ଶିମିଳିପାଳର ସେହି ବିରଳ ମେଲାନିଷ୍ଟିକ୍ ବାଘ (Melanistic Tiger) ବା କଳାବାଘଙ୍କ ଛବି ଯେତେବେଳେ ନ୍ୟାସନାଲ ଜିଓଗ୍ରାଫିକ୍ ପରି ଏକ ବିଶ୍ୱସ୍ତରୀୟ ପତ୍ରିକାର କଭର ପେଜ୍ରେ ସ୍ଥାନ ପାଇଲା, ତାହା କେବଳ ଓଡ଼ିଆ ଫଟୋଗ୍ରାଫର ନୁହେଁ, ବରଂ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏକ ବଡ଼ ସମ୍ମାନ ଥିଲା । ଏହା ସତରେ ଓଡ଼ିଶା ପାଇଁ ଏକ ଅବିସ୍ମରଣୀୟ ଏବଂ ଗର୍ବର ମୁହୂର୍ତ୍ତ ଥିଲା । ଶିମିଳିପାଳ ହେଉଛି ପୃଥିବୀର ଏକମାତ୍ର ସ୍ଥାନ ଯେଉଁଠାରେ ପ୍ରାକୃତିକ ଭାବେ ଏହି ଜେନେଟିକ୍ ପରିବର୍ତ୍ତନ ଥିବା ବାଘ ଦେଖାଯାନ୍ତି । ନ୍ୟାସନାଲ ଜିଓଗ୍ରାଫିକରେ ଏହା ପ୍ରକାଶ ପାଇବା ପରେ ସାରା ବିଶ୍ୱର ବନ୍ୟପ୍ରାଣୀପ୍ରେମୀ ଏବଂ ବୈଜ୍ଞାନିକଙ୍କ ଦୃଷ୍ଟି ଆମ ଓଡ଼ିଶା ଉପରକୁ ଆସିଲା । ଓଡ଼ିଶାର ୱାଇଲ୍ଡ ଲାଇଫ ଫଟୋଗ୍ରାଫରମାନେ ବହୁବର୍ଷ ଧରି ଧୈର୍ଯ୍ୟର ସହ ଜଙ୍ଗଲରେ ସମୟ ବିତାଇ ଏହି ଅଦୃଶ୍ୟ ବାଘଙ୍କର ଝଲକ ପାଇବାକୁ ବାରମ୍ବାର ବିଫଳ ହୋଇଥାନ୍ତି । ଏପରି ଏକ ଅନ୍ତର୍ଜାତୀୟ ମାନ୍ୟତା ସେମାନଙ୍କ ପାଇଁ ଏକ ଅଶାର ଆଲୋକ ପରି ଦୃଶ୍ୟମାନ ହେଲା
। ଏହି ଖବର ପରେ ଶିମିଳିପାଳକୁ ନେଇ ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍ସାହ ବଢିଛି । ବାଘଙ୍କ ସଂରକ୍ଷଣ ପାଇଁ ସରକାରୀ ଏବଂ ଜନସାଧାରଣଙ୍କ ସ୍ତରରେ ସଚେତନତା ମଧ୍ୟ ବୃଦ୍ଧିପାଇଛି । ଏହି କଳାବାଘମାନେ ଶିମିଳିପାଳର ରତ୍ନ । କିନ୍ତୁ ପ୍ରଶ୍ନ ଉଠୁଛି, ଯେଉଁ ଉତ୍ସାହରେ ପର୍ଯ୍ୟଟକମାନେ ଏଠାକୁ ଆସୁଛନ୍ତି, ସେମାନେ କ'ଣ ପ୍ରକୃତରେ ସେହି ଅନୁଭୂତି ପାଉଛନ୍ତି, ନା ଏକ ଦୁର୍ବଳ ପରିଚାଳନାଗତ ବ୍ୟବସ୍ଥାର ଶିକାର ହେଉଛନ୍ତି? ଏହି ଖବର ପରେ ପରେ ବେଙ୍ଗାଲୁରୁରେ ରହୁଥିବା ମୋର ଜଣେ ବିଶିଷ୍ଟ ଇଣ୍ଟନାସନାଲ ୱାଇଲ୍ଡ ଲାଇଫ୍ ଫଟୋଗ୍ରାଫର ବନ୍ଧୁ, ଯିଏକି ଜଣେ ପ୍ରଥମ ଓଡ଼ିଆ, ଭାରତର ସର୍ବାଧିକ ଅଭୟାରଣ୍ୟ ଭ୍ରମଣ କରି ସ୍ନୋ ଲେପାର୍ଡ ସମେତ ସର୍ବାଧିକ ପ୍ରାଣୀ ପ୍ରଜାତିଙ୍କ ଫଟୋ ନିଜ କ୍ୟାମେରାରେ କଏଦ କରିପାରିଛନ୍ତି, ମୋତେ ବାରମ୍ବାର ଫୋନ୍ କରି ଆମ ଶିମିଳିପାଳର କଳାବାଘ ଦେଖିବା ପାଇଁ ଅସ୍ତବ୍ୟସ୍ତ କରିପକେଇଲେ । ମୁଁ ବି କାଳବିଳମ୍ବ ନକରି ଗତ ୧୦ ନଭେମ୍ବରରୁ ୧୩ ନଭେମ୍ବର ୨୦୨୫ ଯାଏଁ ଗୁଡୁଗୁଡିଆ ଇକୋ କଟେଜ ବୁକିଂ ସହିତ ପାଞ୍ଚଟି ବାଘ ସଫାରୀ ପାଇଁ ଛଟିକିଆ ଜିପ୍ ମଧ୍ୟ ବୁକ୍ କରିଦେଲି ମାସେ ପୂର୍ବରୁ । ସେ ଓ ଆଉ ଜଣେ ଡାକ୍ତର ବନ୍ଧୁଙ୍କୁ ଧରି ଭୁବନେଶ୍ୱରରୁ ୨୬୫କିମି. ଡ୍ରାଇଭ କରି ଗୁଡୁଗୁଡିଆ ନେଚର କ୍ୟାମ୍ପରେ ପହଞ୍ଚି ତିନି ରାତି ରହିଲୁ ଏବଂ ପାଞ୍ଚଟି ଯାକ ସଫାରୀ ଭୋର ପଞ୍ଚରୁ ଥଣ୍ଡାରେ ଥରି ଥରି ଜଙ୍ଗଲ ବୁଲିଲୁ, ଏହି ଆଶାରେ ଯେ ଅଧିକ ଥର ଚେଷ୍ଟା କଲେ ଅନ୍ତତଃ ପକ୍ଷେ ଥରୁଟିଏ ବାଘ କିମ୍ବା ବାଘର କୌଣସି ଚିହ୍ନ ଦେଖିବାକୁ ମିଳିବ ।
ଆମର ନିଷ୍ଠା ସତ୍ତେ୍ୱ ପ୍ରତିଦିନ ସକାଳ ୫ଟାରୁ ଉଠି ୨ଡିଗ୍ରୀ ସେଲସିୟସ୍ର ପ୍ରବଳ ଶୀତରେ ଜଙ୍ଗଲକୁ ଯିବା ପରେ ମଧ୍ୟ ଅଭିଜ୍ଞତା ଅତ୍ୟନ୍ତ ନିରାଶାଜନକ ଥିଲା । ପାଞ୍ଚଟି ସଫାରୀ ମଧ୍ୟରେ ଆମେ କେବଳ ବାଘ ଦେଖିବାରେ ବିଫଳ ହେଲୁ ତାହା ନୁହେଁ, ବରଂ ବାଘର ଉପସ୍ଥିତିର ଗୋଟିଏ ହେଲେ ଚିହ୍ନ³ ଯେପରିକି ପାଦଚିହ୍ନ (pugmarks), ମଳ (scat) କିମ୍ବା ଗଛରେ ରାମ୍ପୁଡ଼ା ଚିହ୍ନ ମଧ୍ୟ ଦେଖିବାକୁ ପାଇଲୁ ନାହିଁ । କେବଳ ଆମେ ନୁହେଁ, ଜାଣିବାକୁ ପାଇଲୁ ଯେ ଆମ ପୂର୍ବରୁ ମେକ୍ସିକୋରୁ ଆସିଥିବା ଏକ ଦମ୍ପତି କେବଳ ଶିମିଳିପାଳର ବାଘ ଦେଖିବା ପାଇଁ ୧୮ଟି ସଫାରୀ ବୁକ୍ କରିଥିଲେ, କିନ୍ତୁ ସେମାନେ ମଧ୍ୟ ଗୋଟିଏ ହେଲେ ଦୃଶ୍ୟ ନଦେଖି ଫେରିଗଲେ । ଜାଣିବାକୁ ପାଇଲୁ ଯେ ନ୍ୟାସନାଲ ଜିଓଗ୍ରାଫିରେ ଯେଉଁ ବାଘ ଫଟୋ ଥିଲା ତାହା ସେ ଫଟୋଗ୍ରାଫର ଜଙ୍ଗଲ ବିଭାଗ ତତ୍ତ୍ୱାବଧାନରେ ରହି ମଧ୍ୟ ୧୨୦ ରହଣି ପରେ ହିଁ ପାଇଥିଲେ । ଏଭଳି ଘଟଣା ଅନ୍ତର୍ଜାତୀୟ ବନ୍ୟପ୍ରାଣୀ ସମୁଦାୟ ନିକଟକୁ ଏକ ନକାରାତ୍ମକ ବାର୍ତ୍ତା ପଠାଉଛି ।
ଭାରତର ଅନ୍ୟାନ୍ୟ ପ୍ରମୁଖ ବ୍ୟାଘ୍ର ଅଭୟାରଣ୍ୟ (ଯେପରିକି କାହ୍ନା, ବାନ୍ଧବଗଡ଼, ତାଡୋବା, ନାଗରହୋଲ୍, ବାନ୍ଦୀପୁର, କାବିନି, ରନ୍ଥାମ୍ବୋର, ସରିସ୍କା, ଦୁଧୱା ଇତ୍ୟାଦି) ସହିତ ମୋର ପର୍ଯ୍ୟବେକ୍ଷଣ ଏବଂ ତୁଳନା ଅନୁଯାୟୀ, ମୂଳ ସମସ୍ୟାଟି ସଫାରୀ ପରିଚାଳନା ବ୍ୟବସ୍ଥା, ବିଶେଷ କରି ରୁଟ୍ ପ୍ଲାନିଂରେ ରହିଛି । ଯଥା- ଅନ୍ୟ ରାଜ୍ୟମାନଙ୍କରେ ଅଭୟାରଣ୍ୟଗୁଡ଼ିକୁ ବିଭିନ୍ନ ଜୋନ୍ ଏବଂ ଏକାଧିକ ସ୍ୱତନ୍ତ୍ର ରୁଟ୍ରେ ବିଭକ୍ତ କରାଯାଇଥାଏ, ଯାହାଫଳରେ ପର୍ଯ୍ୟଟକଙ୍କ ଗାଡ଼ିଗୁଡ଼ିକ ବିକ୍ଷିପ୍ତ ଭାବେ ବିଭିନ୍ନ ରୁଟ୍ରେ ବୁଲନ୍ତି । କିନ୍ତୁ ଶିମିଳିପାଳରେ ମାତ୍ର ଗୋଟିଏ ଜୋନ୍ର ଗୋଟିଏମାତ୍ର ରୁଟ୍ର ସମସ୍ତ ୧୨ଟି ଅନୁମତିପ୍ରାପ୍ତ ଗାଡ଼ି ଏକାସାଙ୍ଗରେ ଏକ ‘କନଭୟ' ବା ଧାଡ଼ି ହୋଇ ଯାଉଛନ୍ତି ନୂଆଗାଁ ପର୍ଯ୍ୟନ୍ତ ଏବଂ ସେଠାରୁ ସିଧା ସେହି ରାସ୍ତାଦେଇ ଫେରୁଛନ୍ତି । ୧୨ଟି ଗାଡ଼ି ଗୋଟିଏ ରାସ୍ତାରେ ଏକାସାଙ୍ଗରେ ଗଲାବେଳେ ସେମାନଙ୍କର ସମ୍ମିଳିତ ଶବ୍ଦ ଏବଂ କମ୍ପନ ପ୍ରାକୃତିକ ଭାବେ ବନ୍ୟଜନ୍ତୁଙ୍କୁ ରାସ୍ତାଠାରୁ ଦୂରେଇ ନିଏ । ଅନ୍ୟ ଅଭୟାରଣ୍ୟରେ ବିଭିନ୍ନ ଜୋନ୍ର ବିଭିନ୍ନ ରୁଟ୍ରେ ଗୋଟିଏ ଗୋଟିଏ ଗାଡ଼ି ଯିବାଦ୍ୱାରା ବନ୍ୟଜନ୍ତୁ ଦେଖିବା ଯେତିକି ସହଜ ହୁଏ, ଏଠାରେ ତାହା ପ୍ରାୟ ଅସମ୍ଭବ ହୋଇପଡ଼େ । ନ୍ୟାସନାଲ ଜିଓଗ୍ରାଫିକରେ କଳାବାଘଙ୍କୁ ନେଇ ପ୍ରକାଶିତ ବିଷୟବସ୍ତୁ ହଜାର ହଜାର ଫଟୋଗ୍ରାଫର ଏବଂ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଥିବାବେଳେ, ବର୍ତ୍ତମାନର ଭିତ୍ତିଭୂମି ଏବଂ ପରିଚାଳନା ସେହି ପ୍ରଚାର ଅନୁଯାୟୀ ଅଭିଜ୍ଞତା ପ୍ରଦାନ କରିବାରେ ଅସମର୍ଥ ।
ଅବଶ୍ୟ ଶିମିଳିପାଳ ସହିତ ଦେଶର ପ୍ରମୁଖ ବ୍ୟାଘ୍ର ସଫାରୀ କେନ୍ଦ୍ର ବାନ୍ଧବଗଡ଼କୁ ତୁଳନା କରିବା ଠିକ୍ ହେବନାହିଁ । କାରଣ ବାନ୍ଧବଗଡ଼ ବିଶ୍ୱର ସେହି ଜଙ୍ଗଲଗୁଡିକ ମଧ୍ୟରୁ ଗୋଟିଏ, ଯେଉଁଠାରେ ବାଘଙ୍କ ଘନତ୍ୱ ସର୍ବାଧିକ । ଫଳରେ ସଫାରୀ ସମୟରେ ବାଘ ଦେଖିବାର ସୁଯୋଗ ବହୁତ ବଢ଼ିଯାଏ । ଶିମିଳିପାଳ ଏକ ବିଶାଳ ଜଙ୍ଗଲ, କିନ୍ତୁ ଏଠାରେ ବାଘଙ୍କ ସଂଖ୍ୟା ସେହି ଅନୁପାତରେ କମ୍ । ବାଘମାନେ ବହୁତ ବଡ଼ ଅଞ୍ଚଳରେ ବିଛେଇ ହୋଇ ରହିଥାନ୍ତି, ଯାହା ସେମାନଙ୍କୁ ଦେଖିବା କଷ୍ଟକର କରିଥାଏ । ସେହିପରି ବାନ୍ଧବଗଡ଼ ଜଙ୍ଗଲ ଅପେକ୍ଷାକୃତ ଖୋଲା ଏବଂ ପଥୁରିଆ ପାହାଡ଼ିଆ ଅଞ୍ଚଳ ରହିଛି । ଶୁଖିଲା ପର୍ଣ୍ଣମୋଚୀ ଜଙ୍ଗଲ ହୋଇଥିବାରୁ ଗଛର ଘନତ୍ୱ କମ୍ ଥାଏ, ଯାହା ଦୂରରୁ ବାଘକୁ ଚିହ୍ନିବାରେ ସାହାଯ୍ୟ କରେ । କିନ୍ତୁ ଶିମିଳିପାଳ ଏକ ଅତି ଘଞ୍ଚ କ୍ରାନ୍ତୀୟ ଜଙ୍ଗଲ ((Tropical Dense Forest)) । ଏଠାରେ ଶାଳଗଛର ଘନତା ଏବଂ ବହଳିଆ ବୁଦା ଯୋଗୁଁ ବାଘ ସାମ୍ନାରେ ଥିଲେ ମଧ୍ୟ ସହଜରେ ଦେଖାଯାଏ ନାହିଁ । ପ୍ରମୁଖ କାରଣ ହେଲା ସଫାରୀ ମ୍ୟାନେଜମେଣ୍ଟ ଓ ଟ୍ରାକିଂ ବ୍ୟବସ୍ଥା ଯେମିତି, ବାନ୍ଧବଗଡ଼ରେ ଗାଇଡ୍ ଏବଂ ଡ୍ରାଇଭରମାନେ ବହୁତ ଅଭିଜ୍ଞ । ସେମାନେ ବାଘର ଗତିବିଧି, ପାଦଚିହ୍ନ ଏବଂ ଅନ୍ୟ ପ୍ରାଣୀଙ୍କ ଚିତ୍କାର (Alarm Calls)କୁ ଖୁବ୍ ଭଲଭାବରେ ବୁଝନ୍ତି ।
ଏହାଛଡ଼ା ବାଘଙ୍କ ଉପରେ ନଜର ରଖିବା ପାଇଁ ଏଠାରେ ଏକ ବ୍ୟବସ୍ଥିତ ତନ୍ତ୍ର ରହିଛି । କିନ୍ତୁ ଶିମିଳିପାଳରେ ପର୍ଯ୍ୟଟନ କ୍ଷେତ୍ର ଅପେକ୍ଷାକୃତ ସୀମିତ ଏବଂ ଟ୍ରାକିଂ ସୁବିଧା ବାନ୍ଧବଗଡ଼ ଭଳି ଏତେ ଉନ୍ନତ ନୁହେଁ । ଅଧିକାଂଶ ସମୟରେ ପର୍ଯ୍ୟଟକମାନେ କେବଳ ମୁଖ୍ୟ ରାସ୍ତାରେ ଯାଆନ୍ତି, ଯେଉଁଠାରେ ବାଘ ଆସିବାର ସୁଯୋଗ କମ୍ ଥାଏ । ସବୁଠାରୁ ଉଲ୍ଲେଖନୀୟ କାରଣ ହେଲା, ବାନ୍ଧବଗଡ଼ର ବାଘମାନେ ବହୁତ ବର୍ଷ ଧରି ସଫାରୀ ଗାଡ଼ି ଦେଖି ଅଭ୍ୟସ୍ତ ହୋଇଗଲେଣି । ସେମାନେ ଗାଡ଼ି ଦେଖିଲେ ଭୟ କରନ୍ତିନାହିଁ ବା ଲୁଚନ୍ତିନାହିଁ । କିନ୍ତୁ ଶିମିଳିପାଳର ବାଘମାନେ ବହୁତ ଲାଜକୁଳା ଏବଂ ମଣିଷଙ୍କ ଠାରୁ ଦୂରରେ ରହିବାକୁ ପସନ୍ଦ କରନ୍ତି । ଗାଡ଼ିର ଶବ୍ଦ ଶୁଣିଲେ ସେମାନେ ଘଞ୍ଚ ଜଙ୍ଗଲ ଭିତରକୁ ଚାଲିଯାନ୍ତି । ତେଣୁ ଯଦି କେହି କେବଳ ବାଘ ଦେଖିବାକୁ ଚାହୁଁଛନ୍ତି ତେବେ ବାନ୍ଧବଗଡ଼ ଶ୍ରେଷ୍ଠ, କିନ୍ତୁ ପ୍ରକୃତିର ଶାନ୍ତି ଏବଂ ବିଭିନ୍ନ ପ୍ରକାରର ପକ୍ଷୀ ଓ ଜୈବବିବିଧତା ପାଇଁ ଶିମିଳିପାଳ ଅତୁଳନୀୟ ।
ଏକ ସଫଳ ଏବଂ ସୁବ୍ୟବସ୍ଥିତ ବାଘ ସଫାରୀ ପାଇଁ କେବଳ ଭାଗ୍ୟ ନୁହେଁ, ବରଂ କିଛି ବୈଷୟିକ ଏବଂ ପରିଚାଳନାଗତ ଦିଗ ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଆବଶ୍ୟକ । ବାଘମାନଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ରେଞ୍ଜରମାନଙ୍କ ପାଖରେ ଉନ୍ନତ ୱାକି-ଟକି କିମ୍ବା ମନିଟରିଂ ସିଷ୍ଟମ ରହିବା ଦରକାର । ବାଘମାନଙ୍କ ପାଇଁ ଏକ ସୁସ୍ଥ ପରିବେଶ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ସଫାରୀ ଅଞ୍ଚଳରେ ପର୍ଯ୍ୟାପ୍ତ ପରିମାଣର ହରିଣ, ସମ୍ବର ଏବଂ ବରାହ ଭଳି ଶିକାର ଜନ୍ତୁ ରହିବା ଦରକାର । ବାଘମାନେ ଜଳାଶୟ ନିକଟରେ ରହିବାକୁ ପସନ୍ଦ କରନ୍ତି । ଶିମିଳିପାଳ ଜଙ୍ଗଲ ଭିତରେ କୃତ୍ରିମ ବା ପ୍ରାକୃତିକ ଜଳାଶୟର ବ୍ୟବସ୍ଥାରେ ମଧ୍ୟ ଅଭାବ ନାହିଁ । ଘଞ୍ଚ ଜଙ୍ଗଲ ଓ ବିଶ୍ରାମ ବାଘମାନଙ୍କୁ ଲୁଚି ରହିବା ପାଇଁ ଘଞ୍ଚ ବୁଦା ଏବଂ ଲମ୍ବା ଘାସର ଆବଶ୍ୟକତା ଥାଏ, ଯାହା ଶିମିଳିପାଳରେ ଯଥେଷ୍ଟ ପରିମାଣରେ ରହିଛି । ତେବେ ସମସ୍ୟା କେଉଁଠି ରହିଛି? ସମସ୍ୟା ବ୍ୟାଘ୍ର ପ୍ରକଳ୍ପରେ ନୁହେଁ, ସମସ୍ୟା ରହିଛି ସଫାରୀ ମ୍ୟାନେଜମେଣ୍ଟରେ ।
ଶିମିଳିପାଳ ବ୍ୟାଘ୍ର ସଂରକ୍ଷିତ ଅଞ୍ଚଳରେ ବ୍ୟାଘ୍ର ସଫାରୀର ବାସ୍ତବ ସ୍ଥିତି ସରକାରଙ୍କ ଦୃଷ୍ଟି ଆକର୍ଷଣ ନିମନ୍ତ ଏହି ଆଲେଖ୍ୟ ଉଦ୍ଦିଷ୍ଟ । ଓଡ଼ିଶାର ପର୍ଯ୍ୟଟନ ବିକାଶର ଜଣେ ଶୁଭେଚ୍ଛୁ ଭାବରେ ଓ ଓଡ଼ିଶାରେ ଗୋଟିଏ ଉନ୍ନତ ଧରଣର ବ୍ୟାଘ୍ର ସଫାରୀର ପ୍ରବକ୍ତା ଭାବରେ ସରକାରଙ୍କୁ ଅନୁରୋଧ କରୁଛି ଯେ, ସଫାରୀ ରୁଟ୍ଗୁଡ଼ିକୁ ବିଭିନ୍ନ ଭାଗରେ ବିଭକ୍ତ କରାଯାଇ, ବ୍ୟାଘ୍ର ସଫାରୀ ପାଇଁ ଅତିକମ୍ରେ କୋର ଅଞ୍ଚଳର ମାତ୍ର ୨୦ ପ୍ରତିଶତ ଅଞ୍ଚଳକୁ ୩-୪ ଜୋନ୍ରେ ବିଭକ୍ତ କରାଯାଉ ଏବଂ ତାହା ସହିତ ମଧ୍ୟପ୍ରଦେଶ କିମ୍ବା ମହାରାଷ୍ଟ୍ରର ପରିଚାଳନା ମଡେଲକୁ ଆପଣାଇବା ପାଇଁ ବିଚାର କରନ୍ତୁ । ଏକାଧିକ ରୁଟ୍ ଖୋଲିବା ଏବଂ କନଭୟ ବ୍ୟବସ୍ଥା ବନ୍ଦ କରିବା ଦ୍ୱାରା ବନ୍ୟଜନ୍ତୁ ଦେଖିବାର ସମ୍ଭାବନା ଯଥେଷ୍ଟ ବୃଦ୍ଧିପାଇବ ଏବଂ ପର୍ଯ୍ୟଟକମାନେ ନିଜକୁ ପ୍ରତାରିତ ଅନୁଭବ କରିବେ ନାହିଁ । ଆଶା କରୁଛି, ସରକାର ଏହି ମତାମତକୁ ଗଠନମୂଳକ ଭାବେ ଗ୍ରହଣ କରିବେ, ଯାହାଦ୍ୱାରା ଶିମିଳିପାଳ ଭାରତର ଏକ ଶ୍ରେଷ୍ଠ ବନ୍ୟପ୍ରାଣୀ ପର୍ଯ୍ୟଟନ ସ୍ଥଳୀ ଭାବେ ଉଭା ହୋଇପାରିବ ।