ପାଣ- ଗଣ୍ଡା ସମାଜ ବିକାଶ ପରିଷଦର ଚିନ୍ତନ ବୈଠକ

ବାଉଁଶୁଣୀ ୨୩/୫- ୨୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବୌଦ୍ଧ ଜିଲ୍ଲା ପାଣ- ଗଣ୍ଡା ସମାଜ ବିକାଶ ପରିଷଦର ପ୍ରତିଷ୍ଠା ଦିବସ ତଥା ଚିନ୍ତନ ବୈଠକ ସଭାପତି ରୋହିତ କହଁରଙ୍କ ଅଧ୍ୟକ୍ଷତାରେ ବୌଦ୍ଧ ଜିଲ୍ଲା ବହିରା ବନ୍ୟା ଆଶ୍ରୟସ୍ଥଳୀଠାରେ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ବିଶ୍ୱର ତୃତୀୟ ଜ୍ଞାନୀ , ଦଳିତ ଜାତିର ତ୍ରାଣକର୍ତ୍ତା ତଥା ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବେଦକରଙ୍କ ତୈଳ ଫୋଟ ଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ୱଳନ ସହିତ ପୁଷ୍ପ ମାଲ୍ୟାର୍ପଣ ପରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ପ୍ରାରମ୍ଭରେ ସଙ୍ଗଠନର ପ୍ରତିଷ୍ଠାତା ତଥା ଜିଲ୍ଳା ସାଧାରଣ ସଂପାଦକ ସୁଧାଂଶୁ ଡାଙ୍ଗ ବିଗତ ଦିନର କାର୍ଯ୍ୟକଳାପ , ବୈଠକର ଲକ୍ଷ୍ୟ , ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ ଆଗାମୀ ଦିନର କାର୍ଯ୍ୟ ଖସଡ଼ା ଉପସ୍ଥାପନ କରିଥିଲେ। ଜିଲ୍ଲାର ବିଶିଷ୍ଟ ସମାଜସେବୀ ଅନାଦି ବାଦି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତରତ୍ନ ଡ଼ଃ ଭୀମ ରାଓ ରାମଜୀ ଆମ୍ବେଦକରଙ୍କ ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇ ” ହକ୍ ପାଇଁ ଲଢେଇ ” କରିବା ସକାଶେ ଉପସ୍ଥିତ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ବାନ କରିଥିଲେ । ସଙ୍ଗଠନର ପୂର୍ବତନ ସଭାପତି ତଥା ମୁଖ୍ୟ ଉପଦେଷ୍ଟା ବଟକୃଷ୍ଣ ପ୍ରଧାନ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଭାରତବର୍ଷର ପ୍ରଥମ ଜ୍ଞାନୀ ବାବାସାହେବଙ୍କ ଜୀବନୀ ତଥା ଦଳିତଙ୍କ ପାଇଁ ଉଦ୍ଦିଷ୍ଟ ସାମ୍ବିଧାନିକ ଅଧିକାର , ନାଗରିକ ଅଧିକାର , ମାନବିକ ଅଧିକାର ଏବଂ ରାଜନୈତିକ ଅଧିକାର ଉପରେ ମାର୍ଗଦର୍ଶନ ପ୍ରଦାନ କରିଥିଲେ ।
କନ୍ଧମାଳ ଜିଲ୍ଲା ଅତିରିକ୍ତ ଦୌରାଜର୍ଜଙ୍କ ସେକସନ୍ ଅଫିସର ସୁଜନ ବେହେରା ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସମାଜର ସାମାଜିକ ଏକତା , ସାମାଜିକ ସଂସ୍କାର , ଗୁଣାତ୍ମକ ଶିକ୍ଷା ଏବଂ ଅର୍ଥନୈତିକ ଅଭିବୃଦ୍ଧି ଉପରେ ଉପସ୍ଥିତ ପଞ୍ଚାୟତ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ । ସଂଗଠନ ପକ୍ଷରୁ ଗତ ବର୍ଷ ଜିଲ୍ଲାର ତିନୋଟି ତହସିଲରେ ଆବେଦନ କରିଥିବା ଭୂମି ହୀନ ଏବଂ ଡିହ ହୀନ ହିତାଧିକାରୀଙ୍କୁ ତୁରନ୍ତ ଜମି ପଟ୍ଟା ପ୍ରଦାନ , ଜିଲ୍ଲାର କ୍ରିୟାଶୀଳ ୬୯ ଟି ପଞ୍ଚାୟତ ଏବଂ ଗୋଟିଏ ଏନଏସି କମିଟିକୁ ଜୁନ୍ ମାସ ସୁଦ୍ଧା ପୁନର୍ଗଠନ କରିବା ଏଵଂ ପ୍ରାୟ ୪୦ ବର୍ଷ ହେବ ଅଗଣତାନ୍ତ୍ରିକ , ଅସାମ୍ବିଧାନିକ ଓ ଚଂଚକତା କରି ଅନୁସୂଚିତ ଜାତି ତାଲିକାରେ ସାମିଲ୍ ହେବା ସହିତ ଅସ୍ପୃଶ୍ୟ ନ ହୋଇ ସମସ୍ତ ସୁବିଧା ସୁଯୋଗ ହାସଲ କରିଆସୁଥିବା ନକଲି କେଉଟ , ଧୀବର , କୈବର୍ତ୍ତ ( କେ ଡି କେ ) ମାନଙ୍କୁ ତୁରନ୍ତ ହଟେଇବା ପାଇଁ ସମସ୍ତ ପଞ୍ଚାୟତ ଏବଂ ବ୍ଲକ ରେ ଜୋରଦାର ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଉପ – ସଭାପତି ମକରଧ୍ବଜ ମହାନନ୍ଦିଆ , ବସନ୍ତ କୁମାର ଖୁରା , ଦଶରଥ ବେହେରା , ଜିଲ୍ଲା କୋଷାଧ୍ୟକ୍ଷ ରାମଚନ୍ଦ୍ର ତାଣ୍ଡି , ସହକାରୀ କୋଷାଧ୍ୟକ୍ଷ ଶ୍ରୀନିବାସ ହାତୀ , ଯୁଗ୍ମ ସମ୍ପାଦିକା ସେବତୀ ବେହେରା , ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ନନ୍ଦିନୀ ନାଏକଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ପରିଷଦର ସଂଗଠନ ସମ୍ପାଦକ ଦେବଦତ୍ତ ସାଗର ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶେଷରେ ସହକାରୀ ସାଧାରଣ ସମ୍ପାଦକ କହ୍ନେଇଁ ବାଦି ଧନ୍ୟବାଦ୍ ଅର୍ପଣ କରିଥିଲେ ।