ଭୁବନେଶ୍ବର ୧୪/୦୧: ମଙ୍ଗଳବାର ସନ୍ଧ୍ୟା ଧୂପଠାରୁ ଉପବାସରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ । ମନ୍ଦିରରେ ନୀତିକାନ୍ତି ସବୁ ବନ୍ଦ । ବୁଧବାର ସକାଳୁ ମଧ୍ୟ କୌଣସି ନୀତି ଅନୁଷ୍ଠିତ ହୋଇପାରିବ ନାହିଁ । ଏଭଳି ସ୍ଥିତି ପାଇଁ ମକର ପୂର୍ବ ସନ୍ଧ୍ୟାର ନବାଙ୍କ ବେଢାରେ କ୍ଷୀର ଆଉଟା ସେବା ଅଧିକାର ବିବାଦ ହିଁ ମୁଖ୍ୟ କାରଣ। ସେପଟେ ସେବାୟତମାନେ ମନ୍ଦିର ଟ୍ରଷ୍ଟବୋର୍ଡ ଓ ପ୍ରଶାସକଙ୍କୁ ଦାୟୀ କରିଛନ୍ତି। ତେବେ ମହାପ୍ରଭୁ ଲିଙ୍ଗରାଜ ନୀତି ବିଭ୍ରାଟ ଓ ଉପବାସକୁ ନେଇ ସେବାୟତଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି ଏକାମ୍ର ବିଧାୟକ ବାବୁ ସିଂହ।

ନୀତିକାନ୍ତି ବନ୍ଦ କରିଥିବା ସେବାୟତଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ। କଡ଼ା ଚେତାବନୀ ଦେଲେ ଏକାମ୍ର ବିଧାୟକ। ଆପଣ ଠାକୁରଙ୍କ ଠାରୁ ବଡ଼ ନୁହେଁ । ଆମ ପରିଚୟ ଶ୍ରୀ ଲିଙ୍ଗରାଜ। ସେବାୟତ ସେବା କରିବାକୁ ଅଛନ୍ତି, ନିଷ୍ପତ୍ତି ନେବାକୁ ନୁହେଁ। ନୀତିକାନ୍ତି ବନ୍ଦ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସେବାୟତ ଭାଇମାନଙ୍କୁ ଅନୁରୋଧ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଆଘାତ ଦିଅନ୍ତୁ ନାହିଁ। ଆମ ଭିତରେ ଶହେ କଳି ଥାଇପାରେ ପୂଜା ପରେ ଆଲୋଚନା ହୋଇପାରେ। ସରକାର ଯଦି ଶୁଣିନାହାନ୍ତି ପୂଜା ପରେ ଆଲୋଚନା ହୋଇପାରିବ। ଯେଉଁମାନେ ନୀତିକାନ୍ତି ବନ୍ଦ କରିଛନ୍ତି ସେମାନଙ୍କ ଯୋଗ୍ୟତା ନାହିଁ ସେବା କରିବାକୁ।

ଏକାମ୍ର ବିଧାୟକ ଆହୁରି କହିଛନ୍ତି ଯେ, ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଆଇନ ଆସିବା ପର୍ଯ୍ୟନ୍ତ ପ୍ରଭୁଙ୍କ ନୀତିକାନ୍ତିରେ ଅବହେଳା କରନ୍ତୁ ନାହିଁ। ୨ ରୁ ୪ ମାସ ମଧ୍ୟରେ ଆଇନ ଆସିବ। ଓଡ଼ିଶା ସରକାର ପକ୍ଷରୁ ସବୁ ପ୍ରକାର ପ୍ରସ୍ତୁତି ସରିଛି । ବର୍ତ୍ତମାନ ଏହା କେନ୍ଦ୍ରକୁ ପଠା ଯିବ । କେନ୍ଦ୍ରର ସ୍ୱୀକୃତି ପରେ ରାଷ୍ଟ୍ରପତିଙ୍କ ଠାରୁ ଅନୁମୋଦନ ମିଳିବା । ପରେ ଲିଙ୍ଗରାଜ ମନ୍ଦିର ନୂଆ ଆଇନ ଲାଗୁ ହେବ । କିନ୍ତୁ ସେ ପର୍ଯ୍ୟନ୍ତ ଏମିତି ବିବାଦ କରି ନୀତି ବନ୍ଦ ନ କରିବା ପାଇଁ ସେବାୟତଙ୍କୁ ଚେତାବନୀ ଦେଇଛନ୍ତି ।

 

ସୂଚନା ଯୋଗ୍ୟ ଯେ, ୨୦୨୫ ମକର ପୂର୍ବ ସନ୍ଧ୍ୟାରେ ସାମନ୍ତରା ଘରୁ ଘୃତ କମଳ ପ୍ରସ୍ତୁତି ନିମନ୍ତେ ଖୀର ଅଣାଯାଇଥିଲା । ସେହି କ୍ଷୀରକୁ ଆଉଟାଇ ଘୃତ କମଳ ପ୍ରସ୍ତୁତି ହୋଇଥିଲେ ମକରରେ ଶ୍ରୀଜିଉଙ୍କୁ ଲାଗି ହୋଇଥାନ୍ତା । କିନ୍ତୁ କ୍ଷୀର ଆଉଟାଇବା ଲାଗି ବଡୁ ଏବଂ ବ୍ରାହ୍ମଣ ସେବାୟତଙ୍କ ମଧ୍ୟରେ ସେବା ସ୍ୱତ୍ତ୍ୱ ପାଇଁ ଯୁକ୍ତିତର୍କ ହୋଇଥିଲା । ଫଳରେ ଠାକୁର ମକର ମଣ୍ଡପରେ ଗୋଟିଏ ରାତି ଏବଂ ପର ଦିନ ତମାମ ନଖାଇ ନପିଇ ଖାଡା ଉପବାସ ରହିଥିଲେ । ଏଥର ଏହି ବିବାଦକୁ ରୋକିବାକୁ ଟ୍ରଷ୍ଟବୋର୍ଡ ସଭାପତି ତଥା ଜିଲ୍ଲାପାଳ କ୍ଷୀର ଆଉଟାଇବା ଲାଗି ବ୍ରାହ୍ମଣ ନିଯୋଗର ପୁସ୍ପାଳକ ସେବାୟତଙ୍କୁ ପରାମର୍ଶ ଦେଇଥିବା ବେଳେ ବଡୁଙ୍କୁ ଘୃତ କମଳ ଲାଗି କରାଇବାକୁ ଲିଖିତ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ବଡୁ ନିଯୋଗ ଏହି ନିଷ୍ପତ୍ତି ଅବୈଧ ଦର୍ଶାଇ ହାଇକୋର୍ଟଙ୍କ ଆଶ୍ରୟ ନେଇଥିଲେ ।

ହାଇକୋର୍ଟ ଶ୍ରୀଜିଉଙ୍କ ନୀତି ବାବଦରେ ଜିଲ୍ଲାପାଳଙ୍କ କ୍ଷମତା ନଥିବା ଦର୍ଶାଇଥିଲେ ଏବଂ ୨୬ ଫେବ୍ରୁାରୀ କିମ୍ବା ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଏହି ନୀତି ନ କରାଇବାକୁ ପରାମର୍ଶ ଦେଇଛନ୍ତି । ଫଳରେ ଜିଲ୍ଲାପାଳଙ୍କ ମକର ଯାତ୍ରା ନୀତି ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇପାରିଲା ନାହିଁ । ଏଣେ ବ୍ରାହ୍ମଣ ନିଯୋଗ ସଭାପତି ନାରାୟଣ ମହାପାତ୍ର ଓ ସଭ୍ୟ ପ୍ରଦୀପ୍ତ କୁମାର ମହାପାତ୍ର ସହକାରୀ ଦେବୋତ୍ତର କମିଶନରଙ୍କୁ ସାକ୍ଷାତ କରି ମକର ଯାତ୍ରା ଯେମିତି ବି କରାଇବାକୁ ଲିଖିତ ଦାବି ଜଣାଇଥିଲେ । ଦେବୋତ୍ତର କମିସନର ଏହି ବିବାଦୀୟ ଯାତ୍ରା ନୀତିକୁ ବାଦ୍ଦେଇ ଦୈନନ୍ଦିନ ନୀତି କରାଇବାକୁ ମନ୍ଦିର ପ୍ରଶାସନକୁ ପରାମର୍ଶ ଦେଇଛନ୍ତି। କିନ୍ତୁ ସେବାୟତଙ୍କୁ ଏହି ବାର୍ତ୍ତା ମନ୍ଦିର ପ୍ରଶାସନ ନ ଜଣାଇବା କାରଣରୁ ନୀତି ଅଧାରୁ ଅଟକି ଗଲା ବୋଲି ସେବାୟତମାନେ ଅଭିଯୋଗ କରିଛନ୍ତି ।