ରାଜନଗର, ୧୯/୦୫: ପାଖରେ ଥୁଆ ହୋଇଛି ଏକାଧିକ ବିୟର ବୋତଲ । ଚାଖଣା ଭାବେ ଥୁଆ ହୋଇଛି ଚିକେନ୍ ପକୋଡ଼ା ସାଙ୍ଗକୁ ପୁଦିନା-ଧନିଆପତ୍ର ଚଟଣି । ପ୍ଲାଷ୍ଟିକ୍ ଗ୍ଲାସରେ ବିୟର ଢଳା ହେଉଛି ଓ ବିୟରର ମଜା ନେଉଛନ୍ତି ସରକାରୀ ଅଧିକାରୀ । -ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ବାଲିସାହିପାଟଣା ପଞ୍ଚାୟତରେ । ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ବିଭଞ୍ଜନ ପାତ୍ର ସର୍ବସାଧାରଣ ସ୍ଥାନରେ ଚିକେନ୍ ପକୋଡ଼ା ସହ ବିୟର ପିଉଥିବା ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି । ନିର୍ବାହୀ ଅଧିକାରୀ ଶ୍ରୀ ପାତ୍ର ବିଭିନ୍ନ ସମୟରେ କାର୍ଯ୍ୟାଳୟକୁ ମଦ ପିଇ ଆସୁଥିବା ଅଭିଯୋଗ ରହିଥିଲା । କାର୍ଯ୍ୟାଳୟକୁ ଆସୁଥିବା ଲୋକେ ତାଙ୍କ ଭେଟ ନପାଇ ଫେରିଯାଉଥିଲେ । ଏବେ ନିଶାସକ୍ତ ଅବସ୍ଥାରେ ତାଙ୍କ ଭିଡିଓ ଭାଇରାଲ୍ ହେବା ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ଅଭିଯୋଗ ଅନୁସାରେ, ଶ୍ରୀ ପାତ୍ରଙ୍କ ମନ୍‌ମାନି ଦିନକୁ ଦିନ ବଢ଼ି ଚାଲିଛି । କେତେବେଳେ ବ୍ଲକ୍‌ରେ କାମ ଅଛି ତ କେବେ ବୈଠକ ଅଛି ଅବା ତଦନ୍ତ ଥିବା କହି ସାଧାରଣ ଜନତାଙ୍କୁ ଭୂତାଉଥିଲେ । ଏମିତିକି ସର୍ବସାଧାରଣ ସ୍ଥାନରେ ମଦ ପିଇ ପାଟିତୁଣ୍ଡ କରୁଥିବା ଅଭିଯୋଗ ବି ଥିଲା । ସେ କୌଣସି ଏକ ସ୍ଥାନରେ ବିୟର ପିଉଥିବା ବେଳେ ତା’ର ଫଟୋ ଓ ଭିଡିଓ ଭାଇରାଲ୍ ହୋଇଯାଇଛି ।

ଅଧିକ ପଢ଼ନ୍ତୁ :-  Love Sex Dhokha: ପୁରୀ ବୁଲାଇବାକୁ ଆଣି ଯୁବତୀଙ୍କୁ ଦୁଷ୍କର୍ମ, ବିବାହ କରିବାକୁ ମନା କରି ଯୁବକ ଗିରଫ

ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପାତ୍ରଙ୍କୁ ପଚାରିବାରୁ କହିଛନ୍ତି କି, ମୁଁ ଏକ ବିବାହ ଉତ୍ସବରେ ଯୋଗଦେବାକୁ ଯାଇଥିଲି, ସେଠାରେ ବିୟର ପିଉଥିଲି । ଚାକିରି କରିଛୁ ବୋଲି କ’ଣ ଆମେ ମଦ ପିଇ ପାରିବୁନି ବୋଲି ପାଲଟା ପ୍ରଶ୍ନ କରିଥିଲେ । କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲପାଳ(ରଜସ୍ୱ) ରବୀନ୍ଦ୍ର କୁମାର ମଲିକଙ୍କୁ ପଚାରିବାରୁ କହିଛନ୍ତି ଯେ ରାଜଗର ବିଡିଓଙ୍କ ସହ ସେ ଏ ବିଷୟରେ କଥା ହେବେ । ଘଟଣାର ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ମଲିକ କହିଛନ୍ତି ।