ଜୟପୁର,୨୬/୦୫: ସଦର ବ୍ଲକ ପାଲିଗୁଡ଼ା ହତ୍ୟା ମାମଲାର ପର୍ଦ୍ଦାଫାସ କରିଛି ସଦର ପୁଲିସ । ଗାଧୋଇବା ବେଳେ ଦେହରୁ ଲୁଗା ଖସିଯିବାରୁ ଉତ୍ତ୍ୟକ୍ତ ହୋଇ ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିଲା ସ୍ୱାମୀ । ଏହି ମାମଲାରେ ଅଭିଯୁକ୍ତକୁ ଗିରଫ କରାଯାଇଛି । ସେ ହେଉଛି ପାଲିଗୁଡ଼ାର ବିଭୀଷଣ ଭୂମିଆ(୩୭) । ଆକ୍ରମଣରେ ବ୍ୟବହୃତ ଠେଙ୍ଗା ଜବତ କରାଯାଇଛି । ବିଭୀଷଣକୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ଜେଲ ପଠାଇ ଦିଆଯାଇଥିବା ଆଇଆଇସି ସଚ୍ଚୀନ୍ଦ୍ର ପ୍ରଧାନ କହିଛନ୍ତି ।

ପୁଲିସ ସୂଚନା ଅନୁଯାୟୀ, ପାଲିଗୁଡ଼ାରେ ବିଭୀଷଣ ଓ ସ୍ତ୍ରୀ କମଳା ମାଝୀ ରହୁଥିଲେ । ଗତ ୨୩ ତାରିଖରେ ଗାଁରେ ଏକ ସାମାଜିକ କାର୍ଯ୍ୟକ୍ରମ ଥିଲା । କାମ ସରିବା ପରେ ଗାଧୋଇବା ଲାଗି କମଳା ଯାଇଥିଲେ । ଏହି ସମୟରେ ତାଙ୍କ ଶରୀରରୁ ଲୁଗା ଖସିଯାଇଥିଲା । ଏହାକୁ ନେଇ ରାଗିପାଚି ଲାଲ୍ ହୋଇଯାଇଥିଲା ବିଭୀଷଣ । ଗାଳିଗୁଲଜ ସହ ଧମକଚମକ ଦେଇଥିଲା । ବିରୋଧ କରିବାରୁ କମଳାଙ୍କୁ ଏକ ଠେଙ୍ଗାରେ ପିଟିବା ଆରମ୍ଭ କରିଥିଲା । କମଳାଙ୍କ ଅବସ୍ଥା ଭଲ ନଥିଲେ ବି ଡାକ୍ତରଖାନା ନେଇନଥିଲା । ରାତିରେ ଅବସ୍ଥା ଅଧିକ ବିଗିଡ଼ି ଯାଇଥିଲା । ପରଦିନ ଅର୍ଥାତ ୨୪ ତାରିଖରେ କମଳାଙ୍କ ମୃତ୍ୟୁ ହୋଇଥିଲା ।

ଅଧିକ ପଢ଼ନ୍ତୁ :-  ଶ୍ରୀକ୍ଷେତ୍ରରେ ଲଜ୍ଜା: ବାପ, ଝିଅ ସମ୍ପର୍କରେ କଳଙ୍କ, ଦୁଷ୍କର୍ମ ଉଦ୍ୟମ କରି ଜେଲ ଗଲେ

ଅପରାହ୍ଣ ସାଢେ ୨ଟାରେ କମଳାଙ୍କ ମୃତ୍ୟୁଖବର ପାଇ ପାଲିଗୁଡ଼ାରେ ପହଞ୍ଚିଥିଲେ ସମ୍ପର୍କୀୟ । କମଳାଙ୍କ ପାଟିରୁ ରକ୍ତ ବାହାରୁଥିଲା । ପିଠିରେ ମାଡ଼ ଚିହ୍ନ ରହିଥିଲା । ଏ ସମ୍ପର୍କରେ ପୁଲିସକୁ ଖବର ଦିଆଯାଇଥିଲା । ବିଭୀଷଣ ପିଟିପିଟି ହତ୍ୟା କରିଛି ବୋଲି ଏତଲାରେ ଦର୍ଶାଇଥିଲେ ସମ୍ପର୍କୀୟ । ଆଇଆଇସି ଶ୍ରୀ ପ୍ରଧାନ, ଏସ୍ଆଇ ଶିରୀଶ ମହାପାତ୍ର, ଅମୀୟ ରଞ୍ଜନ ସଗରିଆ, ଏଏସ୍ଆଇ ପ୍ରଶାନ୍ତ ସରକାର ପ୍ରମୁଖ ପହଞ୍ଚିଥିଲେ । ଗାଁ ଲୋକଙ୍କୁ ପଚୁରାଉଚରା କରିଥିଲେ । କୋରାପୁଟ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ବିଭିନ୍ନ ନମୁନା ସଂଗ୍ରହ କରିଥିଲା । ପୁଲିସ ଆଗରେ ଦୋଷ ସ୍ୱୀକାର କରିଥିଲା ବିଭୀଷଣ । ଆଇଆଇସି ଶ୍ରୀ ପ୍ରଧାନ ମାମଲାର ତଦନ୍ତକାରୀ ଅଧିକାରୀ ଅଛନ୍ତି ।