ତିଗିରିଆ,୧୯/୫ : ବାଲିଅନ୍ତା ଘଟଣାର ରିପିଟ୍ । ପିଟିପିଟି ମାରିଦେଲେ ଯୁବକକୁ l ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମାଣିଆବନ୍ଧ ଥାନା ଅନ୍ତର୍ଗତ ତାଳମୁଣ୍ଡଳୀ ଗ୍ରାମରେ । ଗତ ୧୦ତାରିଖ ରାତିରେ ତାଳମୁଣ୍ଡଳୀ ଗ୍ରାମରେ ସଂଘବଦ୍ଧ ଆକ୍ରମଣରେ ଯୁବକକୁ ମାରି ପୋଡ଼ି ଦେବା ଘଟଣାର ପର୍ଦ୍ଦାଫାସ କରିଛି କଟକ ଗ୍ରାମାଞ୍ଚଳ ପୋଲିସ । ଏହି ଘଟଣାରେ ଗ୍ରାମର ୨୫ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ ନେଇ ତିଗିରିଆ ଥାନାରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସପି ଭିନିତ ଅଗ୍ରୱାଲ l ତେବେ ହତ୍ୟାରେ ଗ୍ରାମର ବହୁ ପୁରୁଷ ଲୋକଙ୍କୁ ଅଭିଯୁକ୍ତ କରି ପୁଲିସ ଉଠାଇ ଆଣିଥିବା ଯୋଗୁଁ ଗ୍ରାମର ମହିଳା ଆସି ମାଣିଆବନ୍ଧ ଥାନା ଆଗରେ ହୋ ହାଲ୍ଲା କରିବା ସହ ଧାରଣାରେ ବସିଥିଲେ l

ସୂଚନା ଅନୁସାରେ, ମାଣିଆବନ୍ଧ ଥାନା ଅନ୍ତର୍ଗତ ତାଳମୁଣ୍ଡଳୀ ଗ୍ରାମର ଶ୍ଵେତ ବେହେରାଙ୍କ ପୁଅ ଟିକିମ (୩୫)ଙ୍କୁ ଚନ୍ଦନ ଯାତ୍ରା ରାତିରେ ଘରୁ ଗ୍ରାମସଭାକୁ ଡାକି ନେଇ ପରେ ମାରଣାସ୍ତ୍ର ଓ ଠେଙ୍ଗାରେ ପିଟିପିଟି ହତ୍ୟା କରାଯାଇଛି l ମୃତକଙ୍କ ବାପାଙ୍କ ପକ୍ଷରୁ ହୋଇଥିବା ଅଭିଯୋଗ ଅନୁଯାୟୀ ତାଳମୁଣ୍ଡଳୀ ଗ୍ରାମର ପ୍ରକାଶ ଦେହୁରୀ, ଜୟୀ ଦେହୁରୀ, ହଡା ବେହେରା, ଆକାଶ ଏବଂ ଅନ୍ୟମାନେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ, ଫଳରେ ତାଙ୍କ ପୁଅ ଟିକିମ ତାଙ୍କ ମୃତ୍ୟୁ ଘଟିଥିଲା । ଅପରାଧର ପ୍ରମାଣ ଲୋପ ପାଇବା ପାଇଁ ସଙ୍ଗେସଙ୍ଗେ ମୃତଦେହକୁ ପୋଡି ଦେଇଥିଲେ । ଏ ନେଇ ଗତକାଲି ଲିଖିତ ଅଭିଯୋଗ ପରେ ଆଠଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବିଶ୍ୱଜିତ୍ ମହାନ୍ତିଙ୍କ ନେତୃତ୍ଵରେ ଘଟଣାର ଅନୁସନ୍ଧାନ ଏବଂ ଶୀଘ୍ର ଚିହ୍ନଟ ପାଇଁ ତିନୋଟି ଅଲଗା ପୋଲିସ୍ ଟିମ୍ ଗଠନ କରାଯାଇଥିଲା ।

ଆଜି ସକାଳେ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ନିୟୋଜିତ ହୋଇଥିଲେ ଏବଂ ସ୍ପଟ୍ ପରୀକ୍ଷା କରାଯାଇଥିଲା । ଯାହା ଅଡିଓ-ଭିଡିଓ ରେକର୍ଡିଂ ମଧ୍ଯ କରାଯିବା ସହ ଫରେନସିକ୍ ପାଇଁ ସ୍ଥାନରୁ ଶାରୀରିକ ନମୁନା ଏବଂ ଅନ୍ୟାନ୍ୟ ଅପରାଧ ସାମଗ୍ରୀ ସଂଗ୍ରହ କରାଯାଇଥିଲା । ତଦନ୍ତ ସମୟରେ ପଚରାଉଚରାବେଳେ ଜଣେ ଅଭିଯୁକ୍ତ ସ୍ୱେଚ୍ଛାକୃତ ଭାବେ ଘଟଣାକୁ ସ୍ୱୀକାର କରିଥିଲେ । ତେବେ ମୃତକ ଗୁଣି ଗାରେଡ଼ି ଏବଂ ତନ୍ତ୍ରମନ୍ତ୍ର ବିଦ୍ୟା କରୁଥିବା ଯୋଗୁଁ ତାକୁ ମାରି ଦିଆଯାଇଥିବା ସୂଚନା ମିଳିଛି l ମୃତକଙ୍କ ଆଂଶିକ ପୋଡ଼ି ଯାଇଥିବା ଶରୀରର ଅଙ୍ଗ ଏବଂ ହାଡ ଉଦ୍ଧାର କରାଯାଇଛି । ଘଟଣାରେ ପୋଲିସ ୨୫ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ମୁଖ୍ୟ ଅଭିଯୁକ୍ତମାନେ ଫେରାର୍ ଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଛି l ତେବେ ଘଟଣାକୁ ୧୦ଦିନ ହୋଇଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କ ଡରରେ ଘଟଣା ନେଇ କୌଣସି ଅଭିଯୋଗ ହୋଇ ନ ଥିବାବେଳେ ଗତ ରାତିରେ ମୃତକଙ୍କ ବାପା ଏ ନେଇ ମାଣିଆବନ୍ଧ ଥାନାରେ ଲିଖିତ ଅଭିଯୋଗ କରିଥିଲେ l