ଭୁବନେଶ୍ବର: ଜିଓର ସୁଲଭ ୪ଜି ଫିଚର୍ ଫୋନ୍ ଜିଓଭାରତ ୪ଜି ମୋବାଇଲ୍ ଦେଶର ୨ଜି ଏବଂ ୩ଜି ଗ୍ରାହକଙ୍କ ପାଇଁ ଏକ ବରଦାନ ସଦୃଶ ହୋଇଛି । ଦେଶରେ ୨ଜି ଏବଂ ୩ଜି ବ୍ୟବହାର କରୁଥିବା ଏକ କୋଟିରୁ ଅଧିକ ଗ୍ରାହକ ଜିଓଭାରତ ମାଧ୍ୟମରେ ୪ଜି ନେଟୱାର୍କ ସହିତ ସଂଯୁକ୍ତ ହୋଇଛନ୍ତି । ୧୦୦୦ ଟଙ୍କାରୁ କମ୍ ମୂଲ୍ୟର ମୋବାଇଲ ଫୋନ୍ ବର୍ଗରେ ଜିଓଭାରତ ୪ଜି ଫୋନ ୫୦ ପ୍ରତିଶତ ବଜାର ଅଂଶ ହାସଲ କରିଛି। ରିଲାଏନ୍ସର ନିକଟରେ ପ୍ରକାଶିତ ବାର୍ଷିକ ରିପୋର୍ଟରେ ଏହା ସାମ୍ନାକୁ ଆସିଛି।
ସୁଲଭ ଜିଓଭାରତ ମୋବାଇଲ୍ ଯୋଗୁଁ, ୨ଜି ଏବଂ ୩ଜି ରୁ ୪ଜି କୁ ବଦଳୁଥିବା ଗ୍ରାହକଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ ଦେଶରେ ଡିଜିଟାଲ୍ ବୈଷମ୍ୟକୁ ଦୂର କରିବାରେ ସହାୟକ ହେଉଛି। ଉଲ୍ଳେଖଯୋଗ୍ୟ ଯେ ଯେ ପ୍ରାୟ ୨୫ କୋଟି ଗ୍ରାହକ ଏବେବି ଫିଚର ଫୋନ୍ ବ୍ୟବହାର କରୁଛନ୍ତି ।
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଅଂଶୀଦାର (ସେୟାରହୋଲ୍ଡର) ମାନଙ୍କୁ ଲେଖିଥିବା ଏକ ପତ୍ରରେ କହିଛନ୍ତି ଯେ ଦେଶର ଡିଜିଟାଲ ବୈଷମ୍ୟକୁ ଦୂର କରିବା ପାଇଁ ଜିଓଭାରତ ଫୋନର ଶୁଭାରମ୍ଭ ହେଉଛି ଆଉ ଏକ ବୈପ୍ଳବିକ ପଦକ୍ଷେପ। ୨ଜି ମୁକ୍ତ ଭାରତର ସ୍ୱପ୍ନକୁ ସାକାର କରିବାରେ ଏହା ଏକ ପ୍ରମୁଖ ପଦକ୍ଷେପ ହୋଇଛି। "
ଏକ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିବା ଜିଓଭାରତ ଫୋନରେ ୟୁପିଆଇ ପେମେଣ୍ଟ, ଜିଓ ସିନେମା ଏବଂ ଜିଓ ଟିଭି ଭଳି ଆପ୍ ଏବଂ ଡିଜିଟାଲ୍ ଫିଚର୍ ରହିଛି । ଏହା ଏକ ଅତ୍ୟନ୍ତ ସୁଲଭ ମୋବାଇଲ ଯାହାକି ଉପଭୋକ୍ତାମାନଙ୍କୁ ସ୍ମାର୍ଟଫୋନ୍ ଭଳି କ୍ଷମତା ସମ୍ପନ୍ନ କରିଥାଏ । ଏହା ଉଚ୍ଚ ଗୁଣବତ୍ତାର ଭାଏସ ଏବଂ ସୁଲଭ ଡାଟା ମଧ୍ୟ ପ୍ରଦାନ କରେ ।