ବେଆଇନ ଭାବେ ଚାଲିଛି ବାଲି ଉତ୍ତୋଳନ : ପଶ୍ଚିମବଙ୍ଗକୁ ହେଉଛି ଚୋରା ଚାଲାଣ; କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ଗ୍ରାମବାସୀଙ୍କ ଫେରାଦ

ଭୋଗରାଇ,୪/୧୨ : ବଢ଼ି ଚାଲିଛ ବାଲି ମାଫିଆଙ୍କ ଦୌରାତ୍ମ୍ୟ । ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ଦିନ ରାତି ବେଆଇନ ଭାବେ ନଦୀ ଗର୍ଭରୁ ବାଲି ଖୋଳି ସ୍ଥାନୀୟ ଅଞ୍ଚଳ ସମେତ ପଶ୍ଚିମବଙ୍ଗକୁ ଚୋରାଚାଲାଣ କରୁଛନ୍ତି ବାଲି ମାଫିଆ । ବେଧଡକ ବାଲି ଖନନ ଯୋଗୁଁ ନଦୀ କୂଳିଆ ୪ଗାଁ ଅତିଶୀଘ୍ର ନଦୀ ଗର୍ଭରେ ଲୀନ ହେବା ଆଶଙ୍କା ଦେଖାଦେଇଛି । ଏହାସହ ବନ୍ୟା ପ୍ରତିରୋଧକ ଭୁଆବନ୍ଧ ମଧ୍ୟ ଭୁଶୁଡ଼ି ଯିବା ଆଶଙ୍କା ସୃଷ୍ଟି ହୋଇଛି । ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ। ଏହାକୁ ନେଇ କ୍ଷତିଗ୍ରସ୍ତ ହେବାକୁ ଥିବା ଗ୍ରାମବାସୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି ।
ଅଭିଯୋଗ ମୁତାବକ, ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଅଞ୍ଚଳ ଦେଇ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା ନଦୀ। ଏହି ନଦୀ କୂଳରେ ରହିଛି କୁମ୍ଭୀରଗଡ଼ି ପଞ୍ଚାୟତର କୁମ୍ଭୀରଗଡି, ଖଳାବାଡିଆ, କୋହ୍ଲା ଓ ଅଡଙ୍ଗପନ୍ତାଇ ଗାଁ । ଏହି ଗାଁ ପାର୍ଶ୍ବ ନଦୀରେ ସୃଷ୍ଟି ହୋଇଛି ବିଶାଳ ବିଶାଳ ବାଲିଚଢ । ଏହି ବାଲିଚଢ ଉପରେ ପଡିଛି ବାଲି ମାଫିଆଙ୍କ ନଜର । ଏହି ଚଢରୁ ସ୍ଥାନୀୟ ବାଲି ମାଫିଆମାନେ ଦିନ ରାତି ବେଆଇନ ଭାବେ ବାଲି ଖୋଳି ଇଞ୍ଜିନ ଡଙ୍ଗା ଯୋଗେ କୂଳକୁ ଆଣିବା ପରେ ଦୈନିକ ଶହ ଶହ ଟ୍ରାକ୍ଟର ବାଲି ପଡୋଶୀ ପଶ୍ଚିମବଙ୍ଗ ସମେତ ସ୍ଥାନୀୟ ବିଭିନ୍ନ ଅଞ୍ଚଳକୁ ଚୋରାଚାଲାଣ କରୁଛନ୍ତି ।
ଏହି ବେଆଇନ୍ ବାଲି ଉତ୍ତୋଳନ ହେବା କାରଣରୁ ବିପଦରେ ରହିଛନ୍ତି ନଦୀ ପାଖ ଗାଁ ଲୋକେ । ଅହରହ ବାଲି ବୋଝେଇ ଟ୍ରାକ୍ଟର ଚଳପ୍ରଚଳ କରୁଥିବା ରାସ୍ତାଟି ଜନଗହଳି ପୂର୍ଣ୍ଣ ଗାଁ ରାସ୍ତା ହୋଇଥିବାରୁ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟୁଛି । ଏହାବ୍ୟତୀତ ଏହି ରାସ୍ତାପାର୍ଶ୍ବରେ ବୈକୁଣ୍ଠ ନାଥ ମଧ୍ୟ ଇଂରାଜୀ ବିଦ୍ୟାଳୟ, ଖଳାବାଡିଆ ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କୋହ୍ଲା ପ୍ରାଥମିକ ବିଦ୍ୟାଳୟ ରହିଥିଲାବେଳେ ପିଲାମାନଙ୍କ ସ୍କୁଲ ଯିବା ଆସିବାରେ ସମସ୍ୟା ସୃଷ୍ଟି ହେବା ସହ ବାରମ୍ବାର ଦୁର୍ଘଟଣା ଘଟୁଛି । ଏହାବାଦ ନଦୀ ଗର୍ଭରୁ ବ୍ୟାପକ ପରିମାଣର ବାଲି ଖୋଳି ବାହାର କରାଯାଉଥିବାରୁ ନଦୀକୂଳ ଅତଡା ଧସିବା ଆରମ୍ଭ ହୋଇଛି ।
ଯେଉଁ ପରିମାଣରେ ଅତଡା ଧସିବା ଆରମ୍ଭ ହୋଇଛି ଆସନ୍ତା ଦୁଇ ତିନି ବର୍ଷ ମଧ୍ୟରେ ଏହି ୪ ନଦୀ କୂଳିଆ ଗାଁ ନଦୀ ଗର୍ଭରେ ଲୀନ ହେବା ଆଶଙ୍କା ଦେଖା ଦେଇଛି। ଏହାବ୍ୟତୀତ ପରବର୍ତ୍ତୀ ସମୟରେ ସମଗ୍ର ଭୋଗରାଇର ସୁରକ୍ଷା କବଚ ଭାବେ ଦୀର୍ଘବର୍ଷ ଧରି ମୁଣ୍ଡଟେକି ଛିଡ଼ା ହୋଇଥିବା ବନ୍ୟା ପ୍ରତିରୋଧକ ଭୁଆବନ୍ଧ ମଧ୍ୟ ଭୁଶୁଡ଼ି ଯିବା ଆଶଙ୍କା ରହିଛି । ଏ ନେଇ ସ୍ଥାନୀୟ ଲୋକେ ପ୍ରଶାସନଠାରେ ବାରମ୍ବାର ଅଭିଯୋଗ କରିଛନ୍ତି । ହେଲେ କାର୍ଯ୍ୟାନୁଷ୍ଠାନ ଶୂନ। ଫଳରେ ବାଲି ମାଫିଆମାନେ ଅଧିକ ସକ୍ରିୟ ହେବା ସହ ମନଇଚ୍ଛା ବାଲି ଖୋଳି ପଶ୍ଚିମବଙ୍ଗକୁ ଚୋରା ଚାଲାଣ କରୁଛନ୍ତି । ସୁବର୍ଣ୍ଣରେଖା ନଦୀର ବିଭିନ୍ନ ବାଲି ଖାଦାନ ବନ୍ଦ ରହିଥିଲାବେଳେ ଏଠାରେ କୌଣସି ପ୍ରଶାସନିକ ପ୍ରତିବନ୍ଧକ ଜାରି କରାଯାଉନାହିଁ । ଫଳରେ ଏଠାରୁ ବିପୁଳ ପରିମାଣର ବାଲି ଖୋଳା ଚାଲିଛି ।
ଏହାଦ୍ବାରା ରାଜ୍ୟ ସରକାରଙ୍କ ବିପୁଳ ପରିମାଣର ରାଜସ୍ବହାନୀ ହେବା ସହ ନଦୀକୂଳରେ ଥିବା ୪ଗାଁ ପ୍ରତି ବିପଦ ସୃଷ୍ଟି ହୋଇଛି । ନଦୀ ଗର୍ଭରୁ ବେଆଇନ ବାଲି ଉତ୍ତୋଳନ ଏବଂ ଚୋରାଚାଲାଣ ବନ୍ଦ କରିବା ସହ ବାଲି ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ନେଇ ବସନ୍ତ ମାଝୀ, ମାନସ ମାଝୀ, ଅଞ୍ଜଳି ମାଝୀ, ଶମ୍ଭୁନାଥ ଦଳାଇ, ଅଜୟ ଦଳାଇ, ସଞ୍ଜୟ ମାଝୀ, ଶ୍ରୀମନ୍ତ ବେହେରା, ହେମନ୍ତ ବେହେରା, ଉଦୟ ବେହେରା, ପରମାନନ୍ଦ ନାୟକ ପ୍ରମୁଖଙ୍କ ସମେତ ଶତାଧିକ ସ୍ଥାନୀୟ ଗ୍ରାମବାସୀ ଜିଲ୍ଲାପାଳଙ୍କଠାରେ ଲିଖିତ ଅଭିଯୋଗ କରିଛନ୍ତି । ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ସ୍ଥାନୀୟ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।