ନୂଆଦିଲ୍ଲୀ,୦୩/୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଟିମ୍ ଇଣ୍ଡିଆକୁ ୩-୦ ରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଭାରତୀୟ ଦଳ ପାଇଁ ଏହା ଏକ ଲଜ୍ଜାଜନକ ପରାଜୟ ଥିଲା। ଏହି ମ୍ୟାଚ୍ ପରେ ରୋହିତ ଶର୍ମାଙ୍କ ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସୁଛି। ଏକ ରିପୋର୍ଟ ଅନୁଯାୟୀ, ରୋହିତ ଶର୍ମା ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚରୁ ବାଦ ପଡ଼ିପାରନ୍ତି। ଏହି ମ୍ୟାଚ୍ ୨୨ ନଭେମ୍ବରରୁ ପର୍ଥରେ ଖେଳାଯିବ। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏହି ମ୍ୟାଚ୍ ବହୁତ ଗୁରୁତ୍ୱପୂର୍ଣ୍ଣ ହେବ।
ଟିମ୍ ଇଣ୍ଡିଆର ପରାଜୟ ପାଇଁ ରୋହିତ ଶର୍ମା ନିଜେ ନିଜକୁ ଦାୟି କରିଛନ୍ତି। ମୁମ୍ବାଇ ଟେଷ୍ଟ ପରେ ସେ କହିଛନ୍ତି ଯେ ଅଧିନାୟକ ହେବା ସହିତ ସେ ଭଲ ବ୍ୟାଟିଂ କରିପାରିନାହାଁନ୍ତି। ଇକୋନୋମିକ୍ ଟାଇମ୍ସରେ ପ୍ରକାଶିତ ଖବର ଅନୁଯାୟୀ ରୋହିତ ମଧ୍ୟ ପର୍ଥ ଟେଷ୍ଟରେ ଖେଳିବା ଉପରେ ସନ୍ଦେହ ପ୍ରକଟ କରିଛନ୍ତି। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ୨୨ ନଭେମ୍ବରରୁ ପର୍ଥରେ ଖେଳାଯିବ। ରିପୋର୍ଟ ଅନୁଯାୟୀ, ରୋହିତ କହିଛନ୍ତି ଯେ ମୁଁ ପର୍ଥ ଟେଷ୍ଟରେ ଖେଳିବି କି ନାହିଁ ମୁଁ ଏପର୍ଯ୍ୟନ୍ତ କହି ପାରିବି ନାହିଁ। ତେଣୁ ରୋହିତ ଟେଷ୍ଟ ଟିମ୍ ଇଣ୍ଡିଆରୁ ବିରତି ନେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ମୁମ୍ବାଇ ଟେଷ୍ଟରେ ନ୍ୟୁଜିଲ୍ୟାଣ୍ଡ ଭାରତକୁ ୨୫ ରନରେ ପରାସ୍ତ କରିଛି। ଏହି ମ୍ୟାଚର ପ୍ରଥମ ଇନିଂସରେ ରୋହିତ ଶର୍ମା ୧୮ ରନ୍ ସଂଗ୍ରହ କରିଥିଲେ। ଏହା ପରେ ସେ ପାଭିଲିୟନ ଫେରିଥିଲେ। ଦ୍ୱିତୀୟ ଇନିଂସରେ ସେ ମାତ୍ର ୧୧ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ। ପୁରା ସିରିଜରେ ରୋହିତଙ୍କ ଖରାପ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ସେ ୩ ଟି ମ୍ୟାଚରେ ମାତ୍ର ୯୧ ରନ୍ ସ୍କୋର କରିଥିଲେ। ବିରାଟ କୋହଲିଙ୍କ ଅବସ୍ଥା ମଧ୍ୟ ସମାନ ଥିଲା। କୋହଲି ୩ ଟି ମ୍ୟାଚରେ ମାତ୍ର ୯୩ ରନ୍ ସଂଗ୍ରହ କରିଥିଲେ।
ନଭେମ୍ବର ୨୨ ରୁ ଭାରତର ଅଷ୍ଟ୍ରେଲିଆ ଗସ୍ତ ଆରମ୍ଭ ହେବ। ସିରିଜର ପ୍ରଥମ ମ୍ୟାଚ୍ ପର୍ଥରେ ଖେଳାଯିବ। ଏହା ପରେ ୩୦ ନଭେମ୍ବରରୁ ଏକ ୱାର୍ମ ଅପ୍ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ପ୍ରାଇମ୍ ମିନିଷ୍ଟର ଇଲେଭେନ୍ ଏବଂ ଭାରତ ଏ ମଧ୍ୟରେ ଅନୁଷ୍ଠିତ ହେବ। ଡିସେମ୍ବର ୬ ରୁ ଆଡିଲେଡରେ ଟିମ୍ ଇଣ୍ଡିଆ ଦ୍ବି୍ତୀୟ ଟେଷ୍ଟ ଖେଳିବ। ଏହା ପରେ ତୃତୀୟ ଟେଷ୍ଟ ବ୍ରିସବେନରେ ଏବଂ ଚତୁର୍ଥ ଟେଷ୍ଟ ମେଲବୋର୍ଣ୍ଣରେ ଖେଳାଯିବ। ଏହି ସିରିଜର ଶେଷ ମ୍ୟାଚ୍ ଜାନୁଆରୀ ୩ ରୁ ସିଡନୀରେ ଅନୁଷ୍ଠିତ ହେବ।