ଅଫିସରେ ଲଗାତାର କମ୍ପ୍ୟୁଟରରେ କାମ କରିବା ଦ୍ୱାରା ହାତ, ଅଙ୍ଗୁଳି ଓ କଚଟିରେ ଯନ୍ତ୍ରଣା ହେଉଥିଲେ । ଏଥିରୁ ମୁକ୍ତି ପାଇବା ପାଇଁ କାମ ମଝିରେ ଷ୍ଟ୍ରେଚିଂ କରିପାରିବେ । ଅଫିସରେ ବସି ଦୀର୍ଘ ସମୟ ବସି ଲାପଟପ୍ ବା କମ୍ପ୍ୟୁଟରରେ କାମ କରୁଥିବା ଲୋକମାନଙ୍କ ପାଇଁ ହାତ ସମସ୍ୟା ଖୁବ୍ ସାଧାରଣ । ଲଗାତାର ଟାଇପିଂ ବା ମାଉସ୍ ବ୍ୟବହାର କରିବା ଦ୍ୱାରା ଅଙ୍ଗୁଳି ଓ କଚଟିରେ ଯନ୍ତ୍ରଣା ହୋଇଥାଏ । କେବେ କେବେ ସମସ୍ୟା ଏତେ ବଢିଯାଏ ଯେ କାମ କରିବା ମଧ୍ୟ ସମ୍ଭବ ହୁଏନା । ଏହି ସ୍ଥିତିରେ କେତେକ ସହଜ ଷ୍ଟ୍ରେଚିଂ କରିବା ଦ୍ୱାରା ହାତକୁ ଆରାମ ମିଳିଥାଏ । ଚାଲନ୍ତୁ ଜାଣିବା ସେମିତି କେତୋଟି ଷ୍ଟ୍ରେଚିଂ ବିଷୟରେ, ଯାହାକୁ ଆପଣ ଅଫିସରେ ନିଜ ସିଟ୍ରେ ବସି ସ୍ୱଳ୍ପ ସମୟ ଭିତରେ ଓ ସହଜରେ କରିପାରିବେ । ଯୋଗ ଥେରାପିଷ୍ଟ ପ୍ରବୀଣ ଗୌତମଙ୍କ ଅନୁସାରେ ଅଫିସ୍ରେ କାମ କରିବା ସମୟରେ ହାତରେ ହେଉଥିବା ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ନିମ୍ନ ଷ୍ଟ୍ରେଚିଂ କରିପାରିବେ ।

୧. ଫିଙ୍ଗର୍ ଷ୍ଟ୍ରେଚ୍: ଅଫିସ୍ରେ କାମ କରିବା ସମୟରେ ଅଙ୍ଗୁଳି ଯନ୍ତ୍ରଣାରୁ ମୁକ୍ତ କରିବା ପାଇଁ ଫିଙ୍ଗର ଷ୍ଟ୍ରେଚ୍ କରିପାରିବେ । ଏହି ବ୍ୟାୟାମ କରିବା ପାଇଁ ପ୍ରଥମେ ଅଙ୍ଗୁଳିକୁ ସଂପ୍ରସାରିତ କରନ୍ତୁ । ଏହି ସ୍ଥିତିରେ ୫ରୁ ୧୦ ସେକେଣ୍ଡ ରଖନ୍ତୁ । ପରେ ଧୀରେ ଧୀରେ ହାତକୁ ମୁଠା କରନ୍ତୁ । ଏହି ପ୍ରକ୍ରିୟାକୁ ୮ରୁ ୧୦ ଥର ଦୋହରାନ୍ତୁ । ଏପରି କରିବା ଦ୍ୱାରା ଆଙ୍ଗୁଠି ଯନ୍ତ୍ରଣା କମ୍ ହେବା ସହ ରକ୍ତ ସଞ୍ଚାଳନ ବଢିଥାଏ ।

୨. କଚଟି ଘୂରାନ୍ତୁ: ଲାପ୍ଟପ୍ ବା କମ୍ପ୍ୟୁଟରରେ କାମ କରିବା ଦ୍ୱାରା ହାତରେ ହେଉଥିବା ଯନ୍ତ୍ରଣାକୁ କମ୍ କରିବା ପାଇଁ କଚଟିକୁ ଘୂରାଇବା ବ୍ୟାୟାମ କରିପାରିବେ । ପ୍ରଥମେ ଦୁଇ ହାତକୁ ଆଗକୁ ସଂପ୍ରସାରିତ କରନ୍ତୁ । ଏବେ କଚଟିକୁ ଧୀରେ ଧୀରେ ଗୋଲ ଗୋଲ କରି ଘୂରାନ୍ତୁ । ପ୍ରଥମେ ଘଣ୍ଟାକଣ୍ଟା ଚାଲୁଥିବା ଦିଗରେ ପରେ ଏହାର ବିପରୀତ ଦିଗରେ ଘୂରାନ୍ତୁ । ଉଭୟ ଦିଗରେ ୧୦ ଥର ଲେଖାଏଁ ଘୂରାନ୍ତୁ । ଏପରି କରିବା ଦ୍ୱାରା କଚଟିର ମାଂସପେଶୀକୁ ଆରାମ ମିଳିଥାଏ ।

୩. ହାତକୁ ଷ୍ଟ୍ରେଚ୍ କରନ୍ତୁ: ଗୋଟିଏ ହାତକୁ ସାମ୍ନାକୁ ସିଧା କରି ଅନ୍ୟ ହାତ ସାହାଯ୍ୟରେ ଆଙ୍ଗୁଳିକୁ ହାଲ୍କା ଭାବେ ପଛକୁ ଟାଣନ୍ତୁ । ୧୦ରୁ ୧୫ ସେକେଣ୍ଡ ପର୍ଯ୍ୟନ୍ତ ଏପରି କରିବା ସହ ହାତକୁ କିଛି ସମୟ ପାଇଁ ହୋଲ୍ଡ କରି ରଖନ୍ତୁ । ଏହି ପ୍ରକ୍ରିୟାକୁ ଅନ୍ୟ ହାତରେ ଦେହରାନ୍ତୁ । ଏହା ହାତ ଓ କଚଟିର ଷ୍ଟ୍ରେସ୍କୁ କମ୍ କରିଥାଏ । ଏସବୁ ବ୍ୟାୟାମ ବ୍ୟତୀତ କାମ ମଝିରେ ଅଳ୍ପ ସମୟ ପାଇଁ ଛୋଟ ଛୋଟ ବ୍ରେକ୍ ନିଅନ୍ତୁ । ପ୍ରତି ଘଣ୍ଟାରେ କିଛି ସମୟ ପାଇଁ ହାତକୁ ବ୍ରେକ୍ ଦିଅନ୍ତୁ । ସେହିପରି ବସିବାର ଉପଯୁକ୍ତ ପୋଶ୍ଚର ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । କି-ବୋର୍ଡ ଓ ମାଉସ୍ ବ୍ୟବହାର ସମୟରେ ହାତର କଚଟିକୁ ସିଧା ରଖନ୍ତୁ । ଦୀର୍ଘ ସମୟ ଧରି ଭୁଲ୍ ପୋଶ୍ଚର ଅନୁକରଣ କରିବା ଦ୍ୱାରା ମଧ୍ୟ ଯନ୍ତ୍ରଣା ହୋଇଥାଏ । ତେଣୁ ପ୍ରଥମେ ବସିବା ଶୈଳୀକୁ ସୁଧାରନ୍ତୁ ।