୯୦୦ ୟୁକ୍ରେନ୍ ସୈନ୍ୟଙ୍କୁ ଜେଲ୍ ପଠାଇଲା ରୁଷ

ମସ୍କୋ,୨୦/୫ : ରୁଷ ୟୁକ୍ରେନ୍ର ପ୍ରାୟ ୯୦୦ ସୈନ୍ୟଙ୍କୁ ଗିରଫ କରିବା ପରେ ଜେଲ୍କୁ ପଠାଇ ଦେଇଛି । ୟୁକ୍ରେନ୍ର ଡୋନେସ୍କରେ ଥିବା ରୁଷ୍ ଅଧିକୃତ ଅଞ୍ଚଳରେ ଏକ ଅସ୍ଥାୟୀ ଜେଲ୍ ଶିବିର ରହିଛି । ସେଠାରେ ସେମାନଙ୍କୁ ବନ୍ଦୀ ବନାଯାଇଛି । ପରବର୍ତ୍ତୀ ସମୟରେ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଧାର୍ଯ୍ୟ କରାଯିବ । ରୁଷ ପକ୍ଷରୁ ଗୁରୁବାର ଏହା କୁହାଯାଇଛି । ରୁଷ ଓ ୟୁକ୍ରେନ୍ ମଧ୍ୟରେ ପ୍ରାୟ ୮୦ ଦିନରୁ ଅଧିକ ସମୟ ଧରି ଯୁଦ୍ଧ ଲାଗିରହିଥିବା ବେଳେ ଉଭୟ ପରସ୍ପରର ସୈନ୍ୟଙ୍କୁ ଗିରଫ କରୁଛନ୍ତି । ଉଭୟ ପଟୁ କିଛି ସୈନ୍ୟ ମଧ୍ୟ ଜୀବନ ବଞ୍ଚାଇବା ପାଇଁ ଆତ୍ମସମର୍ପଣ କରୁଛନ୍ତି ।
ଅନ୍ୟପକ୍ଷରେ ୟୁକ୍ରେନ୍ରେ ରୁଷ୍ ଦ୍ୱାରା ହୋଇଥିବା ଯୁଦ୍ଧ ଅପରାଧ ନେଇ ଇତିମଧ୍ୟରେ ପ୍ରଥମ ଶୁଣାଣି ଶେଷ ହୋଇଛି । ଏଥିରେ ଜଣେ ରୁଷୀୟ ସୈନ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଗୁରୁବାର ରାଜଧାନୀ କିଏଭ୍ରେ ଏକ କୋର୍ଟରେ ଶୁଣାଣି ଚାଲିଥିଲା । ୨୧ ବର୍ଷୀୟ ରୁଷୀୟ ସୈନ୍ୟ ଭାଦିମ୍ ଶିଶିମାରିନ୍ଙ୍କ ବିରୋଧରେ ଜଣେ ୬୨ ବର୍ଷୀୟଙ୍କୁ ହତ୍ୟା ଅଭିଯୋଗ ରହିଛି । ସେ କିଛି ସାଥୀ ସୈନ୍ୟଙ୍କ ସହ ଏକ କାର୍ ଯୋଗେ ଯାଉଥିବା ବେଳେ ରାସ୍ତାରେ ୬୨ ବର୍ଷୀୟ ବ୍ୟକ୍ତି ଫୋନ୍ରେ କଥା ହେଉଥିଲେ । ତାଙ୍କୁ ଗୁଳି କରିବାକୁ ଉପରିସ୍ଥ ଅଧିକାରୀ ନିର୍ଦ୍ଦେଶ ନେଇଥିଲେ । ଶୁଣାଣି ବେଳେ ସେ ଏହାକୁ ସ୍ୱୀକାର ବି କରିଥିଲେ । ଦୋଷୀ ସାବ୍ୟସ୍ତ ହେବା ପରେ ସେ କ୍ଷମା ପ୍ରାର୍ଥନା କରିଥିଲେ । ତେବେ ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇପାରେ । ଅନ୍ୟ ଦୁଇଜଣ ସୈନ୍ୟଙ୍କ ବିରୋଧରେ ମଧ୍ୟ ମାମଲା ଜାରି ରହିଛି ।