ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅନ୍‌ଲାଇନ ଭୋଟିଂ: ସମୟର ଆବଶ୍ୟକତା

ସାର୍ବଜନୀନ ସାବାଳକ ବ୍ୟବସ୍ଥା ଭାରତୀୟ ସମ୍ବିଧାନର ଅନ୍ୟତମ ବୈଶିଷ୍ଟ୍ୟ । ଭୋଟ ଦେଇ ଉପଯୁକ୍ତ ପ୍ରତିନିଧି ବାଛିବା ଭାରତୀୟ ନାଗରିକଙ୍କ ମୌଳିକ କର୍ତ୍ତବ୍ୟ ଭିତରେ ସ୍ଥାନ ପାଇଅଛି । ଭାରତୀୟ ନାଗରିକ ପ୍ରତି ପାଞ୍ଚବର୍ଷରେ ଥରେ ବିଧାନସଭା ନତୁବା ଲୋକସଭା ନିମନ୍ତେ ନିର୍ବାଚନର ସମ୍ମୁଖୀନ ହୁଅନ୍ତି । ପ୍ରାଚୀନ ଗ୍ରୀସ୍‌ ହେଉ ବା ଅଧୁନା ସ୍ୱିଜରଲ୍ୟାଣ୍ଡରେ ଅନୁସୃତ ହେବାଭଳି ଭାରତରେ ପ୍ରତ୍ୟକ୍ଷ ଗଣତନ୍ତ୍ର ପ୍ରଚଳିତ ନୁହଁ । ପ୍ରତ୍ୟକ୍ଷ ଗଣତନ୍ତ୍ରରେ ଥିବା ପ୍ରତ୍ୟାହାର ବ୍ୟବସ୍ଥା ହେଉ ନତୁବା ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ହେଉ, କମ୍‌ ଜନସଂଖ୍ୟାବିଶିଷ୍ଟ ଭୌଗୋଳିକ କ୍ଷେତ୍ର ପାଇଁ ସେୟା ପ୍ରଯୁଜ୍ୟ । ଭାରତରେ ବ୍ରିଟିଶଙ୍କ ଦ୍ୱାରା ରାଜତନ୍ତ୍ର ଲୋପ ପରେ ସେମାନଙ୍କ ନ୍ୟସ୍ତସ୍ୱାର୍ଥକୁ ଆଖିଆଗରେ ରଖି ହେଉ ଅଥବା ଭାରତୀୟଙ୍କୁ ଭଣ୍ଡେଇ ବୁଝେଇବାକୁ ହେଉ, କୌଣସିମତେ ଇଂଲଣ୍ଡରେ ଅନୁସୃତ ପ୍ରତିନିଧିମୂଳକ ଗଣତନ୍ତ୍ର ବା ପରୋକ୍ଷ ଗଣତନ୍ତ୍ର ବ୍ୟବସ୍ଥା ଲଦି ଦେଇଗଲେ । ସ୍ୱାଧୀନ ହେବାପରେ ନିଃସନ୍ଦେହ ଯେ, ଭାରତୀୟ ସମ୍ବିଧାନ ଲାଗୁହେଲା, କିନ୍ତୁ ବ୍ରିଟିଶଙ୍କ ଆତ୍ମା ଆଜି ବି ସେଥିରେ  ସରକାରୀ ବିଧିବ୍ୟବସ୍ଥାମାନଙ୍କରେ ଖତେଇ ହେଉଛି । ତତ୍କାଳୀନ ପ୍ରଣେତାମାନଙ୍କୁ ମଧ୍ୟ ଦୋଷ ଦେଇହେବ ନାହିଁ, କାରଣ ସେହି ସମୟରେ ଭାରତର ଅବସ୍ଥା ମୁଣ୍ଡ ଟେକି ଚାଲିଲେ ଢେର୍‌ ହେଉଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ସେୟାକୁ ପରିବର୍ତ୍ତନ କରିଦେବାର ଥିଲା । ସେ ଯାହାହେଉ, ଏହି ମାସ ଭାରତରେ ନିର୍ବାଚନ ଅନୁଷ୍ଠିତ ହେଉଛି । ଅଷ୍ଟାଦଶ ଲୋକସଭା ତଥା କିଛି ରାଜ୍ୟର ବିଧାନସଭା ନିମିତ୍ତ ଭୋଟ ପ୍ରକ୍ରିୟା ଚାଲିଛି ।

କିନ୍ତୁ ଏହି ନିର୍ବାଚନ ପ୍ରକ୍ରିୟ ବଡ଼ ଜଟିଳ । ଭୋଟ ଜରିଆରେ ସରକାର ବାଛିବା ପ୍ରକ୍ରିୟାକୁ ସଫଳ କରିବା ପାଇଁ ନିଜ ଜୀବନକୁ ବାଜି ଲଗେଇବାକୁ ପଛାନ୍ତିନି ସରକାରୀ କର୍ମଚାରୀ ସବୁ । କାହାର ବାହାଘର ଦିନ ଡ୍ୟୁଟି ପଡ଼େ ତ କିଏ ନିଜର ସ୍ୱାଗତ ଭୋଜି (ରିସେପ୍ସନ)ରେ ଯୋଗ ଦେଇପାରନ୍ତି ନାହିଁ । ଯଦି ଶତ ପ୍ରତିଶତ ମତଦାନ ହେଉଥାନ୍ତା ତେବେ ଭିନ୍ନ କଥା, କିନ୍ତୁ ଭାରତରେ କେବେ ମଧ୍ୟ ଆଖିଦୃଶିଆ ମତଦାନ ହେଇନାହିଁ । କାହାର ପିତାମାତାଙ୍କ ମୃତ୍ୟୁ ହେଇଗଲେ ମଧ୍ୟ, ଛାଡ଼ ପିତୃକାର୍ଯ୍ୟ କର ରାଜକାର୍ଯ୍ୟ ବୋଲି ପରିଜନ ସବୁ ତଥାକଥିତ ଉତ୍ସାହ ଦିଅନ୍ତି ।

ଅଷ୍ଟାଦଶ ଲୋକସଭା ନିର୍ବାଚନ ପାଇଁ ୯୬.୮ କୋଟିର ମତଦାତା ସୂଚୀ ଭାରତୀୟ ନିର୍ବାଚନ କମିଶନ ଜାରି କରିଛନ୍ତି । ଏହି ଭୋଟର ସଂଖ୍ୟା ଆମେରିକାର ଚାରି ଗୁଣା, ଇଂଲଣ୍ଡର କୋଡ଼ିଏ ଗୁଣା ତଥା ପଡ଼ୋଶୀ ପାକିସ୍ତାନର ସାତ ଗୁଣା ଅଟେ । ୨୦୧୯ ଲୋକସଭାରେ ୯୧.୨ କୋଟି ମତଦାତା ସୂଚୀ ନିର୍ବାଚନ କମିଶନ ଜାରି କରିଥିଲେ, ଯାହା ୧୯୫୧ ମସିହା ତୁଳନାରେ ଛଅ ଗୁଣା ଅଧିକା ।

ଯଦି କ୍ରମାନ୍ୱୟରେ ଭୋଟଦାନ ହାର ଦେଖିବା, ପ୍ରଥମ ନିର୍ବାଚନ  ୧୯୫୧-୫୨ରେ ଅନୁଷ୍ଠିତ ହେଇଥିଲା, ଯେଉଁଠି ମତଦାନ ହାର ଥିଲା ୪୪.୮୭ ପ୍ରତିଶତ ।  ୧୯୫୭ରେ ଦ୍ୱିତୀୟ ଥର ନିର୍ବାଚନ ହେଲା, ଯେଉଁଠି ୪୫.୪୪ ପ୍ରତିଶତ, ତୃତୀୟ ଥର ୧୯୬୨ରେ ୫୫.୪୨ ପ୍ରତିଶତ, ଚତୁର୍ଥ ନିର୍ବାଚନ ୧୯୬୭ରେ ୬୧.୦୪ ପ୍ରତିଶତ, ପଞ୍ଚମ ଥର ୧୯୭୧ରେ ୫୫. ୨୭ ପ୍ରତିଶତ, ଷଷ୍ଠ ଥର ନିମନ୍ତେ ୧୯୭୭ରେ ୬୦.୪୯ ପ୍ରତିଶତ ଭୋଟ ଗ୍ରହଣ ହେଇପାରିଥିଲା । ପରବର୍ତ୍ତୀ ନିର୍ବାଚନମାନଙ୍କରେ ୧୯୮୦ରେ ୫୬.୯୨ ପ୍ରତିଶତ,  ୧୯୮୪ରେ ୬୪.୦୧ ପ୍ରତିଶତ, ୧୯୮୯ରେ ୬୧.୯୫ ପ୍ରତିଶତ, ୧୯୯୧ରେ ୫୬.୭୩ ପ୍ରତିଶତ, ୧୯୯୬ରେ ୫୭.୯୪ ପ୍ରତିଶତ, ୧୯୯୮ରେ ୬୧.୯୭ ପ୍ରତିଶତ ତଥା ୧୯୯୯ରେ ୫୫.୯୯ ପ୍ରତିଶତ ନାଗରିକ ଭୋଟ  ଦେଇଥିଲେ । ୨୦୦୪ ମସିହାରେ ଅନୁଷ୍ଠିତ ଏକବିଂଶ ଶତାବ୍ଦୀର ପ୍ରଥମ ଭୋଟରେ ୫୮.୦୭ ପ୍ରତିଶତ, ୨୦୦୯ରେ ୫୮.୨୧ ପ୍ରତିଶତ, ୨୦୧୪ରେ ୬୬.୪୪ ପ୍ରତିଶତ ତଥା ସର୍ବଶେଷ ନିର୍ବାଚନ ୨୦୧୯ରେ ସଂଘଟିତ ହେଇଥିଲା, ଯେଉଁଥିରେ ମତଦାନ ପ୍ରତିଶତ ଥିଲା ୬୭.୪୦ ପ୍ରତିଶତ । ଏହି ଭୋଟ ହାରର ଅର୍ଦ୍ଧେକରୁ ୧ ଅଧିକା ବା ସର୍ବମୋଟ ଭୋଟର ସଂଖ୍ୟାର ଆପାତତଃ ୩୫ ପ୍ରତିଶତ ଯେଉଁଦଳ ହାସଲ କରିପାରିଲା, ସିଏ ସରକାର ଗଠନ କରେ । ଆମ ଓଡ଼ିଶାର ଯୁକ୍ତଦୁଇ ବା ଦ୍ୱାଦଶ ପରୀକ୍ଷାର୍ଥୀ ଏତିକି ମାର୍କ ରଖିଲେ ଫେଲ୍‌ ହୁଅନ୍ତି । ସାମଗ୍ରିକ ଭାବେ ସେମାନଙ୍କୁ ୩୬ ପ୍ରତିଶତ ଆଣିବାକୁ ହୁଏ । ଏତ ଗଲା ସରକାର ଗଠନର କଥା, କିନ୍ତୁ ଅନଲାଇନ ମତଦାନ କାହିଁକି ଆବଶ୍ୟକ ତାହା ତୃଣମୂଳ ସ୍ତରରେ ଅନୁସୃତ ପରମ୍ପରା ଏବଂ ପ୍ରଥାଗୁଡ଼ିକୁ ଦେଖିଲେ ଜଣେ ସଚେତନ ନାଗରିକ ନିଶ୍ଚୟ ତାହାକୁ ପସନ୍ଦ କରିବ ।

ମତଗ୍ରହଣ ନିମିତ୍ତ ପ୍ରାୟତଃ ବର୍ଷକ ପୂର୍ବରୁ ପ୍ରକ୍ରିୟା ପ୍ରାରମ୍ଭ ହେଇଯାଏ । ସରକାରୀ ହେଉ ଅବା ଅର୍ଦ୍ଧ ସରକାରୀ ସମସ୍ତ କାର୍ଯ୍ୟାଳୟକୁ କର୍ମଚାରୀ ତାଲିକା ମଗାଯାଏ । ଦରମା ଅନୁସାରେ ପ୍ରିଜାଇଡିଂ ଅଫିସର, ଫାଷ୍ଟ ପୁଲିଂରୁ ପଞ୍ଚମ ପୁଲିଂ ଅଧିକାରୀ ସବୁ ବଛାଯାଆନ୍ତି । ସାମାଜିକ ବର୍ଗୀକରଣ ଭଳି ସେଠି ଆୟ ଅନୁସାରେ ବର୍ଗୀକରଣ କରାଯାଏ । ତାଲିମ ବାବଦରେ ସରକାରୀ କେନ୍ଦ୍ର ନିର୍ଦ୍ଧାରଣ ହୁଏ । ପ୍ରଶାସନିକ ଅଧିକାରୀ ଜଣେ ମାଷ୍ଟର ଟ୍ରେନର ଭାବେ ତାଲିମ ଦିଅନ୍ତି । ବିଭିନ୍ନ ଧରଣର ପୋଲିସ କର୍ମଚାରୀ ମଧ୍ୟ ଏଥିରେ ନିଯୁକ୍ତ ହୁଅନ୍ତି । ଭୋଟ ଗ୍ରହଣର ଦିନକ ପୂର୍ବରୁ ମୁଖ୍ୟ କେନ୍ଦ୍ରମାନଙ୍କରେ ଯାଇ ହାଜିରା ଦବାକୁ ହୁଏ । ଯିଏ ଉପସ୍ଥାନ ଦିଅନ୍ତି ନାହିଁ ତାଙ୍କ ବିରୋଧରେ ନନ୍‌ବେଲେବଲ୍‌ ୱାରେଣ୍ଟ ବା ଜାମିନବିହୀନ ଗିରଫ ପରୱାନା ଜାରି କରନ୍ତି କେନ୍ଦ୍ର ମୁଖ୍ୟ । ଯାତାୟାତ ପାଇଁ ଅନେକ ଚାରିଚକିଆ ଗାଡି ଭଡ଼ାରେ ଆଣି ବ୍ୟବହାର କରାଯାଏ । ଏଥିନିମିତ୍ତ ସ୍ୱତନ୍ତ୍ର ଭାବେ ପରିବେଶକୁ ଅଧିକ ଧୂମ ନିର୍ଗମନ ହୁଏ । ଅବଶ୍ୟ ଯେଉଁମାନେ ଭୋଟ କର୍ମଚାରୀ ଭାବେ ନିଯୁକ୍ତ ରହନ୍ତି ତାଙ୍କୁ କିଛି ମାତ୍ରାରେ ଅଧିକ ଦୈନିକ ପାଉଣା ମିଳେ, କିନ୍ତୁ ସମ୍ବେଦନଶୀଳ ସ୍ଥାନମାନଙ୍କରେ ଜୀବନକୁ ପାଣି ଛଡ଼େଇ ଯାଆନ୍ତି ନିଜର ସ୍ତ୍ରୀ ପିଲାଙ୍କୁ ଅନିଶ୍ଚିତତା ମଧ୍ୟରେ ଥୋଇଦେଇ ।

ହିଂସାକାଣ୍ଡର ପରିମାଣ ପୂର୍ବ ଇଲେକ୍ସନମାନ ତୁଳନାରେ ଯଦିଓ କମିଲାଣି କିନ୍ତୁ ଏହା ପୂର୍ଣ୍ଣତଃ ବନ୍ଦ ହେଇନାହିଁ । ରାଜନୈତିକ ବ୍ୟକ୍ତିମାନେ ସାଧାରଣ ଜନତାଙ୍କୁ ଜାତି, ଧର୍ମ, ଗୋଷ୍ଠୀ ନାମରେ ସଂକୀର୍ଣ୍ଣ ଆଦର୍ଶର ବଶବର୍ତ୍ତୀ କରେଇ ମାଦକ ଦ୍ରବ୍ୟ ନତୁବା ଅର୍ଥ ଲୋଭରେ ଭୋଟ କିଣନ୍ତି । ନିର୍ବାଚନରେ ପଇସା ଦେଇଥିବା ଦଳ ହାରିଗଲେ ଦେଇଥିବା ପଇସା ଫେରସ୍ତ ନେବାର ମଧ୍ୟ କିଛି ସ୍ଥାନରେ ନଜିର ରହୁଛି । ରାଜନେତା ଭୋଟ ସରିଲେ ଘରକୁ ପଳାନ୍ତି । କିନ୍ତୁ ନିର୍ବାଚନ ସମୟରେ ହେଇଥିବା ମନୋମାଳିନ୍ୟ ପରବର୍ତ୍ତୀ ପାଞ୍ଚବର୍ଷ ଯାଏଁ ଗାଁମାନଙ୍କରେ ବିଭେଦ ଆଦର୍ଶର ବୀଜ ଅଙ୍କୁରିତ କରାଏ । ପ୍ରାକ୍‌ ନିର୍ବାଚନୀ ହିଂସା ତଥା ପରବର୍ତ୍ତୀ ନିର୍ବାଚନୀ ହିଂସା କେମିତି ହେଉଛି ଏବଂ ସେଥିରେ କ'ଣ ସବୁ ଘଟୁଛି ତାହା କାହାକୁ ଅଛପା ନୁହଁ ।

ଆଜିକାଲି ସମସ୍ତଙ୍କ ହାତରେ ଫୋନ୍‌ ଏବଂ ସେଥିରେ ଆଧାର ନମ୍ବର ସଂଲଗ୍ନ ହେଇ ରହିଅଛି । ଏମିତିରେ ଥରେ ପରୀକ୍ଷାମୂଳକ ଭାବେ କୌଣସି କ୍ଷୁଦ୍ର ଭୌଗୋଳିକ କ୍ଷେତ୍ରରେ ଅନଲାଇନ ଭୋଟିଂ ପରୀକ୍ଷାମୂଳକ ଭାବେ ଲାଗୁ କରାଯାଇପାରେ । ଭାରତୀୟ ବିକେନ୍ଦ୍ରୀକରଣ ବ୍ୟବସ୍ଥାରେ ତୃଣମୂଳ ସ୍ତରୀୟ କର୍ମଚାରୀଙ୍କୁ ନେଇ ଏହି ଅଭିଯାନ ଅନାୟାସରେ ସମ୍ଭବ କରାଯାଇପାରେ । ଯେଉଁମାନେ ଶିକ୍ଷିତ ତଥା ମୋବାଇଲ୍‌ର ଉପଯୁକ୍ତ ବ୍ୟବହାର ଜାଣନ୍ତି ସେମାନେ ଗୋଟିଏ ଥର ପାସୱାର୍ଡ ସହାୟତାରେ ଇଲେକ୍ସନ କମିସନଙ୍କ ୱେବସାଇଟ ତଥା ଆପ୍‌ (ଆପ୍ଲିକେସନ) ଜରିଆରେ ଭୋଟ ଦେଇପାରିବେ । ବର୍ତ୍ତମାନ ଇଲେକ୍ସନ କମିଶନ ସେହି ଦୁଇଟି ମାଧ୍ୟମରେ ଲୋକଙ୍କ ସଂସ୍ପର୍ଶରେ ଅଛନ୍ତି । ସେଥିରେ ଆଉ ପାଦେ ବଢ଼େଇ ଭୋଟ ଗ୍ରହଣର ବ୍ୟବସ୍ଥା ଖଞ୍ଜାଯାଇପାରେ । ଆଉ ଯେଉଁମାନେ ମୋବାଇଲ୍‌ର ବିଶେଷ ବ୍ୟବହାର ଜାଣନ୍ତି ନାହିଁ ସେମାନଙ୍କୁ ତୃଣମୂଳସ୍ତରର କର୍ମଚାରୀ ସହାୟତା ଦେଇପାରନ୍ତି । ତାହା ସହରାଞ୍ଚଳ ହେଉ ଅବା ଗ୍ରାମାଞ୍ଚଳ, ସବୁଠି ପଞ୍ଚାୟତ ଅଫିସ୍‌, ନତୁବା ଗୋଷ୍ଠୀକେନ୍ଦ୍ରରେ ଗୋଟିଏ ପକ୍ଷବ୍ୟାପୀ ଏହି ସଚେତନ କାର୍ଯ୍ୟ କରାଯାଇପାରେ । ଦୂରଦର୍ଶନରେ ପ୍ରସାରିତ ବିଭିନ୍ନ ବିଜ୍ଞାପନ ଭଳି କିଭଳି ଭୋଟ ଦିଆଯିବ ତାହାର ଦୃଶ୍ୟଚିତ୍ର ପ୍ରଦର୍ଶନ କରେଇ ପାରିଲେ ଶିକ୍ଷିତଙ୍କ ନିମନ୍ତେ ଆଉ ସଚେତନତା ଅଭିଯାନ ମଧ୍ୟ ଆବଶ୍ୟକ ପଡ଼ିବନାହିଁ । ବର୍ତ୍ତମାନ ପରିପ୍ରେକ୍ଷୀରେ କିଛି ଲୋକ ଅନାଗ୍ରହ ନିମନ୍ତେ ଭୋଟ ଦେଉନଥିବା ସ୍ଥଳେ ଆଉ କିଛି ଯାତାୟାତରେ ସମସ୍ୟା, ଦଳୀୟ ଆଦର୍ଶବାଦ ତଥା କ୍ରିୟାକଳାପକୁ ନାପସନ୍ଦ କରି ଭୋଟ ଦିଅନ୍ତି ନାହିଁ । କାହାକୁ ଭୋଟ ନଦେଲେ ମଧ୍ୟ ନୋଟାରେ ଭୋଟ୍‌ ବ୍ୟବସ୍ଥା କରି ଭାରତରେ ଶତ ପ୍ରତିଶତ ଭୋଟ ଯଦି କରେଇବାର ଅଛି, ତେବେ ମୋବାଇଲ ମାଧ୍ୟମରେ ଭୋଟ ଗ୍ରହଣକୁ ନିର୍ବାଚନ କମିଶନ ପରୀକ୍ଷା କରିବା ଉଚିତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.