ଭୁବନେଶ୍ୱର,୧୬/୧୧: ପୁଲିସ ଏସ୍ଆଇ କେଳେଙ୍କାରୀ ମାମଲାରେ ତଦନ୍ତକୁ ସିବିଆଇ ଟିମ୍ ଆଗେଇଛି । ଆସନ୍ତା ସୋମବାର ତଦନ୍ତକାରୀ ଦଳ ବ୍ରହ୍ମପୁର ଯିବେ । ପୂର୍ବରୁ ମାମଲାର ତଦନ୍ତ କରୁଥିବା ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିବେ । ଦୁର୍ନୀତିରେ ସମ୍ପୃକ୍ତ ଦଲାଲମାନଙ୍କ ରିମାଣ୍ଡ ପାଇଁ ଅଦାଲତରେ ଆବେଦନ କରିବେ ।

ସିବିଆଇ ତଦନ୍ତକାରୀ ଦଳ ଶନିବାର ଦିନତମାମ ମାମଲା ସଂକ୍ରାନ୍ତୀୟ କାଗଜପତ୍ର ଯାଞ୍ଚ କରିଥିଲେ । ଆଗାମୀ ଦିନରେ କେଉଁମାନଙ୍କୁ ଜେରା ପାଇଁ ଡକାଯିବ, ଏକ ତାଲିକା ପ୍ରସ୍ତୁତ କରିଥିଲେ । ୭ଜଣ ଦଲାଲଙ୍କୁ ଜେରା କରିବାକୁ ସିବିଆଇ ପୂର୍ବରୁ ଯୋଜନା ରଖିଥିଲା । ଏବେ ମାମଲାରେ ମୂଳରୁ ତଦନ୍ତ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି । କିଛି ଗିରଫ ଆଶାୟୀମାନଙ୍କୁ ମଧ୍ୟ ପଚରାଉଚରା ପାଇଁ ମନ ବଳାଇଛି । କାହିଁକି ନା, ଆଶାୟୀମାନେ ସିଧାସଳଖ କାହାକୁ ଲାଞ୍ଚ ଟଙ୍କା ଦେଇଥିଲେ? କେଉଁ ଦଲାଲ ସହ ସେମାନେ ଡିଲ୍ କରିଥିଲେ? ଏସବୁର ସ୍ପଷ୍ଟ ତଥ୍ୟ ଆଶାୟୀମାନେ ହିଁ ଦେଇପାରିବେ । ତେଣୁ ଆଗାମୀ ଦିନରେ ୧୨ଜଣ ଆଶାୟୀଙ୍କୁ ଜେରା ପାଇଁ ଡକାଯିବ ବୋଲି ସୂଚନା ମିଳିଛି ।

ସୋମବାର ଦିନ ସିବିଆଇ ଦଳ ବ୍ରହ୍ମପୁର ଯିବା ପରେ ସେଠାରେ ମାମଲାରେ ଅଭିଯୋଗକାରୀ ଥିବା ଡିଏସ୍‌ପିଙ୍କ ସହ ଆଲୋଚନା କରିବେ । ଆଶାୟୀମାନେ ଯାଉଥିବା ବସ୍‌କୁ ପିଛା କରି ଆନ୍ଧ୍ରପ୍ରଦେଶ ଯାଇଥିବା ପୁଲିସ ଅଧିକାରୀମାନଙ୍କୁ ମଧ୍ୟ ପଚରାଉଚରା କରିପାରେ । ଏହାପରେ ସିଲିକନ ଟେକଲ୍ୟାବ ସଂସ୍ଥାର ସିଇଓ ସୁରେଶ ନାୟକ ଓ ପଞ୍ଚସଫ୍ଟ ଟେକ୍ନୋଲୋଜି/ଫ୍ରଣ୍ଟଟେକର ନିର୍ଦ୍ଦେଶକ ତଥା ମାଷ୍ଟରମାଇଣ୍ଡ ଶଙ୍କର ଓ ଅନ୍ୟତମ କାର୍ପଟଦାର ମୁନା ସହ ମୋଟ ୭ଜଣଙ୍କୁ ରିମାଣ୍ଡ ଆଣିବାକୁ ସିବିଆଇ ଅଦାଲତରେ ଆବେଦନ କରିବ ।