ଖୁଣ୍ଟ ଅଛି, ବିଜୁଳି ନାହିଁ: ୫ ଗ୍ରାମବାସୀଙ୍କ ପ୍ରତିବାଦ

ରାୟଗଡ଼ା ୧/୧୨(ଆପ୍ର): ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଗୋଡ଼ିବାଲି ପଂଚାୟତର ୫ ଗ୍ରାମବାସୀ ୪ ବର୍ଷ ହେବ ବିଦ୍ୟୁତ ଚାହିଁ ରହିଛନ୍ତି। ଗାଁ ମାନଙ୍କରେ ଖୁଣ୍ଟ ପୋତିବା ପରେ ମଧ୍ୟ ବିଦ୍ୟୁତ ସଂଯୋଗ ହୋଇପାରିନାହିଁ। ଏହାର ପ୍ରତିବାଦରେ ଆଜି ଗ୍ରାମବାସୀ ଆଜି ବିଦ୍ୟୁତ୍ ଯୋଗାଣ ଦାବିରେ ଟିପିଏସ୍ଓଡିଏଲ୍ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ । ସେମାନଙ୍କ କହିବା ପ୍ରକାରେ, ଗୋଡ଼ିବାଲି ପଂଚାୟତ ଅନ୍ତର୍ଗତ ହାକ୍ରିପିୟୁ, ତାଡ଼ିବଡ଼ା, ପାଡ୍ରିଗୁଡ଼ା, କାଂଚିମି ଏବଂ ଜାମଡ଼ିମସ୍କା ଗ୍ରାମରେ ବିଦ୍ୟୁତ୍ ଯୋଗାଣ ପାଇଁ ୨୦୧୮ ମସିହାରୁ ବିଦ୍ୟୁତ୍ ଖୁଣ୍ଟ ପୋତାଯାଇଛି। କିନ୍ତୁ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ହୋଇନାହିଁ । ଯାହାଫଳରେ ଉକ୍ତ ୫ ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ବିଦ୍ୟୁତ ନଥିବା ଯୋଗୁଁ ପାନୀୟ ଜଳ, ପିଲାଙ୍କ ପାଠ ପଢ଼ାରେ ବହୁତ ବ୍ୟାଘାତ ସୃଷ୍ଟି ହେଉଛି । ରାତିରେ ବନ୍ୟଜନ୍ତୁ ଭୟ ସର୍ବଦା ଲାଗି ରହୁଛି। ସରକାର କିରୋସିନି ଯୋଗାଣ ବନ୍ଦ କରି ଦେଇଛନ୍ତି। ଫଳରେ ଲଣ୍ଠନ ମଧ୍ୟ ଲଗାଇବା ବନ୍ଦ ହୋଇଯାଇଛି। ସୂଚନା ଅନୁଯାୟୀ, ହାକ୍ରିପିୟୁ ଗ୍ରାମରେ ୧୬, ତାଡ଼ିବଡ଼ାରେ ୨୫, ପାଡ୍ରିଗୁଡ଼ାରେ ୧୩, କାଂଚିମିରେ ୧୦ ଏବଂ ଜାମଡ଼ିମସ୍କାରେ ୧୨ ଟି ଘର ରହିଛି । କିନ୍ତୁ ସ୍ୱାଧୀନତାର ୭୫ ବର୍ଷ ବିତିଯାଇଥିଲେ ମଧ୍ୟ ବର୍ତମାନ ପର୍ଯ୍ୟନ୍ତ ସେମାନେ ବିଜୁଳି ଆଲୁଅ ଦେଖି ନାହାଁନ୍ତି। ସେମାନଙ୍କ ପାଇଁ ବିଜୁଳି ସ୍ୱପ୍ନ ହୋଇ ରହିଛି ବୋଲି ଗ୍ରାମର ବାସିନ୍ଦା ପ୍ରକାଶ କରିଛନ୍ତି ।
ଏନେଇ ବିଭାଗୀୟ ଅଧିକାରୀଙ୍କୁ ଲଗାତାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଶେଷରେ କୌଣସି ଉପାୟ ନପାଇ ଆଜି ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ରାୟଗଡ଼ା ନିର୍ବାହୀ ଯନ୍ତ୍ରୀ ଅସୁସ୍ଥତା କାରଣରୁ ଦାୟିତ୍ୱରେ ଥିବା ଗୁଣପୁର ନିର୍ବାହୀ ଯନ୍ତ୍ରୀ ଜି. ପ୍ରଦୀପ କୁମାର ରାଓ ଉକ୍ତ ବିଷୟରେ ବୁଝି ଶୀଘ୍ର ବିଦ୍ୟୁତ ଯୋଗାଣ ବ୍ୟବସ୍ଥା କରାଇବେ ବୋଲି କହିଛନ୍ତି । ଏହି ଘେରାଉ ସମୟରେ ଜିଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡା, ବରିଷ୍ଠ ନେତା ଆପଲସ୍ୱାମୀ କାଡ୍ରାକା ଏବଂ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ । କମ ଦିନ ମଧ୍ୟରେ ଯଦି ବିଦ୍ୟୁତ୍ ସଂଯୋଗ ନହୁଏ ତେବେ ଏକ ବଡ଼ ଧରଣର ଆନ୍ଦୋଳନ ସହିତ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ତାଲା ପକାଯିବ ବୋଲି ଗ୍ରାମବାସୀ ସୂଚନା ଦେଇଛନ୍ତି ।