ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନକଲି ଡାକ୍ତରଙ୍କୁ ଧରିବାକୁ ରାଜ୍ୟ ସରକାରଙ୍କ ପଦକ୍ଷେପ, ପଞ୍ଜିକୃତ ଡାକ୍ତରଙ୍କ ନାଁ ୱେବସାଇଟ୍‌ରେ ହେବ ଅପଲୋଡ୍

କଟକ, ୩।୪: ସ୍ୱାସ୍ଥ୍ୟସେବାରେ ବିଭ୍ରାଟ ସୃଷ୍ଟି କରୁଥିବା ନକଲି ଡାକ୍ତରମାନଙ୍କୁ ଧରିବା ପାଇଁ ରାଜ୍ୟ ସରକାର ଠୋସ୍‌ ପଦକ୍ଷେପ ନେଉଛନ୍ତି । ଏଭଳି ନକଲି ଡାକ୍ତରଙ୍କ ପରିଚୟ ଯେପରି ଲୋକେ ଜାଣିପାରିବେ ସେଥିପାଇଁ ଓଡ଼ିଶା କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରେଜିଷ୍ଟ୍ରେସନ୍‌ (ଓସିଏମ୍‌ଆର୍‌) ୱେବ୍‌ସାଇଟ୍‌ର ରାଜ୍ୟର ଅସଲି ଅର୍ଥାତ୍‌ ପଞ୍ଜିକୃତ ଡାକ୍ତରଙ୍କ ନାଁ ଅପଲୋଡ୍‌ କରାଯିବ । ଏହି ପ୍ରକୃତ ଡାକ୍ତରଙ୍କ ସଂପର୍କରେ ପଞ୍ଚାୟତ ଏବଂ ସହରାଞ୍ଚଳ ସ୍ତରରେ ସ୍ଥାନୀୟ ଜନ ପ୍ରତିନିଧି, ସାଧାରଣ ଲୋକଙ୍କୁ ସଚେତନ କରାଯିବ । କେବଳ ସେତିକି ନୁହେଁ, ନକଲି ଡାକ୍ତରଙ୍କୁ ସାବାଡ୍‌ କରିବା ପାଇଁ ପ୍ରତ୍ୟେକ ଜିଲ୍ଲାସ୍ତର୍‌ରେ ଏକ ଆଣ୍ଟିକ୍ୱାକ୍‌ ସେଲ୍‌ ଗଠନ କରାଯିବ । ଯଦି କୌଣସିଠାରେ ନକଲି ଡାକ୍ତରଙ୍କ ସଂପର୍କରେ ସୂଚନା ମିଳେ, ତୁରନ୍ତ ଥାନାରେ ଏତଲା ଦିଆଯିବ ଓ ସଂପୃକ୍ତ ଡାକ୍ତରଙ୍କୁ ତୁରନ୍ତ ଗିରଫ କରାଯିବ । ନକଲି ଡାକ୍ତରଙ୍କୁ ବାନ୍ଧିବା ସହ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜ୍ୟ ସରକାର ହାଇକୋର୍ଟରେ ସତ୍ୟପାଠ ଜରିଆରେ ସୂଚନା ଦେଇଛନ୍ତି । 

ପୂର୍ବ ଶୁଣାଣିରେ ହାଇକୋର୍ଟ ନକଲି ବା ଜାଲି ଡାକ୍ତରଙ୍କୁ କିପରି ଚିହ୍ନଟ କରାଯିବ ସେଥିପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଗ୍ରାମାଞ୍ଚଳରେ ଜଣେ ବ୍ୟକ୍ତି ନକଲି ଡାକ୍ତର ଏବଂ ପ୍ରକୃତ ଡାକ୍ତରଙ୍କ ମଧ୍ୟରେ କିପରି ପାର୍ଥକ୍ୟ ଜାଣିପାରିବ ସେନେଇ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେବାକୁ ହାଇକୋର୍ଟ କହିଥିଲେ । ଏଥିସହ ମାମଲାରେ ଅଦାଲତଙ୍କୁ ସାହଯ୍ୟ ପାଇଁ ଆମିକସ୍‌ କ୍ୟୁରି ଭାବେ ନିଯୁକ୍ତ ପାଇଥିବା ବରିଷ୍ଠ ଆଇନଜୀବୀ ଗୌତମ ମିଶ୍ର ମଧ୍ୟ ସରକାରଙ୍କୁ କେତେକ ପରାମର୍ଶ ଦେଇଥିଲେ । ଉକ୍ତ ପରାମର୍ଶ ଆଧାରରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ୱେବ୍‌ସାଇଟ୍‌ ଗଠନ, ଆଣ୍ଟି କ୍ୱାକ୍‌-ସେଲ୍‌ ଗଠନ ଆଦି ପଦକ୍ଷେପ ସଂପର୍କରେ ସତ୍ୟପାଠ ମାଧ୍ୟମରେ ଅଦାଲତଙ୍କୁ ଅବଗତ କରିଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସଚିବ ଶାଲିନ୍‌ ପଣ୍ଡିତଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ କୁହାଯାଇଛି ଯେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗତ ମାର୍ଚ୍ଚ ୧୪ ତାରିଖରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ବୈଠକର ନିଷ୍ପତ୍ତି ଅନୁଯାୟୀ ପଞ୍ଜିକୃତ ଏଲୋପାଥିକ ଡାକ୍ତରଙ୍କ ନାମ ଓସିଏମ୍‌ଆର୍‌ ୱେବ୍‌ସାଇଟ୍‌ରେ ଅପ୍‌ଲୋଡ୍‌ କରାଯିବ । ଏହାଦ୍ୱାରା ଜଣେ ସାଧାରଣ ବ୍ୟକ୍ତି ଏହି ୱେବ୍‌ସାଇଟ୍‌ ଜରିଆରେ ପ୍ରକୃତ ଡାକ୍ତର ଓ ନକଲି ଡାକ୍ତରଙ୍କ ମଧ୍ୟରେ ଫରକ୍‌ ଜାଣିପାରିବେ । 

ଯେଉଁମାନେ ୱେବ୍‌ସାଇଟ୍‌ ଯାଞ୍ଚ୍‌ କରିପାରିବେ ନାହିଁ ସେମାନଙ୍କ ପାଇଁ ସଂଯୋଗ ହେଲ୍‌ପ୍‌ଲାଇନ୍‌ ନାମରେ ଏକ ଟୋଲ୍‌ ଫ୍ରି ନମ୍ବର ୧୯୧୬ ମଧ୍ୟ ଜାରି କରାଯାଇଛି । ଏହି ନମ୍ବରକୁ ଫୋନ୍‌ କଲେ ଯେ କୌଣସି ଡାକ୍ତରଙ୍କ ସବିଶେଷ ତଥ୍ୟ ସଂକ୍ରାନ୍ତରେ ଜାଣି ପାରିବେ ।  ଜିଲ୍ଲା ପରିଷଦ, ପଞ୍ଚାୟତସ୍ତରରେ ବସୁଥିବା ମାସିକିଆ ବୈଠକରେ ନକଲି ଡାକ୍ତର ଚିହ୍ନଟ ସଂପର୍କିତ କାର୍ଯ୍ୟକ୍ରମ ନେଇ ଏକ ଏଜେଣ୍ଡା ମଧ୍ୟ ପ୍ରସ୍ତୁତ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଯଦି କୌଣସି ସ୍ଥାନରେ ଜାଲ୍‌ ଡାକ୍ତର ରୋଗୀ ସେବା କରୁଥାନ୍ତି ତାହେଲେ ସେମାନଙ୍କ ନାଁରେ ସ୍ଥାନୀୟ ଥାନାରେ ଏତଲା ଦେବାକୁ ମଧ୍ୟ କୁହାଯାଇଛି । ସେହିପରି ଜିଲ୍ଲାପାଳଙ୍କ ଜଣେ ପ୍ରତିନିଧି, ଏସ୍‌ପିଙ୍କ ଜଣେ ପ୍ରତିନିଧି, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଜିଲ୍ଲା ଆଇନସେବା ପ୍ରାଧିକରଣର ଜଣେ ପ୍ରତିନିଧି ଏବଂ ଇଣ୍ଡିଆନ୍‌ ମେଡିକାଲ ଆସୋସିଏସନ୍‌ର ଜଣେ ପ୍ରତିନିଧିଙ୍କୁ ନେଇ ଆଣ୍ଟି କ୍ୱାକ୍‌ ସେଲ୍‌ ଗଠନ କରାଯିବ ବୋଲି ମଧ୍ୟ ସତ୍ୟପାଠରେ ସୂଚନା ଦିଆଯାଇଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.