ଏନ୍ଏଚ୍ କଡ଼ରୁ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ଶବ ଉଦ୍ଧାର

ବାଣପୁର,୧୫ା୬(ଆପ୍ର): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଜଣେ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ଶବ ଉଦ୍ଧାର କରାଯାଇଛି । ଯୁବତୀଙ୍କୁ ବଳାତ୍କାର ପରେ ହତ୍ୟା କରି ଦୁର୍ବୃତ୍ତମାନେ ଜାଳି ଦେଇଥିବା ସନ୍ଦେହ କରାଯାଉଛି । ପୁଲିସ ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ମୃତ ଯୁବତୀଙ୍କ ପରିଚୟ ମିଳିପାରିନାହିଁ ।
ଥାନା ସୀମା ସରହଦକୁ ନେଇ ପୁଲିସ ଅଧିକାରୀଙ୍କ ମଧ୍ୟରେ ବିବାଦର ସମାଧାନ ହେବାରେ ବିଳମ୍ବ ଯୋଗୁ ପ୍ରାୟ ୬ ଘଣ୍ଟା ଡେରିରେ ଆରମ୍ଭ ହେଲା ତଦନ୍ତ । ସେତେବେଳକୁ ଶବଟି ଅଧିକ ପୋଡ଼ିଯିବାରୁ ମୃତ ଯୁବତୀଙ୍କ ପରିଚୟ ପାଇବା ପୁଲିସ ପକ୍ଷରେ ଅସମ୍ଭବ ହୋଇପଡ଼ିଲା । ରଜ ପର୍ବ ପାଇଁ ସ୍ଥାନୀୟ ଅଞ୍ଚଳ ଉତ୍ସବମୁଖର ହୋଇ ପଡ଼ିଥିବା ବେଳେ ଜଣେ ଯୁବତୀଙ୍କୁ ପୋଡ଼ି ମାରିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି ।
ବାଲୁଗାଁ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ସରନଈ ଓଭରବ୍ରିଜ ପାଶ୍ୱର୍ରେ ଶନିବାର ଭୋର୍ ଗୋଟିଏ ମୃତଦେହ ଜଳୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ । ବାଲୁଗାଁ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବାରେ ଘଟଣାସ୍ଥଳଟି ବାଣପୁର ଥାନା ଅଧୀନରେ ହୋଇଥିବା ଅନୁମାନ କରି ବାଣପୁର ପୁଲିସକୁ ଖବର ଦେଇଥିଲେ । ଉଭୟ ଥାନାର ପୁଲିସ ଅଧିକାରୀ ପହଞ୍ଚି ପାରିପାଶ୍ୱିର୍କ ସ୍ଥିତି ନିରୀକ୍ଷଣ କରିଥିଲେ । ଘଟଣାସ୍ଥଳଟି ବାଣପୁର କିମ୍ବା ବାଲୁଗାଁ ଥାନା ଅଧୀନ ସେ ନେଇ ଉଭୟ ଅଧିକାରୀଙ୍କ ମଧ୍ୟରେ କୌଣସି ସହମତି ପ୍ରକାଶ ପାଇନଥିଲା । ପରେ ସ୍ଥାନୀୟ ପ୍ରଶାସନର ସହାୟତା ନିଆଯାଇଥିଲା । ପ୍ରଶାସନର ମତାମତ କ୍ରମେ ଘଟଣାସ୍ଥଳ ବାଲୁଗାଁ ଥାନା ଅନ୍ତର୍ଗତ ବୋଲି ଚିହ୍ନଟ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା ।
ମୃତଦେହର ଶତକଡା ୭୦ ଭାଗରୁ ଅଧିକ ଅଂଶ ପୋଡ଼ି ଯାଇଥିବାରୁ ସଠିକ ପରିଚୟ ଜଣାପଡ଼ିନାହିଁ । ଶାରୀରିକ ଗଠନରୁ ମୃତଦେହଟି ଜଣେ ଯୁବତୀଙ୍କର ହୋଇଥିବା ଅନୁମାନ କରାଯାଇଛି । ମୃତଦେହର ମୁହଁକୁ ଗୋଟିଏ ସବୁଜ ରଙ୍ଗର ଓଢ଼ଣୀ ଦ୍ୱାରା ଗୁଡ଼ାଇ ଦିଆଯାଇଥିବା ବେଳେ ଶରୀରର ନିମ୍ନ ଭାଗରେ କୌଣସି ବସ୍ତ୍ର ନ ଥିଲା । ମୃତକଙ୍କ ପରିଚୟ ଲୁଚାଇବା ପାଇଁ ଦୁର୍ବୃତ୍ତମାନେ ୪ଟି ଟାୟାରରେ ମୃତଦେହଟିକୁ ଛନ୍ଦି ଦେଇ ପେଟ୍ରୋଲ ପକାଇ ପୋଡ଼ିଦେଇଛନ୍ତି । ମୃତଦେହ ନିକଟରେ ଦୁଇଟି ଭଙ୍ଗା ନାଲି ରଙ୍ଗର ଶଙ୍ଖା ପଡ଼ିଛି । ଘଟଣାସ୍ଥଳର ଅଳ୍ପ ଦୂରରେ ଖାଲି ମଦ ବୋତଲ ଓ ବାଇକ୍ ଚକର ଦାଗ ରହିଛି । ସମ୍ଭବତଃ ଯୁବତୀଙ୍କୁ ଅନ୍ୟ କୌଣସି ସ୍ଥାନରେ ବଳାତ୍କାର ପରେ ତଣ୍ଟିଚିପି ଦୁର୍ବୃତ୍ତମାନେ ହତ୍ୟା କରିଛନ୍ତି । ଘଟଣାସ୍ଥଳ ନିକାଞ୍ଚନ ହୋଇଥିବାରୁ ମୃତଦେହକୁ ଗାଡ଼ିରେ ଆଣି ଏଠାରେ ପୋଡ଼ି ଦେଇଥିବା ଅନୁମାନ କରାଯାଇଛି ।
ଅପରାହ୍ନରେ ଭୁବନେଶ୍ୱରରୁ ସାଇଣ୍ଟିଫିକ ଟିମ୍ ସନ୍ଧାନୀ କୁକୁର ସହ ଖୋର୍ଦ୍ଧା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ କୃତ୍ତିବାସ ଜେନା, ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଦାୟିତ୍ୱରେ ଥିବା ଓମ୍ ପ୍ରକାଶ ପାତ୍ର ଘଟଣାସ୍ଥଳରେ ତଦନ୍ତ କରିଛନ୍ତି । ରିପୋର୍ଟ ଲେଖା ହେବା ବେଳକୁ ମୃତ ଯୁବତୀଙ୍କ ପରିଚୟ ମିଳିନାହିଁ । ଆଖପାଖ ଥାନା ଅଞ୍ଚଳର ନିଖୋଜ ଥିବା ଯୁବତୀଙ୍କ ତଥ୍ୟ ସଂଗ୍ରହ କରି ପୁଲିସ ଘଟଣାର ଅନୁସନ୍ଧାନ ଚଳାଇଛି । ମାତ୍ର ଯୁବତୀଙ୍କ ପରିଚୟ ପାଇନଥିବା ବେଳେ ହତ୍ୟାକାରୀଙ୍କୁ ଧରିବା ପୁଲିସ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।