ଭୁବନେଶ୍ୱର,୧୩/୦୩: ୨୦୧୧ରେ ‘ପ୍ରମେୟ’ ଆତ୍ମପ୍ରକାଶ କରିଥିଲା ଜାଗମରାସ୍ଥିତ ମୁଖ୍ୟାଳୟରେ । ୧୫ ବର୍ଷ ପରେ ‘ପ୍ରମେୟ’କୁ ମିଳିଛି ନୂଆ ଠିକଣା । ଖଣ୍ଡଗିରି ଜୟଦେବ ବାଟିକା ଛକରୁ ନାକାଗେଟ୍ ଛକ ରାସ୍ତାରେ ନିର୍ମାଣ ହୋଇଥିବା ସୌଧ ଏବେ ନୂଆ ଠିକଣା ପାଲଟିଛି । ଏଣିକି ଏହିଠାରୁ ‘ପ୍ରମେୟ’ କାର୍ଯ୍ୟ କରିବ । ଗୁରବାର ଅପରାହ୍ନରେ ସୁମା ରିଅଲ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ ନିର୍ଦ୍ଦେଶିକା ଶାଶ୍ୱତୀ ଦାସ ‘ପ୍ରମେୟ’ ନୂଆ ମୁଖ୍ୟାଳୟକୁ ଫିତା କାଟି ଉଦ୍‌ଘାଟନ କରିଛନ୍ତି । ଗ୍ରୁପ୍ ଏଡିଟର ଗୋପାଳକୃଷ୍ଣ ମହାପାତ୍ର, ସିଇଓ ସୁନୀଲ ଦାସ, ଗ୍ରୁପ ନିର୍ଦ୍ଦେଶକ(ସେଲସ୍ ଓ ମାର୍କେଟିଂ) ହିମାଂଶୁ ହୋତା, ନ୍ୟୁଜ-୭ କାର୍ଯ୍ୟ ନିର୍ବାହୀ ସମ୍ପାଦକ ଦେବ ନାରାୟଣ ସେଠୀଙ୍କ ସମେତ ସମସ୍ତ ବିଭାଗର ଅଧିକାରୀମାନେ ଉଦ୍‌ଘାଟନୀ ପର୍ବରେ ଉପସ୍ଥିତ ଥିଲେ । ସନ୍ଧ୍ୟାରେ ନୂଆ ମୁଖ୍ୟାଳୟରୁ କାମ ଆରମ୍ଭ ହୋଇଛି ।

ଉଦ୍‌ଘାଟନ କାର୍ଯ୍ୟକ୍ରମ ଅବସରରେ ନିର୍ଦ୍ଦେଶିକା ଶ୍ରୀମତୀ ଦାସ କହିଛନ୍ତି, ପ୍ରମେୟର କଳେବର ପ୍ରତିଦିନ ବଢ଼ିଚାଲିଛି । ପାଠକଙ୍କ ଆଦୃତି ଓ ଆର୍ଶୀବାଦ, କର୍ମଚାରୀଙ୍କ ନିଷ୍ଠା ଯୋଗୁ ପ୍ରମେୟ ଆଜି ଅଗ୍ରଣୀଙ୍କଠାରୁ ଆଗରେ ରହିଛି । ପ୍ରମେୟ କେବେ ବ୍ୟବସାୟିକ ଉଦ୍ଦେଶ୍ୟ ରଖି ନୁହେଁ, ସାମାଜିକ ଦାୟିତ୍ୱ ତୁଲାଇବା ଓ ଲୋକଙ୍କ ସ୍ୱର ହେବାକୁ ସୃଷ୍ଟି ହୋଇଛି ।

ଏହାର ମୂଳ ଉଦ୍ଦେଶ୍ୟ, ସମାଜକୁ କିଛି ଦେବା । ସଫଳ ମହିଳାଙ୍କୁ ସମ୍ମାନ ଜଣାଇବାକୁ ୱିମେନ ଆଚିଭର୍ସ ଅଫ ଓଡ଼ିଶା(ୱାଓ), ମାଟ୍ରିକ ପିଲାଙ୍କ ପାଇଁ ଗାଇଡ୍, ସଫଳ ମହିଳା ଉଦ୍ୟୋଗୀଙ୍କ ପାଇଁ ଉଦ୍ୟୋଗ ଉର୍ଜା ଭଳି କାର୍ଯ୍ୟକ୍ରମ ମହିଳାଙ୍କୁ ଉତ୍ସାହିତ କରୁଛି । ପ୍ରତି କର୍ମଚାରୀ ଏହି ସାମାଜିକ ଦାୟିତ୍ୱବୋଧରୁ ଓହରି ନ ଯିବାକୁ ଶ୍ରୀମତୀ ଦାସ ଆହ୍ୱାନ ଜଣାଇଥିଲେ । ‘ପ୍ରମେୟ’ର ସବୁ ସାମ୍ବାଦିକ ଓ କର୍ମଚାରୀ ନୂଆ ଅଫିସ୍‌ରୁ ନୂଆ ଲକ୍ଷ୍ୟ ହାସଲ ପାଇଁ ଉତ୍ସାହର ସହ କାମ କରିବାକୁ ପରାମର୍ଶ ଦେଇଥିଲେ।

ଅଧିକ ପଢ଼ନ୍ତୁ :- ୩ ଦିନରେ ତାତି ଆହୁରି ୩ ଡିଗ୍ରୀ ବଢ଼ିବ, ୪୦ଡିଗ୍ରୀ ଡେଇଁଲା ଝାରସୁଗୁଡ଼ା ପାରଦ