ନୂଆଦିଲ୍ଲୀ, ୨୭।୧୨: ଚଳିତ ଆର୍ଥିକବର୍ଷର ପ୍ରଥମାର୍ଦ୍ଧରେ ଭାରତୀୟ ଅର୍ଥବ୍ୟବସ୍ଥାର ପ୍ରଦର୍ଶନ ଦୁର୍ବଳ ରହିଛି । ସେପ୍ଟେମ୍ବର ତ୍ରୟମାସରେ ୫.୪% କୁ ଖସିଯାଇଛି ବିକାଶ ହାର । ଚାହିଦା ହ୍ରାସ ଯୋଗୁ ଅଭିବୃଦ୍ଧି ନିମ୍ନମୁଖୀ ହୋଇଛି । ଚାହିଦା କମିବା ପଛରେ ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ଦାୟୀ ବୋଲି ଦର୍ଶାଇଛି ଅର୍ଥ ମନ୍ତ୍ରାଳୟ । ନିଜର ମାସିକ ଅର୍ଥନୈତିକ ସମୀକ୍ଷା ରିପୋର୍ଟରେ ମନ୍ତ୍ରାଳୟ ଏହା କହିଛି । ୨୦୨୪-୨୫ ଆର୍ଥିକବର୍ଷର ପ୍ରଥମାର୍ଦ୍ଧରେ ମନ୍ଥର ଅଭିବୃଦ୍ଧି ପାଇଁ ଆର୍ବିଆଇର ନୀତିକୁ ଦାୟୀ କରିଛି ମନ୍ତ୍ରାଳୟ । ଏହା ପ୍ରକାଶ କରିଛି ଯେ, ଲଗାତର ଭାବେ ତତ୍କାଳୀନ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ମାର୍ଗଦର୍ଶନରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ଏହାର ପ୍ରମୁଖ ସୁଧ ହାର ରେପୋରେଟ୍କୁ ଅପରିବର୍ତ୍ତିତ ରଖିଆସିଛି । ଡିସେମ୍ବରରେ ହୋଇଥିବା ମୁଦ୍ରାନୀତି ସମୀକ୍ଷା ବୈଠକରେ ସର୍ବୋଚ୍ଚ ବ୍ୟାଙ୍କ ମଧ୍ୟ ସମାନ ନିଷ୍ପତ୍ତି ନେଇ ସୁଧ ହାରକୁ ସ୍ଥିର ରଖିଲା ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ ଗୋୟଲ ଋଣ ଦରକୁ କମ୍ ରଖିବା ପାଇଁ ବାରମ୍ବାର ଆହ୍ୱାନ ଦେବା ସତ୍ତେ୍ୱ ଆର୍ବିଆଇ ଏହାର ପ୍ରମୁଖ ସୁଧ ହାରକୁ ଅପରିବର୍ତ୍ତିତ ରଖିଛି, ଯାହାକି ଚାହିଦାକୁ ମନ୍ଥର କରିଛି । ଜୁଲାଇ-ସେପ୍ଟେମ୍ବର ତ୍ରୟମାସରେ ଭାରତର ଜିଡିପି ଅଭିବୃଦ୍ଧି ୫.୪%କୁ ଖସିଆସିଛି, ଯାହାକି ୨ ବର୍ଷର ସର୍ବନିମ୍ନ ସ୍ତର । ଏହାସତ୍ତେ୍ୱ ମୁଦ୍ରାସ୍ଫୀତି ଆଳରେ କ୍ରମାଗତ ୧୧ଟି ତ୍ରୟମାସ ପାଇଁ ଆର୍ବିଆଇ ଏହାର ସୁଧ ହାରକୁ ଅପରିବର୍ତ୍ତିତ ରଖିଲା । ଶିଳ୍ପ ପକ୍ଷରୁ ଚାପ ସତ୍ତେ୍ୱ କେନ୍ଦ୍ରୀୟ ବ୍ୟାଙ୍କ ସୁଧ ହାରକୁ ନ ଖସାଇ ସ୍ଥିର ରଖିଥିବା ଅର୍ଥ ମନ୍ତ୍ରାଳୟ ପ୍ରକାଶ କରିଛି । ମନ୍ତ୍ରାଳୟ ଆହୁରି କହିଛି ଯେ, ବିଶ୍ୱ ଅନିଶ୍ଚିତତା ମଧ୍ୟରେ ସାର୍ବଜନୀନ ପୁଞ୍ଜି ବ୍ୟୟ ଏବଂ ଘରୋଇ ପୁଞ୍ଜି ନିବେଶରେ ହ୍ରାସ ଯୋଗୁ ମଧ୍ୟ ଅଭିବୃଦ୍ଧି ସଂକୁଚିତ ହୋଇଛି । ଚଳିତ ଆର୍ଥିକବର୍ଷର ଦ୍ୱିତୀୟାର୍ଦ୍ଧରେ କ୍ୟାପିଟାଲ ଫର୍ମେସନ୍ରେ ଅଭିବୃଦ୍ଧିର ସଂକେତ ମିଳୁଛି । କେନ୍ଦ୍ର ସରକାର ପୁଞ୍ଜି ଖର୍ଚ୍ଚ ବଢ଼ାଇଛନ୍ତି । ଏହାର ସୁଫଳ ଆଗାମୀ ତ୍ରୟମାସିକ ଅଭିବୃଦ୍ଧି ଅଙ୍କରେ ଦେଖିବାକୁ ମିଳିବ । କିଛି ଅର୍ଥନୀତିଜ୍ଞଙ୍କ ମତରେ, ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଋଣ ପ୍ରବାହକୁ ବଢ଼ାଇବା ଲାଗି ଆର୍ବିଆଇକୁ ଅନେକ କିଛି କରିବାର ଥିଲା ।
ରିପୋର୍ଟରେ କୁହାଯାଇଛି ଯେ, ଆର୍ବିଆଇର ମୁଦ୍ରାନୀତି ଏବଂ ମାକ୍ରୋ-ଅର୍ଥନୈତିକ ପଦକ୍ଷେପ ମନ୍ଥର ଚାହିଦା ପାଇଁ ଦାୟୀ । ତେବେ ଆର୍ଥିକ ବର୍ଷର ଦ୍ୱିତୀୟାର୍ଦ୍ଧରେ ଚାହିଦାରେ ସୁଧାର ଦେଖିବାକୁ ମିଳିବ ବୋଲି ମନ୍ତ୍ରାଳୟ ପ୍ରକାଶ କରିଛି । ଅନ୍ୟପକ୍ଷରେ, ଭାରତୀୟ ଅର୍ଥବ୍ୟବସ୍ଥା ଉପରେ ଭରସା ଜାହିର କରିଛି ଅର୍ଥ ମନ୍ତ୍ରାଳୟ । କୃଷି ଏବଂ ଶିଳ୍ପ ଗତିବିଧି ବଢ଼ିବା ସହିତ ଚଳିତ ଆର୍ଥିକବର୍ଷ ଭାରତୀୟ ଅର୍ଥନୀତି ପ୍ରାୟ ୬.୫% ବିକାଶ ହାର ନେଇ ବଢ଼ିବ ବୋଲି ଏହା ନିଜ ସମୀକ୍ଷା ରିପୋର୍ଟରେ ପ୍ରକାଶ କରିଛି । ମନ୍ତ୍ରାଳୟ ଏହାର ରିପୋର୍ଟରେ ଉଲ୍ଲେଖ କରିଛି ଯେ, ୨୦୨୪-୨୫ ଆର୍ଥିକବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି ପାଖାପାଖି ୬.୫% ରହିପାରେ । ଆଗକୁ ଅଭିବୃଦ୍ଧି ଦୃଶ୍ୟପଟ ଉଜ୍ଜ୍ୱଳ ଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରକାଶ କରିଛନ୍ତି । ଡିସେମ୍ବର ତ୍ରୟମାସର ପ୍ରଥମ ଦୁଇ ମାସରେ ଗ୍ରାମାଞ୍ଚଳରେ ଚାହିଦା ଭଲ ରହିଛି । ସହରାଞ୍ଚଳ ଚାହିଦାରେ ସୁଧାର ଦେଖିବାକୁ ମିଳିଥିବା ନଭେମ୍ବର ମାସ ପାଇଁ ଅର୍ଥ ମନ୍ତ୍ରାଳୟର ମାସିକ ଅର୍ଥନୈତିକ ସମୀକ୍ଷା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଆଗକୁ ରବି ଫସଲରେ ମଜଭୂତ ଅଗ୍ରଗତି ଖାଦ୍ୟ ମୁଦ୍ରାସ୍ଫୀତିଜନିତ ଚାପକୁ ହ୍ରାସ କରିବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ଘରୋଇ ବଜାରରେ ଦର୍ଦାମ ସ୍ଥିତିରେ ସୁଧାର ଆଣିବ । ଅନ୍ୟପକ୍ଷରେ, ଅନ୍ତର୍ଜାତୀୟ ବଜାରରେ ଖାଇବା ତେଲ ଦରରେ ବୃଦ୍ଧି ଭାରତ ପାଇଁ ଆହ୍ୱାନ ପାଲଟିପାରେ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ସୂଚନାଯୋଗ୍ୟ, ଚଳିତବର୍ଷ ନଭେମ୍ବରରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ୫.୪୮%କୁ ଖସିଆସିଛି । ଅକ୍ଟୋବରରେ ଏହା ଆର୍ବିଆଇର ଧାର୍ଯ୍ୟ ସୀମା ୬% ପାର୍ କରିଯାଇଥିଲା ।