ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଭଗବାନପୁରରେ ନିଆରା କଣ୍ଢେଇ ମେଳଣ, ବିମାନରେ ପୂଜା ପାଆନ୍ତି କଣ୍ଢେଇ

ଭୁବନେଶ୍ୱର/ଯାଁଳା,୦୯/୦୪: କାହିଁ କେତେବର୍ଷ ହେବ ଏହି ମେଳଣ ଚାଲିଛି । ବାଜା, ବାଣ ଓ ରୋଷଣି ସବୁ କିଛିରେ ଭରପୂର । ପଞ୍ଚୁଦୋଳ ବା ଭଗବତ ମେଳଣପରି ଏହି ମେଳଣରେ ସେମିତି କିଛି ନିର୍ଦ୍ଦିଷ୍ଟ ନୀତି ନିୟମ ନ ଥାଏ । ସେହିପରି ଏଠି ନଥାଏ ଜାତି, ଧର୍ମ ଓ ବର୍ଣ୍ଣର ଭେଦଭାବ । ଗାଁର ପୁରୁଖା ଲୋକ ଅପନି ବେହେରାଙ୍କ କହିବା ଅନୁଯାୟୀ, ନିକଟବର୍ତ୍ତୀ ଗାଁ ମାନଙ୍କରେ ପଞ୍ଚୁଦୋଳ ଓ ଭଗବତ ମେଳଣ ପାଳନ ହେଉଥିବା ବେଳେ ଏହି ଗାଁରେ ସେପରି ମେଳଣ ନ ଥାଏ । ଆଖପାଖ ମେଳଣ ଦେଖି ଗାଁର ଛୋଟଛୋଟ ପିଲାମାନେ ଅମରି ଓ ବାଉଁଶ କାଠିରେ ରଙ୍ଗୀନ କାଗଜ ଗୁଡ଼ାଇ ଛୋଟ ଛୋଟ ବିମାନ ତିଆରି କରୁଥିଲେ । ତା’ ଭିତରେ କଣ୍ଢେଇ ବସାଇ ଖେଳୁଥିଲେ । ତେଣୁ ପିଲାମାନଙ୍କର ଏଭଳି ଉତ୍ସାହ ଦେଖି ବୟସ୍କ ଲୋକମାନଙ୍କ ଦ୍ୱାରା ଗାଁର ପିଲାମାନଙ୍କ ମନୋରଞ୍ଜନ ପାଇଁ କାହିଁ କେଉଁ କାଳରୁ ଏହି ମେଳଣର ପରିକଳ୍ପନା କରାଯାଇଥିଲା ।

ପରମ୍ପରା ଅନୁଯାୟୀ ପ୍ରଥମେ ଗାଁର ମା’ ଛୋଟୀ ଭୁଆଶୁଣୀ ମନ୍ଦିର ନିକଟରେ ଛୋଟ ଛୋଟ ପିଲାମାନଙ୍କ ଦ୍ୱାରା ନିର୍ମିତ କୁନି କୁନି ବିମାନରେ ବିଭିନ୍ନ କଣ୍ଢେଇ ରଖି ଏକତ୍ର କରାଯାଉଥିଲା । ଏହି ସବୁ ବିମାନ ପ୍ରଥମେ ଅମରି, ବାଉଁଶ କାଠି ଓ ରଙ୍ଗୀନ କାଗଜରେ ତିଆରି କରାଯାଉଥିଲା । ମାତ୍ର ଏବେ କେତେକ ବିମାନରେ ରଙ୍ଗୀନ କପଡ଼ା ବ୍ୟବହାର କରାଯାଉଛି । ଚୈତ୍ର ଅମାବାସ୍ୟାରେ ଏହି ମେଳଣର ଜମାଣପର୍ବ ଅନୁଷ୍ଠିତ ହୁଏ । 

ଏହି ଅବସରରେ ଆଜି କୁନି କୁନି ପିଲାମାନେ ଛୋଟ ଛୋଟ ବିମାନରେ କଣ୍ଢେଇ ସଜାଇ ପଲଟଣରେ ବାଜା ଓ ରୋଷଣି ସାଙ୍ଗକୁ ପାରମ୍ପରିକ ନାଗାନାଟ, ଘୋଡ଼ାନାଚ, ବାଘ-ଭାଲୁ ନାଟ, ବଗ-ବଗୁଲୀ, ବଣମଣିଷ, ରାଜା-ରାଣୀ, ବୁଢ଼ା-ବୁଢ଼ୀ, ବଗ-ବଗୁଲୀ, ବୃଷଭ, କଣ୍ଢେଇ ନାଚ ଏବଂ ସଂକୀର୍ତ୍ତନ ମାଧ୍ୟମରେ ଗାଁ ବୁଲାଇ ଯାତ୍ରା ପଡ଼ିଆକୁ ନେଇଥିଲେ । ବାଟରେ କେତେକ ସ୍ଥାନରେ ବେଦି କରାଯାଇ ଲୋକେ ଚାଚେରୀ ଭୋଗ ଦେଇଥିଲେ । ଶେଷରେ ମେଳଣ ପଡ଼ିଆରେ ଥିବା ଏକ ବଡ଼ ମଣ୍ଡପରେ ସବୁ ବିମାନ ଗୁଡ଼ିକ ଧାଡ଼ି କରି ରଖାଯାଇଥିଲା । ଆଜି ସନ୍ଧ୍ୟାରେ ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀଙ୍କ ଦ୍ୱାରା ସଂକୀର୍ତ୍ତନ ପରିବେଷଣ କରା ଯାଇଛି । ମଙ୍ଗଳବାର ଓ ବୁଧବାର ମା’ ବ୍ୟାଘ୍ରଦେବୀ କଣ୍ଢେଇ ଅପେରା ଦ୍ୱାରା ଯାତ୍ରା ପରିବେଷଣ କରାଯିବ । ଆଜି ମେଳଣର ଉଦ୍‌ଘାଟନୀ ଉତ୍ସବରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ମେୟର ସୁଲୋଚନା ଦାସ, ଭୁବନେଶ୍ୱର ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଏବଂ ସ୍ଥାନୀୟ କର୍ପୋରେଟର ରଶ୍ମିରଞ୍ଜନ ପାଟ୍ଟଶାଣି ପ୍ରମୁଖ ଯୋଗ ଦେଇଥିଲେ । ମେଳଣ ପାଇଁ ଗାଁର ଘରେ ଘରେ କୁଣିଆଁଙ୍କ ଭିଡ଼ ଜମିଛି । କୁନି କୁନି ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ଏହି ପର୍ବରେ ଗ୍ରାମର ବୟସ୍କ ବ୍ୟକ୍ତିମାନଙ୍କ ଉତ୍ସାହ ଓ ଉଦ୍ଦୀପନା ବେଶ୍‌ ବାରି ହୋଇ ପଡ଼ୁଛି । ଏଭଳି ଏକ ଚଳଣି ଏବେ ପରମ୍ପରା ପାଲଟିଛି ଭଗବାନପୁର ଗାଁରେ । କେବଳ ଏହି ଗାଁ ପାଇଁ ନୁହେଁ, ଏହାର ଆଖାପାଖ ଗାଁର ଜନସାଧାରଣଙ୍କ ପାଇଁ ଏହି ମେଳଣରେ ନିଆରା ଅନୁଭୂତି ରହିଛି ବୋଲି ଆୟୋଜକ ତଥା ମା’ ଛୋଟି ଭୁଆଶୁଣୀ ମେଳଣ କମିଟିର ସଭାପତି ରବୀନ୍ଦ୍ରନାଥ ସାହୁ ଓ ସମ୍ପାଦକ ଅଭିମନ୍ୟୁ ଚମ୍ପତ୍ତି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.