ଟୋଲ୍‌ କଲେକ୍ସନ ସିଷ୍ଟମ୍‌ରେ ଗଡ଼ବଡ଼ି ଆସିଥାଏ ଏବଂ ଅନ୍ୟ ଯାତ୍ରୀଙ୍କୁ ସମସ୍ୟା ହୋଇଥାଏ । ଏନ୍‌ଏଚ୍‌ଏଆଇ ଫାଷ୍ଟ୍ୟାଗର ଦୁରୂପଯୋଗକୁ ରୋକିବା ପାଇଁ ନୂଆ ନିୟମ ଲାଗୁ କରିଛି । ଏବେ ଯଦି ଜଣେ ଗାଡ଼ି ଚାଳକ ଫାଷ୍ଟ୍ୟାଗ୍‌କୁ ଗାଡ଼ିର ୱିଣ୍ଡ୍‌ସିଲ୍‌ଡ ଉପରେ ନ ଚିପ୍‌କାଇ ଏହାକୁ ହାତରେ ରଖି ଟୋଲ୍‌ ପ୍ଲାଜାରେ ଦେଖାନ୍ତି ତେବେ ସେମାନଙ୍କୁ ବ୍ଲାକ୍‌ଲିଷ୍ଟ କରାଯିବ । 

ସୂଚନାଯୋଗ୍ୟ, କିଛି ଚାଳକ ଜାଣିଶୁଣି ଫାଷ୍ଟ୍ୟାଗ୍‌କୁ ୱିଣ୍ଡ୍‌ସ୍କ୍ରିନ୍‌ରେ ଚିପ୍‌କାଇ ନ ଥାନ୍ତ । ସେମାନେ ଏହାକୁ ହାତରେ ଦେଖାଇ ସ୍କାନ୍‌ କରିଥାନ୍ତି । ଏହାଦ୍ୱାରା ଅଧିକ ସମୟ ଲାଗିଥାଏ ଏବଂ ଟୋଲ୍‌ ପ୍ଲାଜାରେ ଭିଡ଼ ଲାଗିଥାଏ । ଫଳରେ ଅନ୍ୟ ଯାତ୍ରୀଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ଏହାବ୍ୟତୀତ କିଛି ଚାଳକ ଫାଷ୍ଟ୍ୟାଗ୍‌କୁ ଏକାଧିକ ଗାଡ଼ି ପାଇଁ ବ୍ୟବହାର କରିବାର ଉଦ୍ୟମ କରନ୍ତି । ଏହାଦ୍ୱାରା ଟୋଲ୍‌ ଦେଇ ଯାଉଥିବା ଗାଡ଼ିଗୁଡ଼ିକର ଡାଟା ଖାପ ଖାଏନାହିଁ । ଏହା ବେଆଇନ । ଜୁଲାଇ ୧୧ରେ ଏନ୍‌ଏଚ୍‌ଏଆଇ ନୂଆ ନିୟମର ଘୋଷଣା କରିଛି । ଟୋଲ୍‌ ଆଦାୟ ଏଜେନ୍ସିଗୁଡ଼ିକୁ ତୁରନ୍ତ ଏଭଳି ଫାଷ୍ଟ୍ୟାଗର ରିପୋର୍ଟ କରିବା ପାଇଁ କୁହାଯାଇଛି, ଯେଉଁ ଆଧାରରେ ଏନ୍‌ଏଚ୍‌ଏଆଇ ଫାଷ୍ଟ୍ୟାଗ୍‌କୁ ବ୍ଲାକ୍‌ଲିଷ୍ଟ କରିବ ।

ଖୁବ୍‌ଶୀଘ୍ର ଏନ୍‌ଏଚ୍‌ଏଆଇ ‘ଆନୁଆଲ ପାସ୍‌ ସିଷ୍ଟମ୍‌’ ଏବଂ ‘ମଲ୍ଟି ଲେନ୍‌ ଫ୍ରି ଫ୍ଲୋ (ଏମ୍‌ଏଲ୍‌ଏଫ୍‌ଏଫ୍‌)’ ଟୋଲିଂକୁ ଆରମ୍ଭ କରିବାକୁ ଯାଉଛି । ଏହି ନୂଆ ବ୍ୟବସ୍ଥାରେ ଫାଷ୍ଟ୍ୟାଗ୍‌ର ସଠିକ୍‌ ସ୍ଥିତି ଅତି ଜରୁରୀ, ଯାହାଦ୍ୱାରା ଟୋଲ୍‌ ସଂଗ୍ରହ ବିନା ବାଧାରେ ହେବ ଏବଂ ସିଷ୍ଟମ୍‌ର ବିଶ୍ୱସନୀୟତା ବଢ଼ିବ । ଏନ୍‌ଏଚ୍‌ଏଆଇ ଟୋଲ୍‌ ସଂଗ୍ରହ ଏଜେନ୍ସିଗୁଡ଼ିକୁ ଏକ ସ୍ୱତନ୍ତ୍ର ଇ-ମେଲ୍‌ ଆଇଡି ଦେଇଛି, ଯାହା ଜରିଆରେ ତୁରନ୍ତ ଏଭଳି ଫାଷ୍ଟ୍ୟାଗ୍‌ର ସୂଚନା ଦିଆଯାଇପାରିବ । ଏହାପରେ ଏନ୍‌ଏଚ୍‌ଏଆଇ ଉକ୍ତ ଫାଷ୍ଟ୍ୟାଗ୍‌କୁ ବ୍ଲାକ୍‌ଲିଷ୍ଟ କରିଦେବ । ଫଳରେ ତାହା ଆଉ କାମ କରିବ ନାହିଁ ।