ଭୁବନେଶ୍ୱର,୧୮/୧୧: ଏଲିନାଙ୍କ ଶେହେନାଇ ବାଜିଛି । ହେଲେ ଏଥର  ପରଦାରେ ମିଛ ମିଛିକା ନୁହେଁ ବରଂ ସତସତିକା । ଓଲିଉଡ୍‌ର ଆଗଧାଡ଼ିର  ନାୟିକା ଏଲିନା ସାମନ୍ତରାୟ ହାତରୁ ଦି’  ହାତ ହୋଇଛନ୍ତି । ପରିବାର ଲୋକଙ୍କ  ଉପସ୍ଥିତିରେ ତାଙ୍କ ବହୁଦିନର ବନ୍ଧୁ ଅନୁରାଗ ପଣ୍ଡାଙ୍କୁ ପାରମ୍ପରିକ ରୀତିରେ  ବିବାହ କରିଛନ୍ତି । 

ସେ ପୁଣି ଇଣ୍ଡୋନେସିଆ  ବାଲିରେ ବୋଲି ତାଙ୍କ ପାଖ ଲୋକମାନଙ୍କ ଠାରୁ ଶୁଣିବାକୁ ମିଳିଛି । ହଠାତ୍‌  ଏହି ଖବର ପାଇବା ପରେ ଅନେକ  ସିନେପ୍ରେମୀ ଏବଂ ତାଙ୍କ ଶୁଭେଚ୍ଛୁ ଖୁସି  ହେବା ସହ ଆଶ୍ଚର୍ଯ୍ୟ ହୋଇଛନ୍ତି । ବଡ଼  କଥା ହେଲା³ ଓଲିଉଡ୍‌ରେ ବି ଏହି  ଖବର ନାହିଁ । କିନ୍ତୁ ଏଲିନା ବାହାଘରର  କିଛି ଫଟୋ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ  ଅପ୍‌ଲୋଡ୍‌ କରିଛନ୍ତି । ଗତକାଲି ବି ସେ  ଏକ କାନ୍‌ଭାସ୍‌ରେ ଅନୁରାଗ ଏବଂ ଲଭ୍‌  ପ୍ରତୀକ ସହ ଏଲିନା ଲେଖାଥିବା ଫଟୋ  ପୋଷ୍ଟ କରି ଏ ବିଷୟରେ କିଛି ଆଭାସ  ଦେଇଥିଲା । 


ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ  ୨୦୨୧ ପାଇଁ ‘ଦୃଷ୍ଟିକୋଣ’ ସିନେମା ଲାଗି  ଶ୍ରେଷ୍ଠ ପାଶ୍ୱର୍ ଅଭିନେତ୍ରୀ ଭାବେ ସେ  ମନୋନୀତ ହୋଇଥିଲେ । ସୌଭାଗ୍ୟକୁ  ଆଜି ଯେତେବେଳେ ପୁରସ୍କାର ବିତରଣ  ଉତ୍ସବରେ ତାଙ୍କ ନାଁ ଡକାଯାଇଥିଲା ସେ  ଅନୁପସ୍ଥିତ ଥିଲେ । ତରଙ୍ଗ ଟିଭିରେ  ‘କିଏ ହେବ ମୋ ହିରୋଇନ୍‌’ ରିଆଲିଟି  ସୋ’ର ପ୍ରଥମ ସଜନ୍‌ରେ ବିଜେତା  ହୋଇ ୨୦୧୫ ମସିହାରେ ‘ଇସ୍କ ତୁ  ହି ତୁ’ ସିନେମା ମାଧ୍ୟମରେ ଓଡ଼ିଆ  ସିନେମା ଜଗତକୁ ପ୍ରବେଶ କରିଥିଲେ ।