ପୁରୀ,୧୧/୦୬: ବନବିଭାଗ ପଠାଇଥିବା ରଥ କାଠ ପୋଲା ପଡ଼ିବାରେ ନିର୍ମାଣକାରୀଙ୍କ ମୁଣ୍ଡ ବିନ୍ଧା ବଢିଛି । ଦୀର୍ଘ ସମୟ ଧରି ଅନେକ ପରିଶ୍ରମ କରି ଦଣ୍ଡା ପ୍ରସ୍ତୁତ କଲାବେଳକୁ କାଠ ପୋଲା । ଫଳରେ ନିର୍ମାଣକାରୀଙ୍କ ସବୁ ପରିଶ୍ରମ ବୃଥା ଯାଇଛି । ରଥର ଦଣ୍ଡା ହଣା ଶେଷ ବେଳକୁ କାଠ ପୋଲା ଥିବା ଜଣାପଡ଼ିଛି । ନନ୍ଦିଘୋଷ ରଥର ୩ଟି ଓ ଦର୍ପଦଳନ ରଥର୨ଟି ଦଣ୍ଡା କାଠ ପୋଲା ପଡ଼ିଥିବା ସୂଚନା ରହିଛି । ଏଣୁ ପୋଲା କାଠ ବଦଳାଇ ପୁଣି ନୂଆ କାଠରେ ଦଣ୍ଡା ତିଆରି ହେଉଛି । ମହିପୁର ରେଞ୍ଜରୁ ଆସିଥିବା ସାହାଜ କାଠ ପୋଲା ଥିବା ସୂଚନା ରହିଛି ।
ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ୱକର୍ମା ବିଜୟ କୁମାର ମହାପାତ୍ର କୁହନ୍ତି ଚଳିତ ବର୍ଷ ୪୦ ଫୁଟିଆ ସାହାଜ କାଠ ଆମକୁ ହଇରାଣ କରି ଦେଇଛି । ମୋଟା କାଠ ଗଡ଼ ଉପରକୁ ଠିକ୍ ଦିଶୁଥିଲେ ମଧ୍ୟ ଭିତର ଫମ୍ପା ରହୁଛି । ଅଖ ତିଆରି ବେଳେ ମଧ୍ୟ ଏଭଳି କିଛି ସମସ୍ୟା ଦେଖିବାକୁ ମିଳିଥିଲା । ଏବେ ଦଣ୍ଡା ନିର୍ମାଣ ସମୟକୁ ସମସ୍ୟା ଆହୁରି ଘନଉଛି । ଏଣୁ କାଠ ବଦଳିବା ସହ ମୋଟା ମୋଟା କାଠ ଗଣ୍ଡିକୁ ପୁଣି ହାଣି ଦଣ୍ଡା ତିଆରି ହେଉଛି । ଶ୍ରୀମନ୍ଦିର ବରିଷ୍ଠ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ କୁହନ୍ତି ଏଥରକ କିଛି କାଠ ପୋଲା ରହିଛି । ହେଲେ ଏନେଇ ଚିନ୍ତା କରିବାର କିଛି ନାହିଁ । ଅଧିକ କାଠ ରହିଥିବାରୁ ରଥ ନିର୍ମାଣ ପ୍ରଭାବିତ ହେବାର କୌଣସି ଆଶଙ୍କା ନାହିଁ । ଆବଶ୍ୟକ ହେଲେ ଆହୁରି କାଠ ମଧ୍ୟ ମଗାଯିବ ବୋଲି ଶ୍ରୀ ମେକାପ କହିଛନ୍ତି । ଏପଟେ ରଥ ଖଳାରେ ଗରଗରା ଚଉପଟ ସରିବା ପରେ ବିନ୍ଧ ଆରମ୍ଭ ହୋଇଛି । ଚାରି ନାହାକା ଚଉପଟ କାମ ଜାରି ରହିଛି । ଚକ ଓ ଅଖଗୁଡ଼ିକ ମାପଚୁପ ହେଲେ ରଥର ମୂଳଦୁଆ ପ୍ରସ୍ତୁତ ହେବ। ଅଖ ଉପରେ ଦଣ୍ଡା ପଡ଼ିବ । ଦଣ୍ଡା ଉପରେ ଗରଗରା ରହିବ । ଗରଗରା ଉପରେ ଚାରି ନାହାକା ଉଠିବ ।
ଏହାପରେ ରଥ ଉପରି ଭାଗ କାମ ଆରମ୍ଭ ହେବ । ରୂପକାର ଗୁଜ ଓ କରତି ସେବକ ରଥର ଗୟଳ ଚିରଟ କରୁଛନ୍ତି । ଓଝା ସେବକମାନେ ଶାଳରେ ରଥ ପାଇଁ ଆବଶ୍ୟକ ଲୁହା ସାମଗ୍ରୀ ତିଆରୁଛନ୍ତି । ତିନି ରଥର ନିର୍ମାଣ କାର୍ଯ୍ୟରେ ସମନ୍ୱୟ ରଖାଯାଇ କାମ ଆଗଉଛି । ପୂର୍ବରୁ ତିନି ରଥର ୪୨ ଚକ ଓ ୨୧ ଅଖ ତିଆରି ସରିଛି । ଏଣୁ ଯଥା ଶୀଘ୍ର ଚକ ଓ ଅଖ ସଂଯୋଗ କରିବାକୁ ଚାହୁଁଛନ୍ତି ନିର୍ମାଣକାରୀ । ଏପଟେ କାଠ ଖରାପ ପଡ଼ିବାରେ ଦଣ୍ଡା ତିଆରି ପଛାଇ ରଥ କାମ ଧିମା ହେଉଥିବା ଜଣାଯାଇଛି ।