କେନ୍ଦ୍ରାପଡ଼ା/ପଟ୍ଟାମୁଣ୍ଡାଇ,୧୮ା୮(ଆପ୍ର):  କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା  ଅଧୀନ କାଠିଆପଡ଼ା କଲେଜ ଛାତ୍ରୀଙ୍କ ସନ୍ଦିଗ୍ଧ ଆତ୍ମାହୁତି ମାମଲାରେ ବହୁ  ପ୍ରତୀକ୍ଷିତ ଏଫ୍‌ଏମ୍‌ଟି ଓ ଭିସେରା ରିପୋର୍ଟ  ପୁଲିସକୁ ମିଳିଛି । ଛାତ୍ରୀଙ୍କ ମୃତ୍ୟୁର କାରଣକୁ ନେଇ ବିଭିନ୍ନ ଦିଗ ଆଡ଼କୁ ଅଙ୍ଗୁଳି ଉଠୁଥିବା  ବେଳେ ମୃତ୍ୟୁର ପ୍ରାୟ ୧୩ ଦିନ ପରେ ପୁଲିସ  ଏହାର କାରଣ, କେମିତି ଓ କେଉଁ ପରିସ୍ଥିତିରେ  ଅଘଟଣ ହୋଇଥିଲା ତାହା ରିପୋର୍ଟରୁ ସ୍ପଷ୍ଟ  ହୋଇଛି । ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥିବା ଜଣାପଡିଛି। ଏନେଇ କେନ୍ଦ୍ରାପଡ଼ା ଏସ୍‌ପି ସିଦ୍ଧାର୍ଥ କଟ୍ଟାରିଆ ସୂଚନା ଦେଇଛନ୍ତି।

ପୁଲିସର କହିବା କଥା,  ଛାତ୍ରୀଙ୍କ  ମୃତ୍ୟୁର କାରଣ ଅଗ୍ନିକାଣ୍ଡ ଜନିତ ଆଘାତ । ତାଙ୍କ ଶରୀରରେ ସେ ପେଟ୍ରୋଲ ଢାଳି ନିଆଁ ଲଗାଇବା ଯୋଗୁଁ ମୃତ୍ୟୁ ହୋଇଛି । ନିଆଁ ଲାଗିବା ଯୋଗୁଁ  ତାଙ୍କ ଶରୀରର ପ୍ରାୟ ୯୫% ପୋଡ଼ି ଯାଇଥିଲା ।  ତାଙ୍କ ଶ୍ୱସନୀ ଓ ଶ୍ୱାସନଳୀରେ କାର୍ବନ କଣିକା  ମିଳିଛି, ଯାହା ମୃତ୍ୟୁର କାରଣ ଅଗ୍ନିକାଣ୍ଡ ବୋଲି  ସୂଚାଉଛି । ଅଗ୍ନିରେ ଦାହ ଜନିତ ମୃତ୍ୟୁରେ  ଏପରି ଶ୍ୱାସନଳୀରେ କାର୍ବନ କଣିକା ଦେଖିବାକୁ  ମିଳିଥାଏ । ସେହିପରି ମୃତ୍ୟୁ ପୂର୍ବରୁ ସେ ନିଆଁ  ଯୋଗୁଁ ଆଘାତପ୍ରାପ୍ତ ହୋଇଥିଲେ । ଯାହା ମୃତ୍ୟୁ  ପୂର୍ବରୁ ଲାଗିଥିବା ଆଘାତଜନିତ ତଥ୍ୟ (ଆଣ୍ଟି  ମୋର୍ଟମ ରିପୋର୍ଟ)ରେ ସ୍ପଷ୍ଟ ହୋଇଛି । ଅର୍ଥାତ  ଅନ୍ୟ କୌଣସି କାରଣ ପାଇଁ ତାଙ୍କର ମୃତ୍ୟୁ  ହୋଇନାହିଁ ଓ ଏକମାତ୍ର କାରଣ ଆତ୍ମାହୁତି ବୋଲି  ପୁଲିସ କହିଛି ।  ସେହିପରି ଭିସେରା ରିପୋର୍ଟରେ ମଧ୍ୟ କିଛି  ସୁରାକ୍‌ ମିଳିନାହିଁ । ବିଷକ୍ରିୟା ଜନିତ କୌଣସି  କାରଣ ନଥିବା ରିପୋର୍ଟରେ ଦର୍ଶାଯାଇଛି । ଦୁଇଟି  ଯାକ ରିପୋର୍ଟ ମିଳାଇବା ପରେ ପୁଲିସ ଛାତ୍ରୀଙ୍କ  ମୃତ୍ୟୁ ଦାହଜନିତ ହିଁ ଥିଲା ବୋଲି ସିଦ୍ଧାନ୍ତରେ  ପହଞ୍ଚିଛି । 

ଅନ୍ୟପକ୍ଷରେ ଘଟଣାରେ ଛାତ୍ରୀଙ୍କୁ ବ୍ଲାକ୍‌ମେଲ୍‌  କରିବା, ତାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍‌ କରିବା  ତଥା ତାଙ୍କର ମୃତ୍ୟୁ ପାଇଁ ପୂର୍ବତନ ପ୍ରେମିକ  ପ୍ରମୋଦ ବେହେରା ଦାୟୀ ବୋଲି ଅଭିଯୋଗ  ପାଇବା ପରେ ପୁଲିସ ପ୍ରମୋଦକୁ ଗିରଫ  କରିଛି । ଅନ୍ୟଜଣେ ପୁରୁଷ ବନ୍ଧୁଙ୍କୁ କୋଲକାତାରୁ  ହେପାଜତକୁ ନେଇ ପଚରାଉଚରା କରି ଛାଡ଼ି  ଦେଇଛି । ଯଦି ଦ୍ୱିତୀୟ ପୁରୁଷ ବନ୍ଧୁଙ୍କର ଘଟଣା  ସହ କିଛି ସମ୍ପୃକ୍ତି ନଥିଲା, ତା’ ହେଲେ ତାଙ୍କୁ  ଧରିବା ପାଇଁ ପୁଲିସ ଏତେବାଟ କ’ଣ ପାଇଁ  ଯାଇଥିଲା ତାହାକୁ ନେଇ ପ୍ରଶ୍ନ ଉଠିଛି। ଛାତ୍ରୀଙ୍କ ଆତ୍ମହତ୍ୟା ପୂର୍ବରୁ ବାପା ମାଆ ଘରୁ ବାହାରକୁ ଯାଇଥିବା ସିସିଟିଭିରୁ ସ୍ପଷ୍ଟ ହୋଇଛି। ତେବେ ଅନର କିଲିଂ ବୋଲି କୌଣସି ପ୍ରମାଣ ମିଳି ନାହିଁ। ତେ‌ବେ କେଉଁଠୁ ପେଟ୍ରୋଲ ଆସିଲା। ଛାତ୍ରୀ କେମିତି ନିଆଁ ଲଗାଇଥିଲେ ତାହା ଏବେ ବି ତଦନ୍ତ ଚାଲିଛି।  ପ୍ରକାଶଥାଉ କି, ଅଗଷ୍ଟ ୬ ତାରିଖ  ସକାଳେ ନିଜ ଘରୁ ଛାତ୍ରୀଙ୍କ ଦଗ୍‌ଧ ମୃତଦେହ  ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।