ପୁରୀ,୧୦/୦୬: ରବିବାର ରଥଖଳାରେ ଗରଗରା ଓ ଚାରିନାହାକା ନିର୍ମାଣ ଉପରେ ଗୁରୁତ୍ୱ ଦିଆଯାଇଛି । ରଥ ତ୍ରୟର ୬ ଗରଗରା ଓ ୧୨ ନାହାକା ରହିଛି । ଏହାକୁ ବାରିସିରେ ହାଣି ପ୍ରସ୍ତୁତ କରୁଛନ୍ତି ବିଶ୍ୱକର୍ମା । ଏଥିସହ ଦଣ୍ଡା ହଣା ଜାରି ରହିଛି । ୫ ଦଣ୍ଡା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସେହିଭଳି କରତି ସେବକମାନେ ଗୟଳ ତିଆରି ଜାରି ରଖିଛନ୍ତି । ପୂର୍ବରୁ ତିନି ରଥର ୪୨ ଚକ ଓ ୨୧ ଅଖ ତିଆରି ସରିଛି । ଏଣିକି ଚକ ଓ ଅଖ ସଂଯୋଗ ଉପରେ ନିର୍ମାଣକାରୀଙ୍କ ନଜର ।
ଚକ ଓ ଅଖ ସଂଯୁକ୍ତ ହୋଇ ରଥର ମୂଳଦୁଆ ପ୍ରସ୍ତୁତ ହେବ । ଅଖ ଉପରେ ଦଣ୍ଡା ପଡ଼ିବ । ଚଉତା ଓ ମୁହାଁଟରେ ଦାଗ ଦେଇ ବିନ୍ଧ କରାଯାଇଛି । ପ୍ରତି ରଥରେ ଦୁଇଟି ଲେଖାଏଁ ମୁହାଁଟରେ ୫ଟି କରି ୧୦ ବିନ୍ଧ ହୋଇଛି । ୫ଦଣ୍ଡାର ଆଗରେ ପଛରେ ମୁହାଁଟ ସଂଯୁକ୍ତ ହେବ । ଏହାଦ୍ୱାରା ରଥର ଚେସିସ୍ ମଜଭୁତ୍ ହେବ । ଦଣ୍ଡା ଉପରେ ଗରଗରା ରହିବ । ଗରଗରା ଉପରେ ଚାରି ନାହାକା ଉଠିବ । ଏହା ରଥ ଉପରି ଭାଗ କାମ । ୪ ନାହାକା ଉପରେ ଭୂଇଁ ଟୁଙ୍ଗୁରା ହେବ । ପ୍ରଥମ ଭୂଇଁ ଉପରେ ୪ଟି ଖମ୍ବୀ ଓ ଦ୍ୱିତୀୟ ଭୂଇଁ ଉପରେ ୪ଟି ଖମ୍ବୀ ଲାଗିବ । ତା’ ଉପରେ ପୋଟଳ ଖମ୍ବୀ ଲାଗି ତୃତୀୟ ଭୂଇଁ ରହିବ ।
ବିଶ୍ୱକର୍ମାମାନେ ଧଉରା କାଠ ଗଣ୍ଡିକୁ ବାରିସିରେ ହାଣି ଗରଗରା ଚଉପଟ କରୁଛନ୍ତି । ପ୍ରତି ରଥରେ ଦୁଇଟି ଗରଗରା ଲାଗିବ । ଗରଗରା ଉପରେ ରଥର ଉପର ଅଂଶର ସମ୍ପୂର୍ଣ୍ଣ ଭାରା ରହିବ । ରଥ ଅମିନ ରଥର ବିଭିନ୍ନ ଅଂଶ ପାଇଁ କାଠ ଯୋଗାଡ଼ିବାରେ ବ୍ୟସ୍ତ । ଭୋଇ ସେବକ ବିଶ୍ୱକର୍ମାଙ୍କ ପରାମର୍ଶ ଅନୁସାରେ କାଠ ଯୋଗାଉଛନ୍ତି । ରଥ ଖଳାରେ କୋଣଗୁଜରେ ଅଳଙ୍କରଣ କାର୍ଯ୍ୟ ଜାରି ରଖିଛନ୍ତି ରୂପକାର ସେବକ । ମୁଖ୍ୟ କରତି ସେବକ ରଣଜିତ ମହାରଣାଙ୍କ ତତ୍ତ୍ୱାବଧାନରେ ରଥର ପୋଲ ଗୟଳ କାମ ଚାଲିଛି । ୪୦ଫୁଟିଆ ଧଉରା କାଠରେ ଗୟଳ ତିଆରି ହେଉଛି । ଓଝା ସେବକମାନେ ଶାଳରେ ରଥ ପାଇଁ ଆବଶ୍ୟକ ଲୁହା ସାମଗ୍ରୀ ତିଆରୁଛନ୍ତି।