କଟକ,୧୦/୦୯: ଗୋଟେ ପରିବାରର ଜଣେ ସଦସ୍ୟଙ୍କ ନାଁ ଇ-କେୱାଇସିରେ ପଞ୍ଜୀକରଣ ହୋଇଗଲା ତ ଆଉ ଚାରିଜଣଙ୍କ ବେଳକୁ ସର୍ଭର୍ ନାହିଁ । ଆଉ କେଉଁଠି ଦିନଦିନ ଧରି ପୂରା ପରିବାର କାମଦାମ ଛାଡ଼ି ନିଜ ନିଜ ଡିଲର ପଏଣ୍ଟରେ ଘଣ୍ଟାଘଣ୍ଟା ଧରି ଛିଡ଼ା ହୋଇ ଫେରୁଛନ୍ତି । କେତେବେଳେ ସେମାନଙ୍କ ପାଳି ଆସିବ ଅପେକ୍ଷା ସରୁନାହିଁ । ଏଭଳି ଭାବେ ରାଜ୍ୟରେ ଗତ ୧୫ ଦିନରେ ମାତ୍ର ୧୯% ରାସନ କାର୍ଡ ହିତାଧିକାରୀ ଇକେୱାଇସିରେ ନିଜ ନାମ ପଞ୍ଜିକୃତ କରି ପାରିଛନ୍ତି । ଇ-କେୱାଇସିରେ ନାମ ପଞ୍ଜୀକରଣ କରିବାକୁ ଏବେ ରାଜ୍ୟରେ ପ୍ରାୟ ଅଢ଼େଇ କୋଟି ଲୋକ ଅପେକ୍ଷାରେ ଅଛନ୍ତି । ଭିତ୍ତିଭୂମି ଓ ପରିଚାଳନାଗତ ସମସ୍ୟା କାରଣରୁ ଏବେ ରାଜ୍ୟର ଲକ୍ଷ ଲକ୍ଷ ରାସନ କାର୍ଡ ହିତାଧିକାରୀ ଇ-କେୱାଇସି ପାଇଁ ମାନସିକ ନିର୍ଯାତନା ଭୋଗୁଛନ୍ତି । ପଞ୍ଜୀକରଣ କରିନପାରିଲେ କାଳେ ସେମାନଙ୍କ ନାଁ ଆସନ୍ତା ମାସକୁ ରାସନ୍ କାର୍ଡରୁ କଟିଯିବ ସେହି ଭୟ ଏବେ ସମସ୍ତଙ୍କୁ ଘାରୁଛି ।
ଦିନସାରା ସର୍ଭର ରହୁନଥିବାରୁ ଅନେକ ସ୍ଥାନରେ ରାତିରେ ଡିଲରମାନେ ୱାର୍ଡ ୱାର୍ଡ ବୁଲି ହିତାଧିକାରୀଙ୍କ ଟିପ ଚିହ୍ନ ନେବାକୁ ବାଧ୍ୟ ହେଉଛନ୍ତି । ଦିନକୁ ମାତ୍ର ଏକ ପ୍ରତିଶତ ହାରରେ ଇ-କେୱାଇସିରେ ଲୋକଙ୍କ ନାମ ପଞ୍ଜୀକରଣ ହେଉଛି । ଏପରିକି ରାଜ୍ୟର ୧୨ଟି ଜିଲ୍ଲାରେ ଏହି ସ୍ଥିତି ସାଂଘାତିକ ରହିଛି । ଏହି ୧୨ଟି ଜିଲ୍ଲାର ଗୋଟେ ଗୋଟେ ବ୍ଲକ୍ ଏମିତି ରହିଛି, ଯେଉଁଠି ଜଣେ ହେଲେ ବି ହିତାଧିକାରୀ ଇ-କେୱାଇସିରେ ନିଜ ନାମ ପଞ୍ଜୀକରଣ କରିପାରି ନାହାନ୍ତି । ଯଦି ଏହିଭଳି ଭାବେ ଚାଲେ ରାଜ୍ୟରେ ସାଢ଼େ ତିନି କୋଟି ହିତାଧିକାରୀଙ୍କୁ ଇ-କେୱାଇସିରେ ନିଜ ନାମ ପଞ୍ଜୀକରଣ ଲାଗି କେତେଦିନ ଲାଗି ତାହା ଏବେ ଚିନ୍ତାର କାରଣ ହୋଇଛି ।
ଗତ ଅଗଷ୍ଟ ୨୨ରୁ ରାଜ୍ୟରେ ଇ-କେୱାଇସିରେ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେଲା । ପ୍ରତ୍ୟେକ ଡିଲର ପଏଣ୍ଟରେ ହିତାଧିକାରୀମାନେ ସେମାନଙ୍କ ଟିପ ଚିହ୍ନ ଦେଇ ଖାଉଟି ସୁରକ୍ଷା ଯୋଜନାର ସେମାନେ ଜଣେ ଜଣେ ହିତାଧିକାରୀ ବୋଲି ପ୍ରମାଣ ଦେବେ । ସରକାରଙ୍କ ଏହି ଘୋଷଣା ପରେ ପ୍ରତ୍ୟେକ ଡିଲର ପଏଣ୍ଟରେ ଗହଳି ଆରମ୍ଭ ହୋଇଯାଇଥିଲା । କିନ୍ତୁ ଏହି ପ୍ରକ୍ରିୟା ଆରମ୍ଭ ଦିନଠାରୁ ଦିନସାରା ସର୍ଭର ଆସୁନାହିଁ । ଫଳରେ ହିତାଧିକାରୀମାନେ ଡିଲର ପଏଣ୍ଟକୁ ଆସି ଦିନସାରା ଅପେକ୍ଷା କରି ଶେଷରେ ନିରାଶରେ ଫେରିବାକୁ ବାଧ୍ୟ ହେଉଛନ୍ତି ।
ସୂଚନା ଅନୁସାରେ, ସମଗ୍ର ରାଜ୍ୟରେ ଉଭୟ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା(ଏନ୍ଏଫ୍ଏସ୍) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା(ଏସ୍ଏଫ୍ଏସ୍)ରେ ୩କୋଟି ୩୫ ଲକ୍ଷ ୯୬ ହଜାର ୩୬ଜଣ ହିତାଧିକାରୀ ରହିଛନ୍ତି । ଏହି ହିତାଧିକାରୀଙ୍କ ମଧ୍ୟରୁ ୬ ତାରିଖ ସୁଦ୍ଧା ୬୬ ଲକ୍ଷ ୧୪ ହଜାର ୪୬୭ ଜଣ ହିତାଧିକାରୀ ଇ-କେୱାଇସି ଜରିଆରେ ନିଜ ନାମ ପଞ୍ଜୀକରଣ କରିସାରିଲେଣି । ଦିନକୁ ହାରହାରି ୧% ହାର୍ରେ ପଞ୍ଜୀକରଣ ହେଉଛି । ଆହୁରି ୨ କୋଟି ୬୯ଲକ୍ଷ ୮୧ ହଜାର ୫୬୯ଜଣ ହିତାଧିମକାରୀ ନିଜ ନାମ ପଞ୍ଜୀକରଣ କରିବା ପାଇଁ ଅପେକ୍ଷାରେ ଅଛନ୍ତି ।
ରାଜ୍ୟର ୧୨ଟି ଜିଲ୍ଲା ରାୟଗଡ଼ା, ନୂଆପଡ଼ା, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, କନ୍ଧମାଳ, କଳାହାଣ୍ଡି, ଗଞ୍ଜାମ, ଗଜପତି, ବଲାଙ୍ଗୀର ଏବଂ ବରଗଡ଼ରେ ଇ-କେୱାଇସି ପଞ୍ଜୀକରଣ ବ୍ୟବସ୍ଥା ଅତ୍ୟନ୍ତ ଦୟନୀୟ ରହିଛି । ଏସବୁ ଜିଲ୍ଲାରେ ୬ତାରିଖ ସୁଦ୍ଧା ୧୦% ହିତାଧିକାରୀଙ୍କ ନାମ ବି ପଞ୍ଜୀକରଣ ହୋଇପାରି ନାହିଁ । କେଉଁଠି ୧% ହିତାଧିକାରୀଙ୍କ ନାମ ସାମିଲ୍ ହୋଇଛି ତ’ ଆଉ କେଉଁଠି ୨ରୁ ୫% ପର୍ଯ୍ୟନ୍ତ ହିତାଧିକାରୀଙ୍କ ନାମ ସାମିଲ୍ ହୋଇଛି । ଏପରିକି ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲାର ଅନେକ ବ୍ଲକ୍ରେ ଜଣେ ହେଲେ ବି ହିତାଧିକାରୀଙ୍କ ନାମ ସାମିଲ୍ ହୋଇପାରିନାହିଁ ।
ଏ ସଂକ୍ରାନ୍ତରେ ସର୍ବଭାରତୀୟ ଖୁଚୁରା ବିକ୍ରେତା ମହାସଂଘ ଓଡ଼ିଶା ଶାଖାର ସାଧାରଣ ସମ୍ପାଦକ ସୟଦ୍ ଏକ୍ରାମ ହୁସେନ୍ କହିଛନ୍ତି, ସାଢ଼େ ତିନି କୋଟି ହିତାଧିକାରୀଙ୍କ ପାଇଁ ରାଜ୍ୟ ସରକାର କୌଣସି ପ୍ରକାର ଭିତ୍ତିଭୂମି ବିକାଶ କରିନାହାନ୍ତି । କିନ୍ତୁ ହଠାତ୍ ଏଭଳି ଏକ ବିଜ୍ଞପ୍ତି ଜାରି କରିଦେବା ଫଳରେ ପ୍ରତ୍ୟେକ ଡିଲର ପଏଣ୍ଟରେ ନାହିଁନଥିବା ଭିଡ଼ ଜମୁଛି । ଫଳରେ ସର୍ଭର କାମ କରୁନାହିଁ । ଅପରପକ୍ଷେ ଡିଲରମାନଙ୍କୁ ରାଜ୍ୟ ସରକାର ଯେଉଁ ମେସିନ୍ ଚଲାଇବା ପାଇଁ ଦେଇଛନ୍ତି ତାହା ୨-ଜି ମେସିନ୍ । ଫଳରେ ଏହି ମେସିନ୍ ଠିକ୍ଭାବେ କାମ କରିପାରୁ ନାହିଁ । ଏଥିପାଇଁ ଅନେକ ସମୟରେ ସାଧାରଣ ଲୋକଙ୍କ ଅସନ୍ତୋଷର ଶିକାର ହେଉଛନ୍ତି ଡିଲର । ତେଣୁ ରାଜ୍ୟ ସରକାର ଇକେୱାଇସି ନକଲେ ନାମ କଟିଯିବ କହି ସାଧାରଣ ଖାଉଟିଙ୍କୁ ଭୟଭୀତ ନକଲେ ଓ ଅଧିକ ସମୟ ଦେଲେ ଏହା ସଫଳ ହୋଇପାରିବ ବୋଲି ସେ କହିଛନ୍ତି ।