ବାଳକାଟି ୧୮/୦୧: ସରଦେଈପୁର-ନିମାପଡ଼ା ପୂର୍ତ୍ତ ବିଭାଗ ରାସ୍ତାର ବାଳକାଟି ବଜାର ପୁରୁଣା ଫାଣ୍ଡି ଛକ ନିକଟରେ ଶନିବାର ରାତି ୧୦ଟାରେ ସିରିଜ୍ ଦୁର୍ଘଟଣା ଘଟିଛି । ଜଣେ ନିଶାସକ୍ତ କାର ଚାଳକ ବଜାର ରାସ୍ତା ପାଶ୍ୱର୍ରେ ଥୁଆ ହୋଇଥିବା ୮ଟି ବାଇକ୍କୁ ଧକ୍କା ଦେଇ ସମ୍ପୂର୍ଣ୍ଣ ଚୁରମାର କରିଦେଇଛି । ତେବେ ସୌଭାଗ୍ୟକୁ କୌଣସି ବ୍ୟକ୍ତିଙ୍କୁ ଆଘାତ ଲାଗିନି । ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ଲୋକେ ସମ୍ପୃକ୍ତ ଚାଳକଙ୍କୁ ମାଡ଼ ମାରି ପୁଲିସ ଜିମା ଦେଇଛନ୍ତି । ନିଶାରେ ବାଉଳି ଚାଉଳି ହେଉଥିବାରୁ ତାଙ୍କ ପରିଚୟ ମିଳିପାରି ନାହିଁ ।

ସୂଚନା ଅନୁଯାୟୀ, ଏକ ସଫାରୀ କାର(ଓଡି୦୨ସିଡବ୍ଲୁ୮ ୩୦୨) ବାଲିପାଟଣାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା । ଚାଳକ ଜଣଙ୍କ ନିଶାଗ୍ରସ୍ତ ଥିବାରୁ ନିୟନ୍ତ୍ରଣ ହରାଇ ଦୃତ ଗତିରେ ଯାଇ ଫାଣ୍ଡି ଛକ ନିକଟରେ ପ୍ରାୟ ୫୦ ମିଟର ପର୍ଯ୍ୟନ୍ତ ରାସ୍ତାରେ ଥିବା ବାଇକ୍ଗୁଡ଼ିକୁ ଧକ୍କା ଦେଇଥିଲେ । ବାମ ପାଶ୍ୱର୍ରେ ଗୋଟିଏ ପରେ ଗୋଟିଏ ବାଇକ୍ ଉପରେ କାରଟି ଚଢ଼ି ଚାଲିଥିଲା । ଏଥିରେ ୮ଟି ବାଇକ୍ ଭାଙ୍ଗିରୁଜି ଯାଇଛି । ପରେ କାରଟି ଏକ ଇଟା ଗଦା ପାଖରେ ଅଟକି ଯାଇଥିଲା । ତେବେ ରାତିରେ ବଜାରରେ ଗହଳି ନଥିବାରୁ କେହି ମୃତାହତ ହୋଇନାହାନ୍ତି । ବାଳକାଟି ଫାଣ୍ଡି ପୁଲିସ ପହଞ୍ଚି ଚାଳକଙ୍କୁ ଥାନାକୁ ନେବା ସହ କାର ଓ ୮ ବାଇକ୍ ଜବତ କରିଛି ।