ଲକ୍ଷ୍ନୌ,୦୯/୧୧: ଉତ୍ତରପ୍ରଦେଶରେ ଅଜବ ନିୟମ । ମହିଳାଙ୍କ ସୁରକ୍ଷା ପାଇଁ ଏକ କଠୋର ନିୟମ ଆଣିଲେ ୟୁପି ମହିଳା କମିଶନ। କାନପୁରରେ ଏକ ହତ୍ୟାକାଣ୍ଡ ପରେ ମହିଳା କମିଶନ ବଡ ପଦକ୍ଷେପ ନେଇଛନ୍ତି । ଏଣିକି ୟୁପିରେ ପୁରୁଷ ଟେଲର ବା ଦରଜୀମାନେ ମହିଳାଙ୍କ ପୋଷାକ ତିଆରି ପାଇଁ ମାପ ନେବେ ନାହିଁ । ମାପ ନେବା ବେଳେ ସିସିଟିଭି ଥିବା ଜରୁରୀ ।

ଖାଲି ସେତିକି ନୁହେଁ ଏଣିକି ଜିମ୍ ଓ ଯୋଗ କେନ୍ଦ୍ରରେ ମହିଳା ଟ୍ରେନର ରହିବା ବାଧ୍ୟତାମୂଳକ କରାଯାଇଛି । ଏହି ସବୁ କେନ୍ଦ୍ରକୁ ଆସୁଥିବା ସମସ୍ତଙ୍କର ଆଡି ଯାଞ୍ଚ ସହ ସେଠାରେ ସିସିଟିଭି ରହିବ । ଗତ ଅକ୍ଟୋବର ୨୮ ତାରିଖରେ ଏକ ବୈଠକରେ ଏପରି ନିଷ୍ପତ୍ତି ହୋଇଥିବା ଜଣାପଡିଛି । କମିଶନ କହିଛନ୍ତି, ପାର୍ଲରରେ ଯୁବତୀଙ୍କ ମେକଅପ ପାଇଁ ବି ମହିଳା ରହିବେ । ମହିଳାଙ୍କ ଅନ୍ତବସ୍ତ୍ର ବିକ୍ରି କରୁଥିବା ଷ୍ଟୋର କର୍ମଚାରୀ ମଧ୍ୟ ମହିଳା ରହିବେ।

ଏହାଛଡା କୋଚିଂ ସେଣ୍ଟରରେ ମଧ୍ୟ ସିସିଟିଭି କ୍ୟାମେରା ରହିବ । ସ୍କୁଲ ବସରେ ମହିଳା ସୁରକ୍ଷାକର୍ମୀ ରହିବେ । ଏହି ନିୟମ ଲାଗୁ କରିବାକୁ କମିଶନ ଜିଲ୍ଲାପାଳ ଏବଂ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଗତ ଅକ୍ଟୋବର ୨୭ ତାରିଖରେ ଜଣେ ବ୍ୟବସାୟୀଙ୍କ ପତ୍ନୀଙ୍କ ହତ୍ୟା ଘଟଣା ପରେ ଏହି ନିୟମ ହୋଇଛି ।