ପାଟନା,୧୧/୧୧; ଦ୍ବିତୀୟ ତଥା ଶେଷ ପର୍ଯ୍ୟାୟ ଭୋଟ୍ ଦେଉଛି ବିହାର । ସକାଳ ୭ଟାରୁ ୨୦ ଜିଲ୍ଲାରେ ୧୨୨ ଆସନରେ ଚାଲିଛି ମତଦାନ । ୧୩୦୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୩ କୋଟିର ଅଧିକ ଜନତା । ବିହାରରେ ମୋଟ ୨୪୩ ବିଧାନସଭା ଆସନ ରହିଛି । ଗତ ୬ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହୋଇଥିଲା । ବିହାର ବ୍ୟତୀତ ୬ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୮ ବିଧାନସଭା ଆସନରେ ଉପନିର୍ବାଚନ ଚାଲିଛି । ନଭେମ୍ବର ୧୪ରେ ଭୋଟ ଗଣତି ହେବା ପରେ ଫଳାଫଳ ପ୍ରକାଶ ପାଇବ ।​​​​​​​

ବିହାରରେ ମୋଟ ୨୪୩ ବିଧାନସଭା ଆସନ ରହିଛି । ଦ୍ବିତୀୟ ଫେଜ୍‌ରେ ଆଜି ୧୨୨ ଆସନରେ ଭୋଟ ଚାଲିଛି । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି ।  ସନ୍ଧ୍ୟା ୬ଟା ଯାଏ ମତଦାନ ଚାଲିବ । ଭୋଟିଂ ସରିବା କ୍ଷଣି ଏକ୍‌ଜିଟ୍‌ ପୋଲ୍‌ ବା ବୁଥ୍‌ବାହୁଡ଼ା  ରିପୋର୍ଟ ଆସିବ । ନଭେମ୍ବର ୧୪ରେ ଭୋଟ ଗଣତି  ହେବା ପରେ ହିଁ ପ୍ରକୃତ ଫଳାଫଳ ସାମ୍ନାକୁ ଆସିପାରିବ ।  ରାଜ୍ୟ ବିଧାନସଭାରେ ବହୁମତ ସଂଖ୍ୟା ୧୨୨ ରହିଛି । ଦ୍ୱିତୀୟ  ବା ଶେଷ ପର୍ଯ୍ୟାୟରେ ୩.୭ କୋଟି ମତଦାତା ମୋଟ ୧,୩୦୨  ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରୁଛନ୍ତି । ଦୀର୍ଘ ୨୫ ବର୍ଷର ବ୍ୟବଧାନ ପରେ ରାଜ୍ୟର ଇମାମଗଞ୍ଜ ସବ୍‌ଡିଭିଜନର ହେରହଜ, ପଥରା  ଓ କେୱଲଡିହ ଗ୍ରାମର ଲୋକମାନେ ପ୍ରଥମ ଥର ପାଇଁ ଭୋଟ ଦେଉଛନ୍ତି । ସେମାନେ ୨୦୦୧ରେ ଶେଷ ଥର ଲାଗି ଭୋଟ ଦେଇଥିଲେ ।  ୧୨୨ ଆସନରେରୁ  ୨୦୨୦ରେ ବିଜେପି ସର୍ବାଧିକ ୪୨ଟିରେ ଜିତିଥିଲା । ଆର୍‌ଜେଡି  ୩୩, ଜେଡିୟୁ ୨୦, କଂଗ୍ରେସ ୧୧ ଏବଂ ବାମ ଦଳ ୫ଟିରେ  ବିଜୟୀ ହୋଇଥିଲା । ସେହିଭଳି ୨୦୧୫ ନିର୍ବାଚନରେ ଜେଡିୟୁ  ଏବଂ ଆର୍‌ଜେଡି ପରସ୍ପର ସହ ମେଣ୍ଟ କରି ଲଢ଼ିଥିଲା ବେଳେ ବିଜେପିର ଆସନ ସଂଖ୍ୟା ୩୬କୁ ହ୍ରାସ ପାଇଥିଲା । ଜେଡିୟୁ- ଆର୍‌ଜେଡି-କଂଗ୍ରେସ ମେଣ୍ଟ ମିଶି ଆଲୋଚ୍ୟ ୧୨୨ ଆସନରୁ  ୮୦ଟି ଅକ୍ତିଆର କରିଥିଲେ । ଏହି ପର୍ଯ୍ୟାୟରେ ଏନ୍‌ଡିଏ ତରଫରୁ ବିଜେପି ସର୍ବାଧିକ  ୫୩ ଆସନରେ ଲଢ଼ୁଥିବା ବେଳେ ଜେଡିୟୁ ୪୪ ଆସନରେ  ଲଢ଼ୁଛି । 

ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚାର ମୁଖ୍ୟ ଜିତନରାମ ମାଁଝୀ  ନିଜ କୋଟାର ସମସ୍ତ ୬ଟି ଆସନରେ ପ୍ରାର୍ଥୀ ଦେଇଛନ୍ତି । ଉପେନ୍ଦ୍ର  କୁଶୱାହଙ୍କ ଆର୍‌ଏଲ୍‌ଏମ୍‌ ୪ ଆସନ ଏବଂ ଏଲ୍‌ଜେପି (ଆର୍‌)  ୧୫ ଆସନରେ ପ୍ରାର୍ଥୀ ଦେଇଛି । ଅନ୍ୟପକ୍ଷରେ ମହାମେଣ୍ଟ  ତରଫରୁ ଆର୍‌ଜେଡି ସର୍ବାଧିକ ୭୧ ଆସନରେ ପ୍ରାର୍ଥୀ ଦେଇଛି ।  କଂଗ୍ରେସ ୩୭ ଆସନରେ ଲଢ଼ୁଛି । ମୁକେଶ ସହନିଙ୍କ ଦଳ ଭିଆଇପିର ୭, ସିପିଆଇ(ଏମ୍‌ଏଲ୍‌)ର ୭, ସିପିଆଇ ୪ ଓ  ସିପିଏମ୍‌ ଗୋଟିଏ ଆସନରେ ନିର୍ବାଚନ ଲଢ଼ୁଛନ୍ତି । ଏହାବ୍ୟତୀତ  ଅସଦୁଦ୍ଦିନ ଓୱେସିଙ୍କ ଦଳ ଏଆଇଏମ୍‌ଆଇଏମ୍‌ ଦ୍ୱିତୀୟ ପର୍ଯ୍ୟାୟରେ ୨୧ ଆସନରେ ପ୍ରାର୍ଥୀ ଦେଇଛି । ପ୍ରଶାନ୍ତ କିଶୋରଙ୍କ  ଜନ ସୁରାଜ ପାର୍ଟି ୧୨୦ ଆସନରେ ଲଢ଼ୁଛି ।