ଭୁବନେଶ୍ୱର,୨୨/୦୩: ଖାଦ୍ୟ ସୁରକ୍ଷା ଓ ଉପଭୋକ୍ତାଙ୍କ ହିତକୁ ଧ୍ୟାନରେ ରଖି ଉତ୍ତରପ୍ରଦେଶ ସରକାର ଅଣ୍ଡାରେ ଏକ୍ସପାଏରୀକୁ ବାଧ୍ୟତାମୂଳକ କରିଛନ୍ତି । ଆସନ୍ତା ଏପ୍ରିଲ ୧ ତାରିଖରୁ ଏହି ନିୟମ ଲାଗୁ ହେବ । ପ୍ରତ୍ୟେକ ଅଣ୍ଡାରେ ଉତ୍ପାଦନ ତାରିଖ ସହ ଏକ୍ସପାଏରୀ ତାରିଖ ରହିବ । ଫଳରେ । ଦୋକାନୀ ଠକି ପାରିବେନି କି ଗ୍ରାହକଙ୍କୁ ଠକାମୀର ଶିକାର ହେବାକୁ ପଡ଼ିବନି । ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଉତ୍ତରପ୍ରଦେଶରେ ସ୍ୱାଗତ କରାଯାଉଛି । ଯାହାକୁ ନେଇ ଓଡ଼ିଶାରେ ଚର୍ଚ୍ଚା ଆରମ୍ଭ ହୋଇଥିଲା ବେଳେ ଉତ୍ତରପ୍ରଦେଶ ଭଳି ଓଡ଼ିଶା ସରକାର କେବେ ଏଭଳି ନିଷ୍ପତ୍ତି ନେବେ ତାକୁ ନେଇ ଗ୍ରାହକ ମହଲରେ ପ୍ରଶ୍ନ ଉଠିଛି ।
ଓଡ଼ିଶାରେ ଅଣ୍ଡା ଏକ ପସନ୍ଦର ଖାଦ୍ୟ । ଘରୁଠୁ ନେଇ ଅଙ୍ଗନବାଡ଼ି, ହସ୍ପିଟାଲ୍ ପର୍ଯ୍ୟନ୍ତ ସବୁଠି ଅଣ୍ଡାର ରାଜୁତି । ସରକାର ତ ଅଙ୍ଗନବାଡ଼ି ଓ ହସ୍ପିଟାଲ୍ରେ ମାଗଣରେ ଅଣ୍ଡା ବାଣ୍ଟୁଛନ୍ତି । ଏମିତି ଆହୁରି ଅନେକ ସରକାରୀ ସ୍ଥାନ ଅଛି, ଯେଉଁଠି ବି ଏ ସୁବିଧା ମିଳୁଛି । ତେବେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ତଥ୍ୟ ଅନୁଯାୟୀ³ ଏବେ ରାଜ୍ୟରେ ଦୈନିକ ପ୍ରାୟ ୩ କୋଟି ଅଣ୍ଡାର ଆବଶ୍ୟକତା ରହିଛି । ହେଲେ ୧ କୋଟି ୧୦ ହଜାର ଅଣ୍ଡା ଉତ୍ପାଦନ ହେଉଛି । ଆହୁରି ୧ କୋଟି ୯୦ ଲକ୍ଷ ଆବଶ୍ୟକ ରହୁଛି । ଆଗକୁ ବିଭିନ୍ନ ଯୋଜନା ମାଧ୍ୟମରେ ଅଣ୍ଡା ଉତ୍ପାଦନ କରିବା ପାଇଁ ସରକାର ଯୋଜନା କରୁଛନ୍ତି । ଭାରତୀୟ ଭେଷଜ ଅନୁସନ୍ଧାନ ସଂସ୍ଥାର ସୁପାରିସ ଅନୁସାରେ ବାର୍ଷିକ ମୁଣ୍ଡପିଛା ୧୮୦ଟି ଅଣ୍ଡାର ଆବଶ୍ୟକତା ଥିବାବେଳେ ରାଜ୍ୟରେ ବର୍ତ୍ତମାନ ମୁଣ୍ଡ ପିଛା ୮୦ ଅଣ୍ଡା ଉପଲବ୍ଧ ହେଉଛି । ଅଣ୍ଡାର ଚାହିଦା ମେଣ୍ଟାଇବା ପାଇଁ ଆନ୍ଧ୍ରପ୍ରଦେଶ, ତେଲଙ୍ଗାନାରୁ ବାର୍ଷିକ ୯୦ କୋଟି ଅଣ୍ଡା ଆମଦାନୀ କରାଯାଉଛି ।
ତେବେ ଏସବୁ ମଧ୍ୟରେ ବଜାରରେ କେଉଁଟା ଭଲ ଆଉ କେଉଁଟା ଖରାପ ଅଣ୍ଡା ତାକୁ ନେଇ ସବୁବେଳେ ଦ୍ୱନ୍ଦ୍ୱ ଲାଗି ରହିଛି । ଏମିତି ବି ସ୍ଥିତି ଆସିଛି, ରୋଷେଇ ବେଳେ ଅଣ୍ଡା ଫଟେଇବା ବେଳେ ତାହା ପଚିଯାଇଥିବା ଦେଖାଯାଏ । କାରଣ ଓଡ଼ିଶାରେ ଯେଉଁ ଅଣ୍ଡା ବ୍ୟବହାର କରାଯାଉଛି, ସେ ଅଣ୍ଡା କିମ୍ବା ପେଟିରେ ଏକ୍ସପାଏରୀ ତାରିଖ ଉଲ୍ଲେଖ ନଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଖରାପ ଅଣ୍ଡା ଖାଇଲେ, ପେଟରେ ଗ୍ୟାସ ସମସ୍ୟା ଦେଖାଦିଏ । ଚର୍ମରେ ଆଲର୍ଜି ମଧ୍ୟ ହୁଏ । ଯାହା ସ୍ୱାସ୍ଥ୍ୟକୁ ଗୁରୁତର କରିଦେଇଥାଏ । ବଡ଼କଥା ହେଉଛି³ ଓଡ଼ିଶାରେ ଆମିଷ ଖାଦ୍ୟକୁ ଅଧିକ ଦିନ ମହଜୁଦ ରଖିବା ପାଇଁ ଶୀତଳଭଣ୍ଡାର ନାହିଁ । ଯାହାକୁ ନେଇ ବାରମ୍ବାର ରାଜ୍ୟ ସରକାରଙ୍କୁ ନିଖିଳ ଓଡ଼ିଶା ଆମିଷ ବ୍ୟବସାୟୀ ମହାସଂଘ ଦାବିପତ୍ର ଦେଇଆସୁଛି । ମହାସଂଘ ସଭାପତି ଶେଖ ମୁନ୍ତାକିମ୍ ବକ୍ସ କହିଛନ୍ତି, ଶୀତଳ ଭଣ୍ଡାର ଅଭାବରୁ ୮୦% ସ୍ଥାନରେ ଅଣ୍ଡାକୁ ସେମିତି ବାହାରେ ରଖାଯାଉଛି । ଅତିବେଶିରେ ବେପାରୀମାନେ ୧୫ରୁ ୨୦ଦିନ ମଧ୍ୟରେ ଅଣ୍ଡା ବିକ୍ରି କରୁଛନ୍ତି । ସେଥିରେ ପୁଣି ଅଧିକ ଗରମ ହେଲେ ଅଣ୍ଡା ନଷ୍ଟ ।
ଖାଦ୍ୟ ନିରାପତ୍ତା ନିୟମ କହୁଛି, ସାଧାରଣ ତାପମାତ୍ରାରେ ଅଣ୍ଡା ପ୍ରାୟ ୨୮ ଦିନ ପର୍ଯ୍ୟନ୍ତ ଭଲ ରହେ । ଏହାପରେ ତାର ଗୁଣାବତ୍ତା ଧୀରେଧୀରେ ଖରାପ ହେବାରେ ଲାଗେ । ମାତ୍ର ଯେତେବେଳେ ଥଣ୍ଡା ସ୍ଥାନରେ ସଂରକ୍ଷଣ କଲେ ତାହା ଏକମାସ ପ୍ରାୟ ୫ ସପ୍ତାହ ପର୍ଯ୍ୟନ୍ତ ବ୍ୟବହାର ଯୋଗ୍ୟ ରହିଥାଏ । ହେଲେ ଓଡ଼ିଶାରେ ଏଭଳି ବ୍ୟବସ୍ଥା ଖୁବ୍ କମ । ଏ ସଂକ୍ରାନ୍ତରେ ଓଡ଼ିଶା ପୋଲଟ୍ରି ଫେଡେରସନ୍ର ସାଧାରଣ ସମ୍ପାଦକ ଜ୍ୟୋତିକାନ୍ତ ମହାପାତ୍ର କହିଛନ୍ତି, ଉତ୍ତରପ୍ରଦେଶ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ଉତ୍ତମ । ହେଲେ ଆମେ ଏ ଦିଗରେ ତର୍ଜମା କରିବାର ଆବଶ୍ୟକତା ରହିଛି । ପ୍ରାଣୀ ପାଳନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି, ଏହା ଅସମ୍ଭବ ପରି ମନେ ହେଉଛି ସତ। ହେଲେ ଆମେ ବିଭାଗୀୟ ସ୍ତରରେ ଆଲୋଚନା କରି ସରକାରଙ୍କୁ ପ୍ରସ୍ତାବ ଦେବୁ । ଖୁବ୍ଶୀଘ୍ର ଏହା ଉପରେ ନିଷ୍ପତ୍ତି ନିଆଯିବ ।
ଅଧିକ ପଢ଼ନ୍ତୁ :- ମଙ୍ଗଳବାରଠୁ ବଢ଼ିବ ତାତି, ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବାର ସମ୍ଭାବନା