ପୁରୀ, ୭।୧: ପୁରୀ-କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ (ପିକେଡିଏ)ର ୩୫ତମ ସମୀକ୍ଷା ବୈଠକ ପୁରୀ ସର୍କିଟ୍ ହାଉସ୍ ଠାରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ପିକେଡିଏ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପୁରୀ-କୋଣାର୍କ ଅଞ୍ଚଳର ସମଗ୍ର ଓ ସୁଯୋଜିତ ଉନ୍ନୟନ, ଐତିହ୍ୟ ସଂରକ୍ଷଣ, ସହର ପରିକଳ୍ପନା, ଗୃହ ନିର୍ମାଣ, ପାରିପାଶ୍ୱିର୍କ ଉନ୍ନୟନ ଓ ପ୍ରଶାସନିକ ସୁଦୃଢ଼ତା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ବହୁ ନିଷ୍ପତ୍ତି ନିଆଯାଇଛି । ବୈଠକରେ ଶ୍ରୀଜଗନ୍ନାଥ ମନ୍ଦିର ଠାରୁ ଗୁଣ୍ଡିଚାମନ୍ଦିର(ଗ୍ରାଣ୍ଡ୍ ରୋଡ଼) ପାର୍ଶ୍ୱ ଅଞ୍ଚଳରେ ଏକରୂପ ଡିଜାଇନ୍ ଓ ରଙ୍ଗ ବ୍ୟବସ୍ଥା, ଐତିହ୍ୟ ସ୍ଥଳ, ଐତିହ୍ୟ ଭବନ ଓ ପ୍ରାକୃତିକ ଅଞ୍ଚଳ ସଂରକ୍ଷଣ ପାଇଁ ଉପଯୁକ୍ତ ନିୟମାବଳୀ ପ୍ରସ୍ତୁତ ଓ ଅବଗତ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । 

ସେହିପରି ବିଲ୍ଡିଂ ପ୍ଲାନ୍ ଅନୁମୋଦନ ପ୍ରକ୍ରିୟାକୁ ସରଳ କରିବା ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ସହ ଏନ୍ଓସି ପ୍ରକ୍ରିୟାକୁ ସମୟ ସୀମା ଭିତ୍ତିକ କରିବା ଉପରେ ଆଲୋଚନା କରାଯାଇଥିଲା । ଯଦି ୩୦ ଦିନରେ ଏନ୍ଓସି ନମିଳେ ଗୃହ ନିର୍ମାଣ ସମ୍ପର୍କିତ ଆବେଦନକୁ ଓଡ଼ିଶା ଉନ୍ନୟନ ପ୍ରାଧିକରଣ ଆଇନ୍ ଅନୁସାରେ ପ୍ଲାନ୍ ଅନୁମୋଦନ କରାଯିବା ପ୍ରସ୍ତାବ ରଖାଯାଇଛି । ବୈଠକରେ ଟାଉନ୍ ପ୍ଲାନିଂ (ଟିପି) ସ୍କିମ୍, ବାଲୁଖଣ୍ଡରେ ପିପିପି ମଡେଲ୍ରେ ବହୁତଳ କୋଠା ନିର୍ମାଣ ପ୍ରକଳ୍ପ, ପିକେଡିଏ ପାଇଁ କ୍ୟାଡର୍ ପୁନର୍ଗଠନ ଓ କର୍ମଚାରୀ ନିଯୁକ୍ତି, ପ୍ରୋଜେକ୍ଟ ମନିଟରିଂ ୟୁନିଟ୍ ସ୍ଥାପନ ଏବଂ ଦୀର୍ଘକାଳୀନ କାର୍ଯ୍ୟଭାର ନେଉଥିବା କର୍ମଚାରୀଙ୍କ ନିୟମିତୀକରଣ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ସେଥିପାଇଁ ସମଗ୍ର ପିକେଡିଏ ଅଞ୍ଚଳ ଓ ପ୍ରସ୍ତାବିତ ବିସ୍ତାରିତ ଅଞ୍ଚଳକୁ ଅନ୍ତର୍ଭୁକ୍ତ କରି ଏକ ନୂତନ ଓ ସଂଶୋଧିତ ସମ୍ପୂର୍ଣ୍ଣ ଉନ୍ନୟନ ପ୍ରଣାଳୀ ପ୍ରସ୍ତୁତ କରିବା ପାଇଁ ଅନୁମୋଦନ ଦିଆଯାଇଛି ।

ବୈଠକରେ ପିକେଡିଏ ପରିଚାଳନାରେ ଥିବା ସହରର ପ୍ରମୁଖ ମାର୍କେଟ୍ କମ୍ପେ୍ଲକ୍ସଗୁଡ଼ିକର ଅପରେସନ୍ ଓ ମେଣ୍ଟେନାନ୍ସ, ସ୍ମାର୍ଟ ପାର୍କ, ବାଲିଆପଣ୍ଡା ଅଞ୍ଚଳ ଓ ପିକେଆର୍ଆଇଟି କଲୋନୀ ଆଲୋକୀକରଣ, ପିକେଡିଏ କାର୍ଯ୍ୟାଳୟ ଭବନର ମରାମତି, ତାଳବଣିଆ ଚିଲଡ୍ରେନ୍ ପାର୍କ ପରିଚାଳନା କରିବା ପାଇଁ ଟେଣ୍ଡର କରିବାକୁ ଆଲୋଚନା ହୋଇଥିଲା । ପିକେଡିଏ ସଚିବଙ୍କ ଆର୍ଥିକ କ୍ଷମତା ବୃଦ୍ଧି ସମ୍ପର୍କିତ ପ୍ରସ୍ତାବ ଉପରେ ମଧ୍ୟ ଆଲୋଚନା ଓ ନିଷ୍ପତ୍ତି ନିଆଯାଇଛି । ବୈଠକ ଶେଷରେ ଆର୍ଥିକ ବର୍ଷ ୨୦୨୪-୨୫ ଓ ୨୦୨୫-୨୬ ପାଇଁ ବଜେଟ୍ ଅନୁମୋଦନ କରାଯାଇଛି । ପୁରୀ-କୋଣାର୍କ କର୍ତ୍ତୃପକ୍ଷ ଅଧୀନ ଅଞ୍ଚଳରେ ଐତିହ୍ୟ ଓ ଧାର୍ମିକ ଗୌରବକୁ ସୁରକ୍ଷିତ ରଖି ସୁଯୋଜିତ ଓ ସୁସ୍ଥାୟୀ ଉନ୍ନୟନ କରିବାକୁ ରାଜ୍ୟ ସରକାର ପ୍ରାଥମିକତା ଦେବେ ବୋଲି ବୈଠକରେ ମନ୍ତ୍ରୀ ମହାପାତ୍ର କହିଥିଲେ । ବୈଠକରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ପୁରୀ ମ୍ୟୁନିସିପାଲିଟିର ଅଧିକାରୀ, ରାଜ୍ୟ ଟାଉନ୍ ପ୍ଲାନିଂ ନିର୍ଦେଶକଙ୍କ ସମେତ ବହୁ ପ୍ରାଶାସନିକ ଅଧିକାରୀ ଉପସ୍ଥିତ ଥିଲେ ।