ପ୍ରମୁଖ ଖବର
  • ଆଜି ପ୍ରକାଶ ପାଇବ ୟୁଜିସି-ନେଟ୍‌ ଜୁନ୍‌ ସେସନ୍‌-୨୦୨୪ ଆବେଦନ ପ୍ରକ୍ରିୟା
  • ||
  • ବାଇକ୍‌କୁ ଧକ୍କା ଦେଲା ଆମ୍ଵୁଲାନ୍ସ, ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

ଭୁବନେଶ୍ୱର-କଟକରେ ମେଟ୍ରୋ ଟ୍ରେନ ପାଇଁ ଉଠିଲା ଦାବି, ଓଡ଼ିଶାରେ ମେଟ୍ରୋ ପାଇଁ କୋଚି ମଡେଲ୍‌ ଅନୁଧ୍ୟାନ କରିବେ ସରକାର

ଭୁବନେଶ୍ୱର,୨୭/୦୯: ଓଡ଼ିଶାରେ ଗଡ଼ିବ ମେଟ୍ରୋ ରେଳ । ଦୀର୍ଘବର୍ଷର ଏ ସ୍ୱପ୍ନକୁ ସାକାର କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ସ୍ତରରେ ବିଚାରବିମର୍ଷ ଚଳାଇଛନ୍ତି । ବିଶେଷ କରି କେରଳର କୋଚି ମେଟ୍ରୋ ମଡେଲକୁ ଅନୁଧ୍ୟାନ କରୁଛନ୍ତି ରାଜ୍ୟ ସରକାର । କୋଚି ମେଟ୍ରୋ ରେଲ୍‌ ଲିମିଟେଡର ବରିଷ୍ଠ ଅଧିକାରୀଙ୍କ ସହ ରାଜ୍ୟର ଉଚ୍ଚସ୍ତରୀୟ ଅଧିକାରୀ ଆଲୋଚନା କରିଛନ୍ତି । ଭୁବନେଶ୍ୱର-କଟକକୁ ମେଟ୍ରୋ ଟ୍ରେନ ମାଧ୍ୟମରେ ସଂଯୋଗ କରିବା ପାଇଁ କୋଚି ମଡେଲ କିଭଳି ସହାୟକ ହୋଇପାରିବ, ସେ ନେଇ ବିଚାରବିମର୍ଷ ଚାଲିଛି ।

କଟକ-ଭୁବନେଶ୍ୱର ମଧ୍ୟରେ ଗମନାଗମନ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ପାଇଁ ୨୦୧୪-୧୫ରୁ ଏମଆରଟିଏସ (ମାସ୍‌ ରାପିଡ୍‌ ଅର୍ବାନ ଟ୍ରାନ୍ସପୋର୍ଟ ସିଷ୍ଟମ) ନେଇ ଆଲୋଚନା ଆରମ୍ଭ ହୋଇଥିଲା । ସେତେବେଳେ ବିଆରଟିଏସ୍‌ କରିଡର ଓ ମେଟ୍ରୋ ଟ୍ରେନ ପ୍ରସ୍ତାବ ଉପରେ ଆଲୋଚନା ହେଲା । ଭୁବନେଶ୍ୱର-କଟକ ମଧ୍ୟରେ ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ସହ ବିଭିନ୍ନ ସ୍ତରରେ ଆଲୋଚନା ହୋଇଥିଲା । ବାରମ୍ବାର ମେଟ୍ରୋ ଟ୍ରେନ ପାଇଁ ଓଡ଼ିଶା ଦାବି ଉଠାଇଥିଲା ।

ମେଟ୍ରୋ ରେଲ୍‌ ନୀତି ଅନୁସାରେ ଜନସଂଖ୍ୟା ୨୦ ଲକ୍ଷରୁ କମ୍‌ ହୋଇଥିବାରୁ ଉଭୟ ଟ୍ୱିନସିଟି କଟକ-ଭୁବନେଶ୍ୱର ମଧ୍ୟରେ ମେଟ୍ରୋ ଚଳାଚଳ ସମ୍ଭବପର ନୁହେଁ ବୋଲି ପ୍ରଥମେ କୁହାଯାଇଥିଲା । ଏହା ପରେ ପ୍ରକ୍ରିୟା ଢେର ଦିନ ଧରି ଆଗକୁ ବଢ଼ିପାରିନଥିଲା । ପରବର୍ତ୍ତୀ ସମୟରେ ରାଜ୍ୟ ନଗର ଉନ୍ନୟନ ବିଭାଗ ପୁଣି ଥରେ ଏ ନେଇ ଅଣ୍ଟା ଭିଡ଼ିଥିଲା । ପ୍ରସ୍ତାବିତ ଯୋଜନାରେ କଟକ-ଭୁବନେଶ୍ୱର ସହ ଖୋର୍ଦ୍ଧା ଓ ଜଟଣୀକୁ ମଧ୍ୟ ସାମିଲ କରାଯାଇଥିଲା । ମେଟ୍ରୋ ଚଳାଚଳ କରିବା ପାଇଁ ଯେତିକି ଜନସଂଖ୍ୟା ଆବଶ୍ୟକ, ଖୋର୍ଦ୍ଧା-ଜଟଣୀ-ଭୁବନେଶ୍ୱର-କଟକକୁ ନେଇ ଯୋଜନା କଲେ, ତାହା ସର୍ତ୍ତାବଳୀ ପୂରଣ କରିପାରିବ । କଟକ-ଭୁବନେଶ୍ୱରକୁ ନେଇ ପୂର୍ବରୁ ହାଇଦ୍ରାବାଦର ଏକ ସଂସ୍ଥା ଅନୁଧ୍ୟାନ କରି ରିପୋର୍ଟ ପ୍ରସ୍ତୁତ କରିଥିଲା ।

ପରବର୍ତ୍ତୀ ସମୟରେ ଖୋର୍ଦ୍ଧା-ଜଟଣୀ-ଭୁବନେଶ୍ୱର-କଟକକୁ ନେଇ ପୁନର୍ବାର ସର୍ବେକ୍ଷଣ କରିବାକୁ ସେଇ ସଂସ୍ଥାକୁ କୁହାଯିବ ବୋଲି ଗତବର୍ଷ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ସୂଚନା ଦେଇଥିଲେ । ବିଶେଷଜ୍ଞଙ୍କ କହିବା କଥା ହେଲା, ମେଟ୍ରୋ ପ୍ରକଳ୍ପ କାର୍ଯ୍ୟକାରୀ କରିବା ସହଜ ନୁହେଁ । କଟକ-ଭୁବନେଶ୍ୱର ମଧ୍ୟରେ ଦୁଇଟି ନଦୀ କୁଆଖାଇ ଓ କାଠଯୋଡ଼ି ରହିଛି, ଏହା ମଧ୍ୟ ଏକ ବଡ଼ ଚାଲେଞ୍ଜ । ତଥାପି ରାଜ୍ୟ ସରକାର ଆଶାବାଦୀ ଅଛନ୍ତି । କୋଚି ମେଟ୍ରୋ ରେଲ ଲିମିଟେଡ ସହ କଥାବାର୍ତ୍ତା ଚାଲିଛି । ସେମାନେ କିଭଳି ତ୍ୱରିତ ବେଗରେ ପ୍ରକଳ୍ପ କାର୍ଯ୍ୟକାରୀ କରାଇଛନ୍ତି, ତାହା ବାବଦରେ ଓଡ଼ିଶା ଅନୁଧ୍ୟାନ କରୁଛି । ଓଡ଼ିଶାର ଭୌଗଳିକ ସ୍ଥିତିକୁ ଦେଖି, କ’ଣ କରିବାକୁ ହେବ, କିଭଳି ସର୍ବେକ୍ଷଣ ଓ ଡିପିଆର କରାଯିବ, ସେ ନେଇ ଆଲୋଚନା ହେଉଛି ।

ଏଯାବତ ଭାରତରେ ଦିଲ୍ଲୀ, କୋଲକାତା, ମୁମ୍ବାଇ, ନାଗପୁର, ନୋଏଡା, ଗୁରଗାଁଓ, ଚେନ୍ନାଇ, କୋଚି, ହାଇଦ୍ରାବାଦ, ଜୟପୁର, କାନପୁର, ଅହମ୍ମଦାବାଦ, ବେଙ୍ଗୁଲୁରୁ, ପୁନେ ଆଦି ସହରରେ ମେଟ୍ରୋ ରେଳ ଚଳାଚଳ ଆରମ୍ଭ ହୋଇଛି । ନାଭି ମୁମ୍ବାଇ, ପଟନା, ସୁରଟରେ କାମ ଚାଲିଛି । ଗୋରଖପୁର, ଥିରୁବନନ୍ତପୁରମ, ନାସିକ ପ୍ରସ୍ତାବିତ ପ୍ରକଳ୍ପ ପାଇଁ ଅନୁମୋଦନ ମିଳିଛି । ଆହୁରି ୧୯ଟି ସହରର ପ୍ରସ୍ତାବିତ ପ୍ରକଳ୍ପ ବିଚାରଧୀନ ଅଛି । ଆଗକୁ ଓଡ଼ିଶା ମଧ୍ୟ ମେଟ୍ରୋ ରେଳ ମାନଚିତ୍ରରେ ନାଁ ଯୋଡ଼ିବାକୁ ଲକ୍ଷ୍ୟ ରଖିଛି ।

ଦୀର୍ଘଦିନ ପରେ ମେଟ୍ରୋ ରେଳ ଚଳାଚଳ ପାଇଁ ଓଡ଼ିଶାରେ ପୁଣି ଦାବି ଉଠିଛି । କଟକ-ଭୁବନେଶ୍ୱର ମଧ୍ୟରେ ମେଟ୍ରୋ ରେଳ ଚଳାଚଳ ପାଇଁ ଦାବି ଉଠାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏ ନେଇ ଅପରାଜିତା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ସେ ଦର୍ଶାଇଛନ୍ତି, ମେଟ୍ରୋ ରେଲ ପଲିସି-୨୦୧୭ ଅନୁସାରେ ୨୦ ଲକ୍ଷ ଜନସଂଖ୍ୟା ଥିବା ସହର ପାଇଁ ମେଟ୍ରୋ ରେଳ ଚଳାଚଳ ଯୋଜନା କରାଯାଇପାରିବ । ବର୍ତ୍ତମାନ ଭୁବନେଶ୍ୱର ଜନସଂଖ୍ୟା ୧୨ ଲକ୍ଷ ଟପିଥିବାବେଳେ କଟକର ଜନସଂଖ୍ୟା ପ୍ରାୟ ୧୦ ଲକ୍ଷ ପାଖାପାଖି ହେବ ।

ଭୁବନେଶ୍ୱର ଓ କଟକ ଜନସଂଖ୍ୟା ମିଶିଲେ ୨୨ ଲକ୍ଷ ହୋଇଯିବ । ଭୁବନେଶ୍ୱର ଓ କଟକ ମହାନଗର ନିଗମ ପାଖାପାଖି ଅଞ୍ଚଳକୁ ମିଶାଇଲେ ଜନସଂଖ୍ୟା ୩୦ ଲକ୍ଷ ହେବ । ଯେଉଁଭଳି ଭାବେ ଟ୍ୱିନସିଟିରେ ଜନବସତି ଓ ବ୍ୟବସାୟିକ କାରବାର ବଢ଼ିବାରେ ଲାଗିଛି, ଏଠାରେ ମେଟ୍ରୋ ରେଳ ଚଳାଚଳ କରିବା ନିହାତି ଆବଶ୍ୟକ । ଏ ଦିଗରେ ରାଜ୍ୟ ସରକାର ଶୀଘ୍ର କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରାଳୟକୁ ପ୍ରସ୍ତାବ ପଠାଇବାକୁ ସେ ଦାବି କରିଛନ୍ତି । ସେ ମଧ୍ୟ ଏ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଥିବା ଜଣାଇଛନ୍ତି ।

 ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି, ଭୁବନେଶ୍ୱର-କଟକ ସହର ମଧ୍ୟରେ ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ସମସ୍ତେ ଚାହୁଁଛନ୍ତି। ରାଜ୍ୟ ସରକାର ଏ ନେଇ ବହୁବାର ଦାବି କରିଛନ୍ତି । ରାଜ୍ୟ ସରକାରଙ୍କ ଆଗ୍ରହ ରହିଛି, ଏଥିପାଇଁ କେନ୍ଦ୍ର ସରକାର ସହଯୋଗର ହାତ ବଢ଼ାଇବା ଆବଶ୍ୟକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.