ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ସାରିବାକୁ ହାଇକୋର୍ଟରେ ପିଟିସନ୍ ଦାୟର

କଟକ, ୨୩/୦୫ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ସାରିବାକୁ ହାଇକୋର୍ଟରେ ରିଟ୍ ପିଟିସନ୍ ଦାୟର । ଶ୍ରୀମନ୍ଦିରର ବରିଷ୍ଠ ସେବାୟତମାନେ ଏହି ରିଟ୍ ପିଟିସନ୍ ଦାୟର କରିଛନ୍ତି। ପରିକ୍ରମା ପ୍ରକଳ୍ପକୁ ଯଥାଶୀଘ୍ର ସାରିବାକୁ ଉଭୟ ରାଜ୍ୟ ସରକାର ଓ ଏଏସଆଇକୁ ନିର୍ଦ୍ଦେଶ ଦେବାକୁ ରିଟ୍ ପିଟିସନରେ ପ୍ରାର୍ଥନା କରାଯାଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଏବଂ ଆମିକସ୍ କ୍ୟୁରୀଙ୍କ ରିପୋର୍ଟ ଅନୁସାରେ ପ୍ରକଳ୍ପ କାମ ଶୀଘ୍ର ସାରିବାକୁ ଆବେଦନ କରାଯାଇଛି ।
ସେବାୟତ ଓ ଶ୍ରଦ୍ଧାଳୁମାନଙ୍କ ସୁବିଧା ଦୃଷ୍ଟିରୁ ପ୍ରକଳ୍ପ କାମ ଶୀଘ୍ର ସରିବା ଦରକାର। କିଛି ମୁଷ୍ଟିମେୟ ବ୍ୟକ୍ତି ଓ ରାଜନୈତିକ ଦଳ ଶ୍ରୀମନ୍ଦିର ପ୍ରକଳ୍ପ ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି । ଯାହାକି ଜନସ୍ଵାର୍ଥ ବିରୋଧୀ ଏବଂ ସେବାୟତମାନଙ୍କ ସ୍ଵାର୍ଥକୁ ଉପେକ୍ଷା ସହ ସମାନ ବୋଲି କୋର୍ଟକୁ ଯାଇଥିବା ସେବାୟତମାନେ ଅଭିଯୋଗ କରିଛନ୍ତି। ସେଥିପାଇଁ ମାନ୍ୟବର ହାଇକୋର୍ଟ ଏଥିରେ ହସ୍ତକ୍ଷେପ କରି ପ୍ରକଳ୍ପ କାର୍ଯ୍ୟ ତ୍ଵରାନ୍ଵିତ କରିବାକୁ ଏଏସଆଇ ରାଜ୍ୟ ସରକାରଙ୍କୁ ସମସ୍ତ ସାହାଯ୍ୟ ଓ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଆବେଦନ କରାଯାଇଛି ।
କୋର୍ଟକୁ ଯାଇଥିବା ସେବାୟତମାନେ ଅଭିଯୋଗ କରିଛନ୍ତି ଯେ, କିଛି ମୁଷ୍ଟିମେୟ ବ୍ୟକ୍ତି ମିଥ୍ୟା ଓ କୁପ୍ରଚାର କରି ରାଜ୍ୟ ସରକାର କରୁଥିବା ପରିକ୍ରମା ପ୍ରକଳ୍ପ କାମ ଅଗ୍ରଗତିରେ ବାଧାସୃଷ୍ଟି କରୁଛନ୍ତି । କିଛି ରାଜନୈତିକ ବ୍ୟକ୍ତି ସେମାନଙ୍କୁ ସହଯୋଗ କରୁଛନ୍ତି । ଯାହାକି ଗ୍ରହଣୀୟ ନୁହେଁ । ଏଥିପାଇଁ ପରିକ୍ରମା ପ୍ରକଳ୍ପ କାମ ଶୀଘ୍ର ସାରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ। ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ରଘୁନାଥ ଗୋଛିକାର, ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ, ବିନାୟକ ଦାସମହାପାତ୍ର, ହରେକୃଷ୍ଣ ଖୁଣ୍ଟିଆ, ବଟକୃଷ୍ଣ ମୁଦ୍ରା ପ୍ରମୁଖ କୋର୍ଟର ଦ୍ଵାରସ୍ଥ ହୋଇଛନ୍ତି । ଏସମସ୍ତ ସେବାୟତମାନେ ପରିକ୍ରମା ପ୍ରକଳ୍ପ ପାଇଁ ନିଜର ଭିଟାମାଟି ଛାଡିଛନ୍ତି ।