ଆରମ୍ଭ ହେଲା ଯୁକ୍ତ ୨ ପ୍ରାକ୍ଟିକାଲ ପରୀକ୍ଷା, ଏଫ୍ଏମ୍ କଲେଜରେ ବଣ୍ଟା ସରିନି ଆଡମିଟ କାର୍ଡ

ଭୁବନେଶ୍ୱର,୨୮ ।୧(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ୱାରା କରାଯାଉଥିବା ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ସୋମବାରଠାରୁ ଆରମ୍ଭ ହୋଇଛି । ଚଳିତ ବର୍ଷ ସାରା ରାଜ୍ୟରେ ବିଜ୍ଞାନ ବିଭାଗରେ ୯୯ ହଜାର ପିଲା ପରୀକ୍ଷା ଦେଉଥିବା ବେଳେ ବାଣିଜ୍ୟ ବିଭାଗରେ ୨୭ ହଜାର ଓ କଳାରେ ୧ ଲକ୍ଷ ୭୦ ହଜାର ପିଲା ପ୍ରାକ୍ଟିକାଲ ପରୀକ୍ଷା ଦେଉଛନ୍ତି ।
୨ଟି ସିଟିଂରେ ଏହି ପରୀକ୍ଷା କରାଯାଉଛି । ଗୋଟିଏ ସିଟିଂ ସକାଳ ୧୦ରୁ ମଧ୍ୟାହ୍ନ ଗୋଟାଏ ଯାଏଁ ଚାଲିଥିବା ବେଳେ ଦ୍ୱିତୀୟ ସିଟିଂ ଅପରାହ୍ନ ୨ଟାରୁ ସନ୍ଧ୍ୟା ୫ଟା ଯାଏଁ ଚାଲୁଛି । ଆସନ୍ତା ୮ ତାରିଖରେ ରାଜ୍ୟର ସମସ୍ତ କଲେଜରେ ପ୍ରାକ୍ଟିକାଲ ସରିବ । ଯଦି ଏହି ସମୟ ଭିତରେ ପରୀକ୍ଷା ନ ସରେ ତେବେ କଲେଜ କର୍ତ୍ତୃପକ୍ଷ ଆଉ ଅଧିକ ଦୁଇ- ତିନି ଦିନ ସମୟ ନେଇ ପାରିବେ । ଏଥିପାଇଁ କୌଣସି କଡ଼ା ନିୟମ କରାଯାଇ ନାହିଁ ।
ଏକ୍ସଟରନାଲ୍ ତାଲିକା ଚୂଡ଼ାନ୍ତ ହୋଇନଥିବାରୁ ଫକୀରମୋହନ ଜୁନୀୟର କଲେଜରେ ଛାତ୍ରଛାତ୍ରୀଙ୍କୁ ଏଡମିଟକାର୍ଡ ବଣ୍ଟା ଯାଇ ପାରିନି । ଫଳରେ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହୋଇ ପାରିନି । ଆସନ୍ତା ୩୦ ତାରିଖରେ ଏଫ୍ଏମ୍ କଲେଜରେ ପ୍ରାକ୍ଟିକାଲ ପରୀକ୍ଷା ହେବ ବୋଲି କଲେଜର ଅଧ୍ୟକ୍ଷା ମିନତୀ ସେଠୀ ସୂଚନା ଦେଇଛନ୍ତି । ଅପରପକ୍ଷେ ସାରା ରାଜ୍ୟରେ ୨୨ ତାରିଖରୁ ଆଡମିଟକାର୍ଡ ବଣ୍ଟା ହୋଇଥିବା ପରିଷଦ କର୍ତ୍ତୃପକ୍ଷ କହିଛନ୍ତି ।
ଚଳିତ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗରେ ପାଖାପାଖି ୩ଲକ୍ଷ ୬୮ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ପ୍ରଶ୍ନପତ୍ର ରହିବା ପାଇଁ ୨୦୨ଟି ହବ୍ ଓ ପାଖାପାଖି ୧୧ଶହ କେନ୍ଦ୍ର କରାଯାଇଛି । ପୂର୍ବାପେକ୍ଷା ଚଳିତ ବର୍ଷ ପରୀକ୍ଷା ପରିଚାଳନାକୁ ଅଧିକ କଡ଼ାକଡ଼ି କରାଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସମସ୍ତ ପରୀକ୍ଷା ହଲ୍ରେ ସିସିଟିଭି ଲଗାଯିବା ସହିତ ସମ୍ପୂର୍ଣ୍ଣ ଭାବେ ମୋବାଇଲ ଫୋନ ବାରଣ କରାଯାଇଛି ।