ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ବୈକୁଣ୍ଠଧାମ ଆଶ୍ରମର ସାଙ୍ଘାତିକ କାରସାଦି: ହାଇକୋର୍ଟଙ୍କୁ ବି ଭୂତାଇ ଦେଲା, ନକଲି ଚିଠି ଦେଖାଇ ୧୨ ଯାଏ ଆଣିଛନ୍ତି ଉଚ୍ଛେଦ ରହିତାଦେଶ

Published By : Prameya | December 6, 2024 10:27 AM

ଭୁବନେଶ୍ୱର,୦୬/୧୨: ସ୍କୁଲ ଓ ଗଣଶିକ୍ଷା  ବିଭାଗର ଚିଠି ନଂ ୨୧୦୬୫ । ଯାହାକି ଗଞ୍ଜାମ ଜିଲ୍ଲା  ବୁଗୁଡ଼ା ବିଇଓ ଅଫିସରେ ଥିବା ସିନିଅର ଆସିଷ୍ଟାଣ୍ଟଙ୍କୁ  ଲେଖାଯାଇଛି । ଗଣଶିକ୍ଷା ବିଭାଗ ଲେଖିଥିବା ଏହି ଚିଠି  ନଂକୁ ନକଲ କରିଛି ଘାଟିକିଆରେ ଥିବା ବିବାଦୀୟ ବୈକୁଣ୍ଠଧାମ ସେବାଶ୍ରମ । ଖାଲି ନକଲ କରିନାହାନ୍ତି,  ସେହି ଚିଠିକୁ ହାଇକୋର୍ଟରେ ଦାଖଲ ବି କରିଛନ୍ତି ।  ବାସ୍ତବରେ ସେମିତି କୌଣସି ଚିଠି ଗଣଶିକ୍ଷା ବିଭାଗ ଲେଖିନି । ହାଇକୋର୍ଟ ସହ ସାଙ୍ଘାତିକ କାରସାଦି  କରି ନକଲି ଚିଠି ଦାଖଲ କରିଛି ବୈକୁଣ୍ଠଧାମ  ସେବାଶ୍ରମ । ଏହା ବଦଳରେ ହାଇକୋର୍ଟରୁ ଉଚ୍ଛେଦ ବିରୋଧରେ ରହିତାଦେଶ ବି ଆଣିଛି ।  

ବୈକୁଣ୍ଠଧାମ ସେବାଶ୍ରମ ହାଇକୋର୍ଟରେ ଦାଖଲ କରିଥିବା ଚିଠିକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଆଦୌ ସାଧାରଣ ପ୍ରଶାସନ ବିଭାଗକୁ ଲେଖିନି। ହେଲେ  ନକଲି ଚିଠି ନଂ ପକାଇ ହାଇକୋର୍ଟରେ ଏହାକୁ ଦାଖଲ କରାଯାଇଛି । ଚିଠିକୁ ଅବିକଳ ନକଲ କରି  ଏଥିରେ ବିଭାଗର ଲୋଗୋ ଓ ଅଧିକାରୀଙ୍କ ଦସ୍ତଖତ  ରଖାଯାଇଛି । ଅଦାଲତଙ୍କୁ ଏଭଳି ବିଭ୍ରାନ୍ତିକର  ଚିଠି ଦେଖାଇ ବେଆଇନ ଭାବେ ତିଆରି ଆଶ୍ରମ ବିରୋଧରେ ହୋଇଥିବା ଉଚ୍ଛେଦ ନିଷ୍ପତ୍ତି ଉପରେ  ରହିତାଦେଶ ଆଣିଛି । ଖୋଦ୍‌ ସ୍କୁଲ ଓ ଗଣଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ  ରଖିବା ସର୍ତ୍ତରେ ବୈକୁଣ୍ଠଧାମ ସେବାଶ୍ରମର ଏହି  ଚଞ୍ଚକତାର ପର୍ଦ୍ଦାଫାସ କରିଛନ୍ତି । ହାଇକୋର୍ଟରେ  ଦାଖଲ ହୋଇଥିବା ଚିଠିର ସତ୍ୟାସତ୍ୟ ଯାଞ୍ଚ ବେଳେ  ଏହି ସତ ପଦାକୁ ଆସିଛି । 

ଘାଟିକିଆ ମୌଜାରେ ବେଆଇନ ଭାବେ  ତିଆରି ହୋଇଥିବା ଏହି ଆଶ୍ରମ ଭାଙ୍ଗିବାକୁ  ବିଡିଏ କର୍ତ୍ତୃପକ୍ଷ ଗତ ନଭେମ୍ବର ୨୦  ତାରିଖରେ ନିଷ୍ପତ୍ତି ନେଇଥିଲେ । ବିଡିଏ, ଜିଏ, ବିଏମ୍‌ସି ଓ କମିଶନରେଟ ପୁଲିସର କେନ୍ଦ୍ରୀୟ  ଏନ୍‌ଫୋର୍ସମେଣ୍ଟ କମିଟି ଏହାକୁ ଭାଙ୍ଗିବ ବୋଲି ନିଷ୍ପତ୍ତି ହୋଇଥିଲା । ଏଥିପାଇଁ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଆଶ୍ରମକୁ ଯାଇ ଜିନିଷପତ୍ର ଖାଲି କରିବାକୁ ମାଇକ୍‌ ଯୋଗେ ଘୋଷଣା  କରିଥିଲା । ବିଡିଏର ଉଚ୍ଛେଦ ନିଷ୍ପତ୍ତିକୁ ଚାଲେଞ୍ଜ କରି ଗତ ୨୦  ତାରିଖରେ ତରବରିଆ ଭାବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା  ବୈକୁଣ୍ଠଧାମ ସେବାଶ୍ରମ ଟ୍ରଷ୍ଟ । ହାଇକୋର୍ଟ ମାମଲାକୁ ଗ୍ରହଣ  କରି ରାଜ୍ୟ ସରକାରଙ୍କୁ ନୋଟିସ୍‌ ଜାରି କରିଥିଲେ । ଏଥିସହ  ବୈକୁଣ୍ଠନାଥ ଆଶ୍ରମ ତଥା ଘାଟିକିଆ ମୌଜାର ଖାତା ନଂ  ୨୩୩୩ ପ୍ଲଟ୍‌ ନଂ ୧୨୧୫ ଉପରେ କୌଣସି କଠୋର  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବନି ବୋଲି ହାଇକୋର୍ଟ ଅନ୍ତରୀଣ  ଆଦେଶ ଦେଇଥିଲେ । ଡିସେମ୍ବର ୧୨ ତାରିଖରେ ମାମଲାର  ପରବର୍ତ୍ତୀ ଶୁଣାଣି ହେବ ବୋଲି ସମୟ ଧାର୍ଯ୍ୟ ହୋଇଥିଲା ।   

ହାଇକୋର୍ଟରେ ଶୁଣାଣି ସମୟରେ ଆଶ୍ରମ ପକ୍ଷରୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ଚିଠି ନଂ ୨୧୦୬୫ ଦାଖଲ କରାଯାଇଥିଲା । ସେହି ନିର୍ଦ୍ଦିଷ୍ଟ ଚିଠି ବିଭାଗର ଯୁଗ୍ମସଚିବ ସାଧାରଣ ପ୍ରଶାସନ ବିଭାଗ ଅଧୀନରେ ଥିବା ଇଷ୍ଟେଟ୍‌ ନିର୍ଦ୍ଦେଶକଙ୍କୁ ଲେଖିଥିଲେ ବୋଲି ଦର୍ଶାଯାଇଛି । ଏଥିରେ ବୈକୁଣ୍ଠଧାମ ସେବାଶ୍ରମ ଟ୍ରଷ୍ଟକୁ ଘାଟିକିଆ ମୌଜାର ଖାତା ନଂ  ୨୩୩୩ର ପ୍ଲଟ୍‌ ନଂ ୧୨୧୫(ପାର୍ଟ) ଜମି ଆବଣ୍ଟନ କରିବାକୁ ସୁପାରିଶ କରାଯାଇଛି । ଡିଭୋସନାଲ ଯୋଗ ସ୍କୁଲ ଏହି ଜମିରେ ସ୍କୁଲ ତିଆରି କରି ପିଲାଙ୍କୁ ପାଠ ପଢ଼ାଇବାକୁ ଚାହୁଁଛି । ଏଥିପାଇଁ  ଚିଠିରେ ବୈକୁଣ୍ଠଧାମ ସେବାଶ୍ରମ ଟ୍ରଷ୍ଟ ନାଁରେ ଜମି ଆବଣ୍ଟନ କରିବାକୁ ଇଷ୍ଟେଟ୍‌ ନିର୍ଦ୍ଦେଶକଙ୍କୁ ସୁପାରିଶ କରାଯାଇଛି ।   

ଏହି ଚିଠି ବଳରେ ଆଶ୍ରମ ହାଇକୋର୍ଟରେ ଯୁକ୍ତି କରିଥିଲା ଯେ, ଏହି ସ୍କୁଲ ପିଲାଙ୍କ ପାଠ ପଢ଼ାରେ ବ୍ୟବହାର ହେଉଛି । ଖୋଦ୍‌ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏ ନେଇ ଅବଗତ  ଅଛି ଓ ଜାଗା ଦେବାକୁ ସୁପାରିଶ କରିଛି । ହାଇକୋର୍ଟ ମଧ୍ୟ ଏହି ଯୁକ୍ତିକୁ ବିଚାରକୁ ନେବା ସହିତ ଗଣଶିକ୍ଷା ବିଭାଗର ଚିଠି ଆଧାରରେ ଆଶ୍ରମ ଉଚ୍ଛେଦ ଉପରେ ରୋକ୍‌ ଲଗାଇଛନ୍ତି । କିନ୍ତୁ  ଏହି ଚିଠିର ପଛର ସତ ପୂରା ଓଲଟା । ଏଭଳି କୌଣସି ଚିଠି  ବିଭାଗ ପକ୍ଷରୁ କରାଯାଇନି । ଯେଉଁ ଚିଠି ନଂ ହାଇକୋର୍ଟରେ  ଦାଖଲ ହୋଇଛି ସେହି ଚିଠି ନଂରେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା  ବିଇଓଙ୍କ ଅଧୀନରେ ଥିବା ସିନିଅର ଆସିଷ୍ଟାଣ୍ଟ ଭାସ୍କର ଚନ୍ଦ୍ର  ସାହୁଙ୍କୁ ଚିଠି କରାଯାଇଛି । ଏକ ଘରୋଇ ହସ୍ପିଟାଲରେ  ଚିକିତ୍ସା ବାବଦରେ ହୋଇଥିବା ଖର୍ଚ୍ଚ ରାଶିର ଆରସିଏମ କ୍ଲେମ୍‌  ସମ୍ବନ୍ଧୀୟ ବିଷୟରେ ଶ୍ରୀ ସାହୁଙ୍କୁ ଏହି ନିର୍ଦ୍ଦିଷ୍ଟ ଚିଠି ନଂରେ  ସ୍କୁଲ ଓ ଗଣଶିକ୍ଷା ବିଭାଗର ଉପସଚିବ ମହେନ୍ଦ୍ର କୁମାର  ପଣ୍ଡା ଗତ ଅଗଷ୍ଟ ମାସ ୨୨ ତାରିଖରେ ଚିଠି କରିଥିଲେ ।  କିନ୍ତୁ ଏହି ଚିଠି ନଂକୁ ନକଲ କରି ବୈକୁଣ୍ଠଧାମ ସେବାଶ୍ରମ  ହାଇକୋର୍ଟରେ ନକଲି ଚିଠି ଦାଖଲ କରିଥିବା ଅଭିଯୋଗ  ହୋଇଛି । ଗଣଶିକ୍ଷା ବିଭାଗ ଏହି କାରସାଦିକୁ ଧରିଛି । ଆସନ୍ତା ୧୨ ତାରିଖରେ ପରବର୍ତ୍ତୀ ଶୁଣାଣିରେ ବିଭାଗ ହାଇକୋର୍ଟଙ୍କୁ  ଏ ସମ୍ପର୍କରେ ଅବଗତ କରିବ ବୋଲି ସୂଚନା ମିଳିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.