କଂଗ୍ରେସ ଛାଡ଼ିବିନି: ପ୍ରଫୁଲ୍ଲ
ଭୁବନେଶ୍ୱର,୧୯ା୧(ବ୍ୟୁରୋ): “କଂଗ୍ରେସ ଛାଡ଼ିବି ନାହିଁ । କଂଗ୍ରେସରେ ରହିବି । କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବି ।” ଦଳ ଡିଆଁ ଚର୍ଚ୍ଚାକୁ ଖଣ୍ଡନ କରି ତଳସରା ବିଧାୟକ ପ୍ରଫୁଲ୍ଲ ମାଝି ଏଭଳି ଦମ୍ଭୋକ୍ତି ରଖିଛନ୍ତି ।
ନବ ଦାସ ଓ ଯୋଗେଶ ସିଂହଙ୍କ ଭଳି ତଳସରା ବିଧାୟକ ପ୍ରଫୁଲ୍ଲ ମଧ୍ୟ କଂଗ୍ରେସ ଛାଡ଼ିବାକୁ ଯୋଜନା କରୁଥିବା ନେଇ ବେଶ୍ କିଛିଦିନ ହେବ ଚର୍ଚ୍ଚା ହେଉଛି । ଏପରିକି ସେ ବିଜେଡି କ୍ୟାମ୍ପ ସହ ଯୋଗାଯୋଗରେ ଥିବା ଅନେକ ଅନୁମାନ କରୁଥିଲେ । ମାତ୍ର ସବୁ ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ପ୍ରଫୁଲ୍ଲ । ଗଣମାଧ୍ୟମକୁ ପ୍ରଫୁଲ୍ଲ କହିଛନ୍ତି, ସେ କଂଗ୍ରେସ ଛାଡ଼ିବାର ପ୍ରଶ୍ନ ଉଠୁନି । ତେଣୁ ଅନ୍ୟ କୌଣସି ଦଳକୁ ଯିବାର ନାହିଁ । ସବୁ ନେତା ସମାନ ନୁହନ୍ତି । ତେଣୁ ଏଭଳି ଚର୍ଚ୍ଚାର କୌଣସି ମାନେ ନାହିଁ । ବର୍ତ୍ତମାନ ଛତିଶଗଡ଼ ନିର୍ବାଚନ ଫଳାଫଳ ପ୍ରଭାବ ତାଙ୍କ ନିର୍ବାଚନମଣ୍ଡଳୀରେ ଅନୁଭୂତ ହେଉଛି । ତେଣୁ କଂଗ୍ରେସର ସ୍ଥିତି ଆହୁରି ମଜବୁତ ଅଛି ।
ସେ ଆହୁରି କହିଛନ୍ତି, ଯେଉଁମାନେ ଦଳ ଛାଡ଼ୁଛନ୍ତି, ତାହାର ବିଶେଷ ପ୍ରଭାବ ସଂଗଠନ ଉପରେ ପଡ଼ିବ ନାହିଁ । କାଁ ଭାଁ ନେତା ଦଳ ଛାଡ଼ୁଛନ୍ତି । ହେଲେ ଆଗାମୀଦିନରେ ବହୁ ବରିଷ୍ଠ ନେତା କଂଗ୍ରେସ ସହ ଯୋଡ଼ି ହେବା ସମ୍ଭାବନା ରହିଛି ।