ପ୍ରମୂଖ ଖବର
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି, ମଙ୍ଗଳବାର ଋକ୍ମିଣୀ ବିବାହ ଉତ୍ସବ
  • ||
  • ସରିଲା ଗ୍ରୀଷ୍ମ ଛୁଟି, କାଲିଠୁ ଖୋଲିବ ସ୍କୁଲ: ଶିକ୍ଷକ ଆସି କରିବେ ସମସ୍ତ ବ୍ୟବସ୍ଥା
  • ||
  • ନୂଆପଡା ଲଛିପୁର ଛକରେ ଟ୍ରାକ୍ଟର୍କୁ ପିଟିଲା କାର, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

ରାଜଧାନୀକୁ ଶାଗ ନିଅଣ୍ଟ, ଦୁଇ ଘଣ୍ଟାରେ ବଜାରରୁ ହୋଇଯାଉଛି ଉଭାନ୍‌

ଭୁବନେଶ୍ୱର, ୨୫।୫: ଶାଗ କଥା ଉଠିଲେ କି ଆଲୋଚନା ହେଲେ, ଆଖି ଗାଁ ପରିବେଶକୁ ପଳାଇଯାଏ । ମନକୁ ଚାଲିଆସେ ବାଡ଼ିର ଶାଗ କିମ୍ବା ପୋଖରୀ ହୁଡ଼ାର କଳମ ଶାଗ । ସାଧାରଣତଃ ଗାଉଁଲି ପରିବେଶ ଆଖି ଆଗକୁ ଆସେ । ଏବେ ଗାଁର ପରିପାଟୀ ବଦଳିବା ସହିତ ବିଭିନ୍ନ ପ୍ରକାର ଶାଗ ଦୁର୍ଲ୍ଲଭ ହେଲାଣି । ଅନ୍ୟପଟେ ସହରୀ ଚଳଣୀ ଭିତରେ ଶାଗ ପଶିଗଲାଣି । କଖାରୁ ଫୁଲ ହେଉକି ଭଳିକି ଭଳି ଶାଗ, ସକାଳୁ ପସରା ଜମୁଛି ସବୁ ଛକରେ । ବଡ଼ କଥା ହେଲା, ଗାଁରେ ସିଜିନ ହିସାବରେ କିଛି ପ୍ରକାର ଶାଗ ମିଳିଥାଏ । ହେଲେ ସହରର ସବୁ ଛକରେ ସବୁ ଋତୁରେ ସବୁ ଭେରାଇଟିର ଶାଗ ମିଳୁଛି । ଏମିତି ଅନେକ ଶାଗ ମିଳୁଛି ଯାହାର ନାଁ ମଧ୍ୟ କେହି ଜାଣିନଥିବେ । ହଁ ଏକଥା ମଧ୍ୟ ସତ ଯେ ଗାଁ ଶାଗ ଅପେକ୍ଷା ସହରୀ ଶାଗର ଭାଉ ଟିକେ ଅଧିକ । 

ଯେହେତୁ ହାତ ପାହାନ୍ତାରେ ମିଳୁଛି, ଲୋକ ବି ଟଙ୍କା ଦେବାକୁ ମନ ଉଣା କରୁନାହାନ୍ତି । ଦୋକାନୀଙ୍କ ପାଟିରୁ ଯାହା ବାହାରୁଛି ହାତରେ ଟଙ୍କା ଧରାଇ ଶାଗ ନେଇ ଆସୁଛନ୍ତି । ଭୁବନେଶ୍ୱରରେ ଶାଗର ଚାହିଦା ଏତେ ଅଧିକ ଯେ ଘଣ୍ଟେ ଦୁଇ ଘଣ୍ଟା ଭିତରେ ଶାଗ ବିକ୍ରି ହୋଇଯାଉଛି । ଖାଲି ସେତିକି ନୁହେଁ ଖରା ଟିକେ ଟାଣ ହେଲା ବେଳକୁ ଶାଗ ମିଳୁନି । ପ୍ରତି ଛକରେ ଲୋକେ ଶାଗ ପସରା ମେଲାଇ ଥିଲେ ମଧ୍ୟ ରାଜଧାନୀବାସୀଙ୍କୁ ଶାଗ ଯୋଗାଇ ପାରୁନାହାନ୍ତି । ଯେତେ ପରିମାଣରେ ଶାଗ ବଜାରକୁ ଆସିବା କଥା ଆସିପାରୁନି । ଫଳରେ ସମୟ ପୂର୍ବରୁ ଶାଗ ସରିଯାଉଛି । ଲୋକେ ଟିକେ ଡେରିରେ ଗଲେ ମନପସନ୍ଦର ଶାଗ ମିଳୁନି । ଚିକେନ୍‌ ମଟନ ଖିଆ ପାଟି ବି ଶାଗକୁ ପସନ୍ଦ କରୁଛି । ତେଣୁ ସକାଳୁ ବାହାରକୁ ଗଲେ ଲୋକେ ଶାଗ ବିଡ଼ାଏ ଧରିକି ଘରକୁ ଫେରନ୍ତି । କିଛି ଲୋକ ପ୍ରତିଦିନ ଶାଗ ଖାଇବାକୁ ପସନ୍ଦ କରୁଛନ୍ତି । ସେଥିପାଇଁ ସକାଳ ହେଉ ହେଉ ନିଜ ମନପସନ୍ଦ ସ୍ଥାନରେ ପହଞ୍ଚିଯାନ୍ତି ଶାଗ ଆଣିବା ଲାଗି । 

ଭୁବନେଶ୍ୱରର ଡେଲ୍‌ଟା ଛକ, ନାକାଗେଟ୍‌ ଛକ, ଚନ୍ଦକା ରୋଡ୍‌, କଳିଙ୍ଗ ଷ୍ଟୁଡିଓ ପାଖ, ଫାୟାର ଷ୍ଟେସନ, ରୁଚିକା ମାର୍କେଟ ପରି ସହରର ବହୁ ସ୍ଥାନରେ ଶାଗ ବିକ୍ରି ହେଉଛି । ଏ ସବୁ ଶାଗ ଛୋଟ ବେପାରୀମାନେ ୟୁନିଟ୍‌-୪ ହାଟରୁ ଆଣୁଛନ୍ତି । ଶାଗ ବହୁ ପରିମାଣରେ ଆସୁଥିବାରୁ ଏଇଠୁ ବେପାରୀ କିଣି ନେଉଛନ୍ତି । କଟକ ନଖରାରୁ ସଜ ସଜ ଶାଗ ଭୋରରୁ ଗାଡ଼ି ଯୋଗେ ଭୁବନେଶ୍ୱର ଆସି ପହଞ୍ଚିଯାଉଛି । ଖାଲି ଛକରେ ନୁହେଁ, ରାଜଧାନୀର ସବୁ ପାର୍କ ବାହାରେ ତଟକା ପରିବା ସହିତ ବିଭିନ୍ନ ପ୍ରକାର ଶାଗ ମିଳୁଛି । ବରମୁଣ୍ଡାର ରମାକାନ୍ତ ସାହୁ ୟୁନିଟ୍‌-୪ରୁ ଶାଗ ଆଣି ଡେଲ୍‌ଟା ଛକରେ ବିକ୍ରି କରୁଛନ୍ତି । ତାଙ୍କ ପାଖରେ ୧୨ରୁ ଅଧିକ ଭେରାଇଟିର ଶାଗ ମିଳିଯାଏ । ଲେଉଟିଆ ୪ ବିଡ଼ାକୁ ୨୦ଟଙ୍କା, କଳମ ଶାଗ ୫ ବିଡ଼ାକୁ ୨୦ଟଙ୍କା, କଖାରୁ ଡଙ୍କ ବିଡ଼ା ୧୫ଟଙ୍କା, ପାଳଙ୍ଗ ଶାଗ ୪ ବିଡ଼ା ୨୦ଟଙ୍କା, ପିତା ଶାଗ ୩ ବିଡ଼ା ୨୦ଟଙ୍କା, ଖଡ଼ା ଶାଗ ୪ ବିଡ଼ା ୨୦ଟଙ୍କା, କୋଶଳା ଶାଗ ୪ବିଡ଼ା ୨୦ଟଙ୍କାରେ ବିକ୍ରି ହେଉଛି । ସେହିପରି ମୁଠି ଶାଗ, ସୁନସୁନିଆ ଶାଗ ୨୫୦ ଗ୍ରାମକୁ ୨୦ଟଙ୍କା, ମଦରଙ୍ଗା ଶାଗ, ଚଣା ଶାଗ ପରି ବହୁ ପ୍ରକାରର ଶାଗ ବିକ୍ରି ହେଉଛି । କଖାରୁ ଫୁଲ ମଧ୍ୟ ବିଡ଼ା ହିସାବରେ ୨୦ଟା ୩୦ଟଙ୍କାରେ ବିକ୍ରି ହେଉଛି । ଯାହାର ଚାହିଦା ବର୍ଷକ ୧୨ମାସ ରହୁଛି । 

ସେହିପରି କଦଳୀ ଭଣ୍ଡା ଗୋଟିଏ ୨୦ରୁ ୨୫ଟଙ୍କା, ମଞ୍ଜା ୧୫ରୁ ୨୦ଟଙ୍କାରେ ମିଳୁଛି । ଅପରପକ୍ଷେ ଶାଗର ଉପକାରିତା ଯୋଗୁ ପିଲାଙ୍କଠୁ ବୁଢ଼ା ସମସ୍ତେ ଏହା ଖାଇବା ଜରୁରି ବୋଲି ଡାକ୍ତର କୁହନ୍ତି । ବିଶେଷ କରି ଉତ୍ତମ ଦୃଷ୍ଟି ଶକ୍ତି ପାଇଁ ଶାଗ ଖାଇବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି । ସମ୍‌ ଅଲ୍ଟିମେଟ୍‌ର କ୍ଲିନିକାଲ ନ୍ୟୁଟ୍ରିସନଲିଷ୍ଟ ସୁଶ୍ରୀ ସଙ୍ଗୀତ ଜେନା କହିଛନ୍ତି, ଆମ ନିତିଦିନିଆ ଖାଦ୍ୟରେ ଶାଗ ବହୁତ ଜରୁରୀ । କାରଣ ଗ୍ରୀନ୍‌ ଭେଜିଟେବୁଲ ଏବେ କେହି ଖାଉନାହାନ୍ତି । ଶାଗରେ ପ୍ରଚୁର ପରିମାଣରେ ଆଇରନ୍‌, ଫାଇବର୍‌, ଭିଟାମିନ୍‌ କେ ରହିଛି । କିନ୍ତୁ ଶାଗ ରାନ୍ଧିବା ପୂର୍ବରୁ ଭଲ ଭାବେ ଧୋଇବା ଜରୁରୀ । ଗଛ ବଢ଼ିବା ଲାଗି ବ୍ୟବହୃତ ହେଉଥିବା ରାସାୟନିକ ସାର ତଥା କୀଟନାଶକ ଶରୀର ଲାଗି କ୍ଷତି କାରକ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.