ଅନ୍ୟ ପାଇଁ ଉଦାହରଣ ଦିବ୍ୟାଙ୍ଗ ଶେଖ୍ ରେହମାନ

କଟକ,୨୫।୧: ଦିବ୍ୟାଙ୍ଗ ହେଲେ ବି ବଞ୍ଚିବାର ଇଚ୍ଛା ରହିବା ଦରକାର । ନିଜକୁ କୌଣସି କ୍ଷେତ୍ରରେ କମ୍ ମନେ କରିବା ଉଚିତ ନୁହେଁ । ପ୍ରତ୍ୟେକ ଦିବ୍ୟାଙ୍ଗ ନିଜ ମନୋବଳ ଦୃଢ କରିବା ସହିତ ମନରେ ଭାବନା ଆଣିବା ଦରକାର ଯେ ‘ହମ୍ ଭି କିସି ସେ କମ୍ ନେହିଁ’ । ଦିବ୍ୟାଙ୍ଗଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏହିଭଳି ଏକ ନିଆରା ବାର୍ତ୍ତା ନେଇ କଟକରୁ ଦିଲ୍ଲୀ ଅଭିମୁଖେ ଟ୍ରାଇ ସାଇକେଲ୍ରେ ଯାଉଛନ୍ତି କଟକର ଶେଖ୍ ରେହମାନ୍ । ଚଳିତ ମାସ ୨୬ ତାରିଖରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସଂଗ୍ରହାଳୟ ନିକଟରୁ ସେ ଯାତ୍ରା ଆରମ୍ଭ କରିବେ । ପାଖାପାଖି ଦୁଇ ମାସର ଯାତ୍ରା ପରେ ସେ ଦିଲ୍ଲୀରେ ପହଞ୍ଚିବେ ।
କଟକ ବାଉଁଶଗଳି ଅଞ୍ଚଳରେ ସପରିବାର ରହୁଛନ୍ତି ୪୧ ବର୍ଷୀୟ ସେଖ୍ ରେହମାନ୍ । ସେ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ କେବେ ନିଜକୁ କମ୍ ମନେ କରନ୍ତି ନାହିଁ । ସେ ହରିପୁର ରୋଡ୍ରେ ଏକ ଗ୍ୟାସ୍ ୱେଲ୍ଡିଂ ଦୋକାନ କରିଛନ୍ତି । ସେ ସଞ୍ଚୟ କରିଥିବା ଅର୍ଥରେ ଦିଲ୍ଲୀ ଯାଉଛନ୍ତି । ଏହି ଯାତ୍ରା ଆରମ୍ଭ କରିବା ପୂର୍ବରୁ ସେ ଜିଲ୍ଲା ପ୍ରଶାସନକୁ ଲିଖିତ ଆକାରରେ ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ କୌଣସି ସହାୟତା ମିଳିନାହିଁ । ଏହା ସତ୍ତେ୍ୱ ରେହମାନ୍ ଏହି ଯାତ୍ରା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀରେ ପହଞ୍ଚିବା ପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ଦିବ୍ୟାଙ୍ଗଙ୍କ କ୍ଷେତ୍ରରେ ରେଳ ଯାତ୍ରାରେ ସ୍ୱତନ୍ତ୍ର ସୁବିଧା ପ୍ରଦାନ କରିବାକୁ ଦାବିପତ୍ର ପ୍ରଦାନ କରିବେ ବୋଲି ରେହମାନ ସୂଚନା ଦେଇଛନ୍ତି । ଦିବ୍ୟାଙ୍ଗ ହୋଇଥିଲେ ବି ତାଙ୍କର ଏହି ପ୍ରୟାସକୁ ସାଧାରଣରେ ବେଶ ପ୍ରଶଂସା କରାଯାଉଛି ।