ସୃଷ୍ଟି ଏକାଡେମୀର ବାର୍ଷିକୋତ୍ସବ, ‘ଯୁବଗୋଷ୍ଠୀ ଶିଳ୍ପୋଦ୍ୟୋଗୀ ହୁଅନ୍ତୁ’

ଭୁବନେଶ୍ୱର, ୯ ।୨(ବ୍ୟୁରୋ): ସୃଷ୍ଟି ଏକାଡେମୀ ଅଫ୍ ମ୍ୟାନେଜ୍ମେଣ୍ଟର ୧୬ତମ ବାର୍ଷିକ ଉତ୍ସବ ‘ସେନ୍ସେସନ୍ ୨୦୧୯’ ହୋଟେଲ ସ୍ୱସ୍ତି ପ୍ରିମିୟମରେ ଅନୁଷ୍ଠିତ ହୋଇଯାଇଛି । ବାର୍ଷିକ ଉତ୍ସବରେ ଓଡ଼ିଶାର ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍ଗୋ ମୁଖ୍ୟ ଅତିଥି ଭବେ ଯୋଗଦେଇ କହିଥିଲେ ଯୁବଗୋଷ୍ଠୀ ଚାକିରି ପଛରେ ନ ଗୋଡ଼ାଇ ସମାଜର ବୃହତ୍ତର କଲ୍ୟାଣ ଦୃଷ୍ଟିରୁ ଶିଳ୍ପୋଦ୍ୟୋଗୀ ହେବା ଆବଶ୍ୟକ । ଏଥିସହ ପିଲାମାନେ ସୃଜନଶୀଳ ହେବା ସହ ନିୟମିତ ଅଧ୍ୟୟନ କରିବା ଉଚିତ ।
ମୁଖ୍ୟବକ୍ତା ଭାବେ ବିଜ୍ନେସ୍ ଷ୍ଟାଣ୍ଡାର୍ଡର ରେସିଡେଣ୍ଟ ଏଡିଟର ଦିଲ୍ଲିପ ଶତପଥୀ ଯୋଗଦେଇଥିଲେ । ସେ କହିଲେ ଛାତ୍ରଛାତ୍ରୀମାନେ ନିଜ ଇଚ୍ଛା ଅନୁଯାୟୀ ବୃତ୍ତି ଚୟନ କଲେ ତାହା ନିଜ ପାଇଁ ତଥା ସମାଜ ପାଇଁ ଲାଭଦାୟକ ହେବ । ପ୍ରାରମ୍ଭରେ ଅନୁଷ୍ଠାନର ଅଧ୍ୟକ୍ଷ ଡଃ ସୁଶାନ୍ତ କୁମାର ଦାସ ଅତିଥିମାନଙ୍କୁ ସ୍ୱାଗତ କରିବା ସହିତ ବାର୍ଷିକ ବିବରଣୀ ପାଠ କରିଥିଲେ । ଉତ୍ସବରେ ସୃଷ୍ଟି ଏକାଡେମୀର ବାର୍ଷିକ ସାଂସ୍କୃତିକ ପତ୍ରିକା ‘ଶ୍ରୀଜନ୍’ ଉନ୍ମୋଚନ କରାଯାଇଥିଲା ।

‘ସେନ୍ସେସନ୍ ୨୦୧୯’ ଅବସରରେ ଅନୁଷ୍ଠାନ ତରଫରୁ ବିଭିନ୍ନ ବର୍ଗର ଉଦୀୟମାନ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉଦ୍ୟୋଗ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଯୁବ ଉଦ୍ୟୋଗୀ ତାପସ ଦାସ, ନ୍ୟୁଜ୍ ୧୮ର ସାମ୍ବାଦିକ ଥବିର ସାମଲ, ‘ପ୍ରମେୟ’ ଦୈନିକ ସମ୍ବାଦପତ୍ରର ବିଜ୍ନେସ୍ ରିପୋର୍ଟର କପିଳେନ୍ଦ୍ର ପ୍ରଧାନ, ଓଡ଼ିଆ ଚଳଚ୍ଚିତ୍ର ନାୟିକା ତମନ୍ନା ବ୍ୟାସ୍, କ୍ରୀଡ଼ା କ୍ଷେତ୍ରରେ ରଣଜୀ ଟ୍ରଫି ଖେଳାଳି ସୁଭ୍ରାଂଶୁ ସେନାପତି, ଅନ୍ତର୍ଜାତୀୟ କରାଟେ ଖେଳାଳି ମିସ ଅନୁପମା ସ୍ୱାଇଁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସୃଷ୍ଟି ଏକାଡେମୀର ଛାତ୍ର ମହମ୍ମଦ ଅନୱର ଏବଂ ବିବିଏ ବିଭାଗର ଛାତ୍ରୀ ରୁଚିସ୍ମିତା ସାମଲଙ୍କୁ ଡଃ ଅଭୟ କୁମାର ସ୍ମାରକୀ ପୁରସ୍କାର, ଏମ୍ବିଏ ବିଭାଗର ଇୟର ଟପ୍ପର ଶିଖା ସ୍ୱରୂପା ପଟ୍ଟନାୟକ, ଆଇଏମ୍ବିଏ ବିଭାଗର ଆକାଶ କୁମାର ସାହୁ ଓ ଏଲିସା ସାହୁଙ୍କୁ ରାଧାମୋହନ ମେମୋରିଆଲ୍ ଟ୍ରଫି ପ୍ରଦାନ କରାଯାଇଥିଲା । ଶେଷରେ ଅନୁଷ୍ଠାନର ଉପାଧ୍ୟକ୍ଷ ଡଃ ଉମାକାନ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।